• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭାରତରେ ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି 6G ମୋବାଇଲ୍‌ ସେବା । ଏନେଇ ଖୋଦ୍‌ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଦଶନ୍ଧିର ଶେଷ ସୁଦ୍ଧା 6G ସେବା ଆରମ୍ଭ ହେବାକୁ ଯୋଜନା କରାଯାଇଛି ଏବଂ ଟାସ୍କଫୋର୍ସ ମଧ୍ୟ ଏଦିଗରେ କାର୍ଯ୍ୟ ଆରମ୍ଭ କରିସାରିଛି । ଦେଶର ପ୍ରଯୁକ୍ତିବିଦ୍ୟାକୁ ଗୁରୁତ୍ୱ ଦେବା ସହ ବିକାଶ ଓ ରୋଜଗାରକୁ ତ୍ୱରାନ୍ୱିତ କରିବା ଦିଗରେ ଏହା ଆଗାମୀ ପିଢ଼ୀ ପାଇଁ ସହାୟକ ହେବ ବୋଲି ମୋଦି କହିଛନ୍ତି।

ଭାରତରେ ସଂଯୋଗୀକରଣ ଏକବିଂଶ ଶତାବ୍ଦୀରେ ପ୍ରଗତିର ନୂତନ ଗତି ନିର୍ଣ୍ଣୟ କରିବ । ତେଣୁ ପ୍ରତ୍ୟେକ ସ୍ତରରେ ସଂଯୋଗୀକରଣକୁ ଆଧୁନିକୀକରଣ କରିବାକୁ ପଡିବ ବୋଲି ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (TRAI) ର ରୌପ୍ୟ ଜୟନ୍ତୀ ଉତ୍ସବରେ 5G ଟେଷ୍ଟ ବେଡ୍ ଉଦ୍‌ଘାଟନ ବେଳେ କୁହାଯାଇଛି ।

ମୋଦି କହିଛନ୍ତି ଯେ, ଟେଲିକମ୍ କ୍ଷେତ୍ରରେ ଆଧୁନିକ ଟେକ୍ନୋଲୋଜିକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଟେଷ୍ଟ ବେଡ୍ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଦେଶର ନିଜସ୍ୱ 5G ମାନକ 5Gi ଆକାରରେ ପ୍ରସ୍ତୁତ କରାଯାଇଛି । ଏହା ଦେଶ ପାଇଁ ଅତ୍ୟନ୍ତ ଗର୍ବର ବିଷୟ । ଦେଶର ସମସ୍ତ ଗାଁକୁ 5G ଟେକ୍ନୋଲୋଜି ଆଣିବାରେ ଏହା ଏକ ବଡ଼ ଭୂମିକା ଗ୍ରହଣ କରିବ।

ମୋଦୀ ଆହୁରି କହିଛନ୍ତି ଯେ, 5G ଟେକ୍ନୋଲୋଜି ମଧ୍ୟ ଦେଶର ଶାସନ ବ୍ୟବସ୍ଥାରେ ସକରାତ୍ମକ ପରିବର୍ତ୍ତନ ଆଣିବାକୁ ଯାଉଛି । ଜୀବନଯାପନ ପ୍ରଣାଳୀ ସହଜ ହେବା ସହ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଏହା ପରିବର୍ତ୍ତନ ଆଣିବ । କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ସ ଭଳି କ୍ଷେତ୍ରରେ ଏହା ବେଶ୍‌ ସହାୟକ ହେବ । ଏହା ସମସ୍ତ ସୁବିଧା ଯୋଗାଇବା ସହ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । 5G ର ଶୀଘ୍ର ରୋଲ ଆଉଟ୍ ପାଇଁ ଉଭୟ ସରକାର ଏବଂ ଶିଳ୍ପର ଉଦ୍ୟମ ଆବଶ୍ୟକ । ମୋଦିଙ୍କ କହିବାନୁଯାୟୀ ଟେଲିକମ୍‌ ହେଉଛି ଏକମାତ୍ର ସଂସ୍ଥା ଯାହାଦ୍ୱାରା ଆତ୍ମନିର୍ଭରଶୀଳତା ଏବଂ ସୁସ୍ଥ ପ୍ରତିଯୋଗିତା ଉଭୟ ସମାଜ ତଥା ଅର୍ଥନୀତି ଉପରେ ଦୁଇଗୁଣ ପ୍ରଭାବ ସୃଷ୍ଟି କରିପାରିବ ।