Advertisment

ସମୁଦ୍ରରୁ ଆକାଶ, ଦେଶରୁ ବିଦେଶ ସବୁଠି ଉଡ଼ିଲା ତ୍ରିରଙ୍ଗା

ଖାଲି ପବନରେ ନୁହେଁ, ଆଜି ପାଣିରେ ବି ଫରଫର ଉଡ଼ିଛି ତ୍ରିରଙ୍ଗା। ଖାଲି ଦେଶ ଭିତରେ ନୁହେଁ, ବିଦେଶରେ ବି ଶୁଭିଛି ଜୟ ହେ ଧ୍ୱନୀ। ୭୭ତମ ସ୍ୱାଧୀନତା ଦିବସ ଅବସରରେ ପାଣି ଭିତରେ ତ୍ରିରଙ୍ଗା ଉଡ଼ାଇଛନ୍ତି ଭାରତୀୟ ତଟରକ୍ଷୀ ବାହିନୀର ବୀର ଯବାନ।

author-image
Manoranjan Behera
undefined

Independence Day Celebration

ସମୁଦ୍ରରୁ ଆକାଶ, ଦେଶରୁ ବିଦେଶ। ଆଜି ସବୁଠି ଶୁଭିଛି ଭାରତର ଜୟଧ୍ୱନି। ସଗର୍ବେ, ସଗୌରବେ ଉଡ଼ିଛି ତ୍ରିରଙ୍ଗା। ବିଭିନ୍ନ ସ୍ଥାନରେ ନିଆରା ଶୈଳୀରେ, ରୋଚକ ଢଙ୍ଗରେ ପାଳନ ହୋଇଛି ୭୭ତମ ସ୍ୱାଧୀନତା ଦିବସ।

Advertisment

ଖାଲି ପବନରେ ନୁହେଁ, ଆଜି ପାଣିରେ ବି ଫରଫର ଉଡ଼ିଛି ତ୍ରିରଙ୍ଗା। ଖାଲି ଦେଶ ଭିତରେ ନୁହେଁ, ବିଦେଶରେ ବି ଶୁଭିଛି ଜୟ ହେ ଧ୍ୱନୀ। ୭୭ତମ ସ୍ୱାଧୀନତା ଦିବସ ଅବସରରେ ପାଣି ଭିତରେ ତ୍ରିରଙ୍ଗା ଉଡ଼ାଇଛନ୍ତି ଭାରତୀୟ ତଟରକ୍ଷୀ ବାହିନୀର ବୀର ଯବାନ। ତାମିଲନାଡୁ ରାମେଶ୍ୱରମ ନିକଟରେ ସମୁଦ୍ର ଭିତରେ କୋଷ୍ଟଗାର୍ଡର ୪ ଜଣ ଯବାନ ଏକାଠି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।

ତେଣେ ଭାରତ-ପାକିସ୍ତାନ ସୀମାର ୱାଘା ଅଟାରୀ ବର୍ଡର୍, ପାକିସ୍ତାନ ସୀମାକୁ ଲାଗିଥିବା ଜାମ୍ମୁ-କାଶ୍ମୀରର ଉରି ଏବଂ ଚୀନ୍ ସୀମାବର୍ତ୍ତୀ ଲେହରେ ବି ଦେଖିବାକୁ ମିଳିଛି ଦେଶଭକ୍ତିର ସ୍ପର୍ଦ୍ଧା। ନିଆରା ଢଙ୍ଗରେ ସ୍ୱାଧୀନତା ଦିବସ ପାଳନ କ୍ଷେତ୍ରରେ ଓଡ଼ିଶା ବି ଦେଖାଇଛି କରିସ୍ମା। ନୀଳାମ୍ବୁ ଚିଲିକା ମଝିରେ ଡଙ୍ଗା ଉପରେ ତ୍ରିରଙ୍ଗା ଉଡ଼ାଇଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଖଟିସାହି ଗାଁର ମହିଳା ମତ୍ସ୍ୟଜୀବୀ ତଥା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ।

Advertisment

ଜାତୀୟ ପତାକା ଧରି ନଗର ପରିକ୍ରମା ତ ଆପଣ ଅନେକ ଦେଖିଥିବେ । କୋରାପୁଟ ଜୟପୁର ସହରରେ ଆଜି ବୁଲିଛି ୪୫୨ ମିଟର ଲମ୍ବର ତ୍ରିରଙ୍ଗା। ସେହିପରି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିରାଶାଳର ଛାତ୍ରଛାତ୍ରୀମାନେ ପ୍ରଭାତ ଫେରି କରିଛନ୍ତି ୨୫୦ ମିଟର ଲମ୍ବା ତ୍ରିରଙ୍ଗା ସହିତ।

ଖାଲି ଦେଶ ନୁହେଁ, ବିଦେଶ ମାଟିରେ ବି ଉଡ଼ିଛି ଜାତୀୟ ପତାକା ଶୁଭିଛି ଜାତୀୟ ସଂଗୀତର ଧୁନ୍। ତ୍ରିରଙ୍ଗାରେ ଝଲସିଲା ବିଶ୍ୱର ସର୍ବୋଚ୍ଚ ଅଟ୍ଟାଳିକା- ଦୁବାଇ ବୁର୍ଜ ଖଲିଫା । ଭାରତକୁ ସମ୍ମାନ ଜଣାଇ ସ୍ୱାଧୀନତା ଦିବସ ଉପଲକ୍ଷେ ବୁର୍ଜ ଖଲିଫାକୁ ନାରଙ୍ଗୀ, ଧଳା ଓ ସବୁଜ ରଙ୍ଗରେ ଆଲୋକିତ କରାଯାଇଥିଲା। ବ୍ରିଟେନ୍ ରାଜଧାନୀ ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ଇଂରେଜ ମାଟିରେ ପ୍ରାୟ ୧୦ ମହଲା କୋଠା ଉପରୁ ସଗର୍ବେ ଲମ୍ବାଇଥିଲେ ଦୀର୍ଘକାୟ ତ୍ରିରଙ୍ଗା। ଭାରତ୍ ମାତା କୀ ଜୟ୍ ଧ୍ୱିନିରେ କମ୍ପୁଥିଲା ପରିବେଶ । ସେଠାରେ ଭାରତୀୟ ରାଷ୍ଟ୍ରଦୂତ ଭି. ଦୋରାଇସ୍ୱାମୀ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା।

ସେପଟେ ଭାରତୀୟ ମହାସାଗରରେ ମୁତୟନ ଭାରତୀୟ ନୌସେନା ଯୁଦ୍ଧପୋତ ଏବଂ ଅଷ୍ଟ୍ରେଲିଆ ସିଡନୀରେ ଲଙ୍ଗର ପକାଇଥିବା ଆଇଏନ୍ଏସ୍ ସହ୍ୟାଦ୍ରୀ ଏବଂ ଆଇଏନ୍ଏସ୍ କୋଲକାତା ଉପରେ ୭୭ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି ଭାରତୀୟ ନୌବୀର। ତେଣେ ଲଣ୍ଡନର ପ୍ରସିଦ୍ଧ ଆବେ ରୋଡ୍ ଷ୍ଟୁଡିଓରେ ଶହେ ଜଣ ବ୍ରିଟିଶ ବାଦ୍ୟକାରଙ୍କୁ ନେଇ ଜାତୀୟ ସଂଗୀତ ପରିବେଷଣ କରିଛନ୍ତି ୩ଥର ଗ୍ରାମି ପୁରସ୍କାରପ୍ରାପ୍ତ ରିକି କେଜ୍। ଏହାକୁ ସେ ଭାରତର ଜାତୀୟ ସଂଗୀତ ପରିବେଷଣ କରିଥିବା ସର୍ବବୃହତ ଅର୍କେଷ୍ଟ୍ରା ବୋଲି ଦାବି କରିଥିବା ବେଳେ, ତାଙ୍କ ଭିଡିଓକୁ ରିଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Independence Day
Advertisment
Advertisment