• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଖରା ଦିନ ଆସିଲାଣି । ଆଉ ଖରା ଦିନ ଆସୁ ଆସୁ କର୍ଣ୍ଣାଟକରେ ଶୁଖିଲାଣି ନଦୀ ନାଳ । ପାଣି ପାଇଁ ପଡ଼ିଲାଣି ହାହାକାର । ଆଉ ଏମିତି ପରିସ୍ଥିତି ଭିତରେ ଆମ ସାମ୍ନାକୁ ଆସିଛି ଏକ ବିରଳ ଦୃଶ୍ୟ । ଯାହା କୌଣସି ସାଧାରଣ ଲୋକ କେବେ ବି କଳ୍ପନା କରିପାରିବ ନାହିଁ । ଆପଣ ବି ଘଟଣା ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଆଉ ସେହି ଚାଷୀଙ୍କୁ ସଲାମ କରିବେ ।

ଖରା ପାଇଁ କର୍ଣ୍ଣାଟକରେ ଏବେ କିଛି ଶାଖା ନଦୀ ଶୁଖିଲା ପଡ଼ିଛି । ସେଥିମଧ୍ୟରେ ବାରଦା ନଦୀ ମଧ୍ୟ ଶୁଖିଯାଇଛି । ଏମିତିକି ହାବେରୀ ଜିଲ୍ଲାର ସଂଗୃରୁ ଗାଁର ୫୦ ପ୍ରତିଶତ ବୋରୱେଲ ଶୁଖିଯାଇଛି । ଯାହାଫଳରେ ଗାଇ ଗୋରୁ ହୁଅନ୍ତୁ କିମ୍ବା ମଣିଷ, ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ନଦୀରେ ପାଣି ନଥିବାରୁ ଚାଷୀ ମଧ୍ୟ ମୁଣ୍ଡରେ ହାତ ଦେଇ ବସିଥିଲେ । ସେହି ନଦୀ ଉପରେ ଭରସା କରୁଥିବା ଅନେକ ଲୋକ ମଧ୍ୟ ଚିନ୍ତାରେ ପଡ଼ିଯାଇଥିଲେ । ହେଲେ ଜଣେ ଚାଷୀଙ୍କ ଏମିତି ଏକ ପ୍ରୟାସ ସମସ୍ତଙ୍କ ମୁହଁରେ ହସ ଫୁଟାଇଛି ।

୫୦ ବର୍ଷୀୟ ଚାଷୀ ଜଣକ ହେଉଛନ୍ତି ଭୁବନେଶ୍ୱର । ନଦୀ ଶୁଖିଯିବା କାରଣରୁ ସେ ନିଜ କୂଅରେ ପମ୍ପ ଲଗାଇ ନଦୀକୁ ପାଣି ଛାଡ଼ିଛନ୍ତି । ଯାହାଫଳରେ ପଶୁ ପକ୍ଷୀ ଉପକୃତ ହୋଇଛନ୍ତି । ଉକ୍ତ ଚାଷୀଙ୍କ ପାଖରେ ୩୦ ଏକର ଜମି ରହିଛି । ସେହି ଜମିରେ ସେ ଆଖୁ ଚାଷ କରିବା ସହ ମକା, ସୁପାରୀ ଓ ପନିବରିବା ମଧ୍ୟ ଚାଷ କରନ୍ତି । ତାଙ୍କ ପାଖରେ ୩ଟି ବୋରୱେଲ ରହିଛି । ସେଥିମଧ୍ୟରୁ ଦୁଇଟିର ବ୍ୟବହାର ଫସଲ ପାଇଁ କରାଯାଉଥିବା ବେଳେ ଅନ୍ୟଟି ପଶୁ ପକ୍ଷୀଙ୍କ ଶୋଷ ମେଣ୍ଟାଇବା ପାଇଁ ବ୍ୟବହାର କରାଯାଏ ।

ଦୀର୍ଘ ବର୍ଷ ଧରି ତୁଙ୍ଗଭଦ୍ରା ନଦୀର ଶାଖା ବରଦା ନଦୀ ଉପରେ ଏହି ଜିଲ୍ଲାର ଲୋକେ ନିର୍ଭ କରି ଆସୁଛନ୍ତି । ଖରା କାରଣରୁ ଏଠାରେ ନଦୀ ନାଳ ଝରଣା ସବୁ ସୁଖିଯାଇଛି । ସେଥିପାଇଁ ଭୁବନେଶ୍ୱର ଏହି ପରିସ୍ଥିତି ସହ ଲଢ଼ିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଗତ ୨୫ ବର୍ଷ ମଧ୍ୟରେ ହାବେରୀ ଜିଲ୍ଲାରେ ଏଭଳି ଭୀଷଣ ମରୁଡ଼ି କେବେ ଦେଖିନଥିଲେ ଭୁବନେଶ୍ୱର । ତାଙ୍କ ଜମି ବରଦା ନଦୀକୁ ଲାଗି ରହିଛି । ତେଣୁ ପଶୁ ପକ୍ଷୀମାନେ ପାଣି ପାଇଁ ଯେଉଁଭଳି ଡହଳ ବିକଳ ହେଉଥିଲେ, ତାହା ଦେଖି ସେ ତାଙ୍କ ବୋରୱେଲରୁ ନଦୀରେ ପାଣି ଛାଡ଼ିବା ପାଇଁ ନିଷ୍ପତ୍ତି ନେଲେ । ଯାହାଫଳରେ ପଶୁ ପକ୍ଷୀ କିଛି ମାତ୍ରାରେ ଉପକୃତ ହେବେ ।

ଭୁବନେଶ୍ୱର କହିଛନ୍ତି ଯେ ଚଳିତ ବର୍ଷ ରାଜ୍ୟରେ ଅଭାବୀ ବର୍ଷା ଦେଖିବାକୁ ମିଳିଛି । ଅନ୍ୟପଟେ ତିନିରୁ ଚାରି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିସାରିଛି । ଜାନୁଆରୀ ଆରମ୍ଭରେ ହିଁ ହାବେରୀ ଜିଲ୍ଲାର ଅଧିକାଂଶ ଜଳଭଣ୍ଡାର ଶୁଖି ଯାଇଥିଲା । ତେଣୁ ଏବେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି । ଚାଷ ପାଇଁ ମୋ ପାଖରେ ଥିବା ଅନ୍ୟ ଦୁଇଟି ବୋରୱେଲରେ ପର୍ଯ୍ୟାପ୍ତ ପାଣି ଅଛି । ତେଣୁ ତୃତୀୟ ବୋରୱେଲରୁ ନଦୀକୁ ପାଣି ଛାଡ଼ିବା ପାଇଁ ସେ କହିଛନ୍ତି ।

ବିଦ୍ୟୁତ୍ ଯୋଗାଣକୁ ଦିନକୁ ଛଅ ଘଣ୍ଟାରୁ ୨୪ ଘଣ୍ଟା ବୃଦ୍ଧି କରିବା ପାଇଁ ସେ ଡେପୁଟି କମିଶନରଙ୍କୁ ଅନୁରୋଧ କରିଛନ୍ତି । ଯାହା ଦ୍ୱାରା ସେ ପକ୍ଷୀମାନଙ୍କ ସୁବିଧା ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ବୋରୱେଲ ଚଳାଇ ପାରିବେ ।