• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦେଶରେ ୧୨ ହଜାର ଟପିଲା କରୋନାର ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୧୨ ହଜାର ୨୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ମହାମାରୀରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ବର୍ତ୍ତମାନ ଦେଶରେ ଆକ୍ଟିଭ୍ କେସ ୫୮ ହଜାର ୨୧୫କୁ ବୃଦ୍ଧି ପାଇଛି । ସେହିପରି ଦୈନିକ ପଜିଟିଭିଟି ରେଟ୍ ୨.୩୫ ପ୍ରତିଶତକୁ ବୃଦ୍ଧି ପାଇଛି ।

ଦେଶରେ ଦିନକୁ ଦିନ କୋରନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହା ଏକ ବଡ଼ ଚିନ୍ତାର କାରଣ ପାଲଟିଛି । ଫଳରେ ଦେଶରେ ଚତୁର୍ଥ ଲହର ଆସିବାର ଭୟ ଆଶଙ୍କା ରହିଛି । କିଛି ଦିନ ଧରି ଦେଶରେ କୋଭିଡ୍ ମାମଲା ବଢୁଥିବା ଯୋଗୁଁ ଚିନ୍ତା ଦ୍ୱିଗୁଣିତ ହୋଇଛି । ଆଉ ଏହା ହିଁ ସ୍ୱାସ୍ଥ୍ୟ ସେବା ପ୍ରତି ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବାର ଆଶଙ୍କାକୁ ବଢ଼ାଇଛି । ଦେଶରେ ଗତକାଲି ଦୈନିକ ସଂକ୍ରମଣ ହାର ୮ ହଜାର ରହିଥିବାବେଳେ ଆଜି ତାହା ଉପରମୁହାଁ ହୋଇଛି ।

ଆସିବ କି ଚତୁର୍ଥ ଲହର ?

ଚିନ୍ତା ବଢ଼ାଉଛି ଦେଶରେ ଦୈନିକ ଆକ୍ଟିଭ୍ କେସ୍ । କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ ଦେଶରେ ବର୍ତ୍ତମାନ ୫୮ ହଜାର ୨୧୫ ରହିଛି ସକ୍ରିୟ ସଂକ୍ରମଣ ସଂଖ୍ୟା । ଏହା ସହ ଦେଶରେ ଦୈନିକ ପଜିଟିଭ୍ ହାର ୨.୩୫ ପ୍ରତିଶତ ରହିଛି । ତେଣୁ କ୍ରମାଗତ ଭାବରେ ଦେଶରେ କୋରନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । କିଛି ରାଜ୍ୟରେ କୋଭିଡ୍ କଟକଣା କଡ଼ାକଡ଼ି ହୋଇଥିବାବେଳେ ଅନ୍ୟ ରାଜ୍ୟମାନେ ସଜାଗ ଅଛନ୍ତି । ଏହା ସତ୍ତ୍ୱେ କରୋନା ସଂକ୍ରମଣ ସଂଖ୍ୟା ନିୟନ୍ତ୍ରଣରେ ରହୁନାହିଁ । ସ୍ଥିତିରେ ସୁଧାର ନଆସିଲେ ଆଗାମୀ ଦିନରେ ଦେଶରେ ଚତୁର୍ଥ ଲହର ଆସିବାର ସମ୍ଭାବନା ରହିଛି । 

୫ଟି ରାଜ୍ୟରେ ସର୍ବାଧିକ ସଂକ୍ରମଣ ଚିହ୍ନଟ

ଦେଶର ୫ଟି ରାଜ୍ୟରେ ସବୁଠୁ ଅଧିକ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରେ ମହାରାଷ୍ଟରେ ୪,୦୨୪ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, କେରଳରେ ୩,୪୮୮, ଦିଲ୍ଲୀରେ ୧,୩୭୫, କର୍ଣ୍ଣାଟକରେ ୬୪୮, ହରିୟାଣାରେ ୫୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୫ ଟି ରାଜ୍ୟରେ ୮୨.୯୬ ପ୍ରତିଶତ ପଜିଟିଭ୍ ହାର ରହିଥିବାବେଳେ କେବଳ ମହାରାଷ୍ଟରେ ୩୨.୯୫ ପ୍ରତିଶତ ପଜିଟିଭ୍ ହାର ରହିଥିବାର ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

ସେହିପରି ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୫,୨୪,୮୦୩ ରେ ପହଞ୍ଚିଛି । ସେହିପରି ରିକୋଭରି ରେଟ୍ ୯୮.୬୫ ପ୍ରତିଶତ ରହିଛି । ସେହିପରି ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ୍ ସୁସ୍ଥ ସଂଖ୍ୟା ୪,୨୬,୭୪,୭୧୨ ରହିଛି ।