Advertisment

India Japan Moon Mission: ଜାପାନ ସହ ମିଳିତ ଭାବେ ଇସ୍ରୋ କରିବ ଚନ୍ଦ୍ରଯାନ ମିଶନ

ଓଡ଼ିଶା ଗସ୍ତରେ ଆସି ବଡ଼ ଖୁଲାସା କଲେ ଇସ୍ରୋ ଅଧ୍ୟକ୍ଷ। ଦୁଇ ଦୁଇଟି ମୁନ୍ ମିଶନ, ଗଗନଯାନ, ଭାରତର ନିଜସ୍ବ ସ୍ପେଶ୍ ଷ୍ଟେସନ୍ ଆଦି ସଂପର୍କରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଡକ୍ଟର ଭି. ନାରାୟଣନ୍। କହିଛନ୍ତି, ଚନ୍ଦ୍ରଯାନ-୪ ଜାପାନ ସହାୟତାରେ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

author-image
Saroj Kumar Jena
undefined

isro

ଓଡ଼ିଶା ଗସ୍ତରେ ଆସି ବଡ଼ ଖୁଲାସା କଲେ ଇସ୍ରୋ ଅଧ୍ୟକ୍ଷ। ଦୁଇ ଦୁଇଟି ମୁନ୍ ମିଶନ, ଗଗନଯାନ, ଭାରତର ନିଜସ୍ବ ସ୍ପେଶ୍ ଷ୍ଟେସନ୍ ଆଦି ସଂପର୍କରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଡକ୍ଟର ଭି. ନାରାୟଣନ୍। କହିଛନ୍ତି, ଚନ୍ଦ୍ରଯାନ-୪ ଜାପାନ ସହାୟତାରେ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। 

Advertisment

୨ ବର୍ଷ ତଳେ ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ପରେ, ଏକାଥରେ ସମାନ୍ତରାଳ ଭାବେ ପରବର୍ତ୍ତୀ ଦୁଇ ଦୁଇଟି ମୁନ୍ ମିଶନ୍ ପାଇଁ ପ୍ରସ୍ତୁତ ହେଉଛି ଇସ୍ରୋ। ଭୁବନେଶ୍ବର ଗସ୍ତରେ ଆସି ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍ କହିଛନ୍ତି, ଚନ୍ଦ୍ରଯାନ-୩ ତୁଳନାରେ ଖୁବ୍ ଜଟିଳ ଓ ବ୍ୟାପକ ହେବାକୁ ଯାଉଛି ଚନ୍ଦ୍ରଯାନ-୪ ଓ ଚନ୍ଦ୍ରଯାନ-୫। ଚନ୍ଦ୍ରଯାନ-୪ରେ ଜହ୍ନରୁ ମାଟି ଓ ପଥର ନମୁନା ସଂଗ୍ରହ କରି ଆଣିବ ଭାରତ। ଏହି ଯାନର ଓଜନ ପ୍ରାୟ ୯ରୁ ୧୦ ହଜାର କେଜି ହେବାକୁ ଥିବା ବେଳେ, ଚନ୍ଦ୍ରଯାନ-୩ ତୁଳନାରେ ଏହା ଅଢ଼େଇ ଗୁଣ ଓଜନିଆ ହେବ। ମହାକାଶରେ ଦୁଇଟି ମଡ୍ୟୁଲକୁ ଡକିଂ କରି ବା ଯୋଡ଼ି ଚନ୍ଦ୍ରପୃଷ୍ଠରୁ ନମୁନା ସଂଗ୍ରହ ବଡ଼ ଚାଲେଞ୍ଜ ରହିବ। ଜାପାନ୍ ସହାୟତାରେ ହେବାକୁ ଥିବା ଚନ୍ଦ୍ରଯାନ-୫ର ଆକାର ଆହୁରି ବିଶାଳ ରହିବ। ଏଥିରେ ଲ୍ୟାଣ୍ଡର୍ ୬ହଜାର ୫ଶହ କେଜି ଓ ରୋଭର୍ ୩୫୦ କେଜି ଓଜନ ରହିବ। ଜହ୍ନରେ ଚନ୍ଦ୍ରଯାନ-୩ର ଆୟୁଷ ୧୪ ଦିନ ଥିବା ବେଳେ, ଚନ୍ଦ୍ରଯାନ-୫ର ଆୟୁଷ ୧୦୦ ଦିନ ରହିବ।

ଅଧିକ ପଢ଼ନ୍ତୁ: ସ୍କୁଲର ସ୍ଥାନ ନେବ କି AI ? ପିଲାଙ୍କୁ ପାଠ ପଢାଇବେନି ଶିକ୍ଷକ!

୨୦୨୭ ମାର୍ଚ୍ଚ ସୁଦ୍ଧା ମହାକାଶକୁ ଭାରତ ମାଟିରୁ ପ୍ରଥମ ଭାରତୀୟ ମହାକାଶଚାରୀ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ। ତେବେ ଏହା ପୂର୍ବରୁ ୩ଟି ମାନବ ବିହୀନ ମିଶନ୍ ହେବାକୁ ଥିବା ବେଳେ, ପ୍ରଥମ ଅନ୍-କ୍ରୁଡ୍ ମିଶନ ଚଳିତବର୍ଷ ଶେଷ ସୁଦ୍ଧା ପଠାଯିବ। ଗଗନଯାନ ମିଶନକୁ ସଫଳ କରିବା ପାଇଁ ପ୍ରାୟ ୧୦ ହଜାର ପ୍ରକାର ପରୀକ୍ଷଣ କରିବ ଇସ୍ରୋ। ସେଥିରୁ ୭ହଜାର ୨ଶହ ଟେଷ୍ଟ ସରିଥିବା ବେଳେ, ଆହୁରି ୨ହଜାର ୮ଶହ ଟେଷ୍ଟ୍ କରାଯିବା ବାକି ଅଛି। ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ୍ ବା 'ବାସ୍' ସଂପର୍କରେ ବି ଅଧିକ ସୂଚନା ଦେଇ ଇସ୍ରୋ ଅଧ୍ୟକ୍ଷ କହିଛନ୍ତି, ଏହାର ମୋଟ୍ ଓଜନ ୫୨ ଟନ୍ ହେବ। ସ୍ପେଶ୍ ଷ୍ଟେସନ୍ ମୋଟ୍ ୫ ଖଣ୍ଡ ହୋଇ ମହାକାଶକୁ ଯିବାକୁ ଥିବା ବେଳେ, ପ୍ରଥମ ମଡ୍ୟୁଲ୍ ୨୦୨୮ ମାର୍ଚ୍ଚ କିମ୍ବା ଏପ୍ରିଲରେ ସ୍ଥାପନ ହେବ। ଏଥିସହ ଶ୍ରୀହରିକୋଟ୍ଟାରେ ତୃତୀୟ ଲଞ୍ଚପ୍ୟାଡ୍ ଏବଂ ତାମିଲନାଡ଼ୁରେ ଭାରତର ଦ୍ବିତୀୟ ସ୍ପେଶ୍ ଲଞ୍ଚ୍ କଂପ୍ଲେକ୍ସ ନିର୍ମାଣରେ ବି ବ୍ୟସ୍ତ ଅଛି ଇସ୍ରୋ। ଆଗାମୀ ଦିନରେ ନାସା ସହଯୋଗରେ ବି ଏକାଧିକ ମିଶନ୍ ହେବାକୁ ଯାଉଛି। ତେଣୁ ପ୍ରାୟ ପ୍ରତ୍ୟେକ ମାସରେ ଅତିକମରେ ଗୋଟିଏ ଲେଖାଏଁ ଲଞ୍ଚ୍ ହେବ ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି।

Advertisment

ଇସ୍ରୋର ପ୍ରତି ମିଶନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇ ଆସୁଛି ଓଡ଼ିଶା। ଭୁବନେଶ୍ବରସ୍ଥିତ ସେଣ୍ଟ୍ରାଲ ଟୁଲରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର- CTTC ଲଗାତର ୨୭ ବର୍ଷ ହେଲା ଇସ୍ରୋର ବିଭିନ୍ନ ମିଶନ ଲାଗି ପ୍ରତିବର୍ଷ ବିଭିନ୍ନ ଯନ୍ତ୍ରାଂଶ ତିଆରି କରୁଛି । ଏମ୍ଡିଟିଜି, ଡିଥର ଫ୍ଲେକ୍ସର, ସୋଲାର ଏୟାର ଡ୍ରାୟର ଭଳି ୪୮୪ ପ୍ରକାରର ୭୦ରୁ ୮୦ ହଜାର ଗୁରୁତ୍ବପୂର୍ଣ୍ଣ ଉପକରଣ ଇସ୍ରୋକୁ ଯୋଗାଇଛି CTTC। ଚନ୍ଦ୍ରୟାନ-୩ ପାଇଁ ପ୍ରାୟ ୫୦ ହଜାର ଉପକରଣ ଯୋଗାଇଥିଲା ସିଟିଟିସି। ଗଗନଯାନ ପାଇଁ ଉପକରଣ ନିର୍ମାଣ ସରିଛି ଏବଂ ଚନ୍ଦ୍ରଯାନ-୪ ପାଇଁ ୨୫ ହଜାରରୁ ଅଧିକ ଅର୍ଡର ସିଟିଟିସି ପାଇଛି ବୋଲି ସୂଚନା ଦେଇଛନ୍ତି ଏହାର ମହାପ୍ରବନ୍ଧକ ଏଲ୍. ରାଜା ଶେଖର।

ଅଧିକ ପଢ଼ନ୍ତୁ: ଲକ୍ଷଣ ଦେଖି ରୋଗର ଚିକିତ୍ସା କହିଦେବ AI, ହେବ ବାୟୋ AI ହବ୍

ISRO Japan Chandrayaan
Advertisment
Advertisment