Advertisment

କେରଳରେ ଅବିକଳ ଦନ୍ତା ଭଳି ରୋବଟ ହାତୀ, ହଲାଉଛି କାନ-ଲାଞ୍ଜ-ଶୁଣ୍ଢ

ଆକାରରେ ବି ବିଶାଳ, ଭାବଭଙ୍ଗୀରେ ବି ଅବିକଳ ଦନ୍ତା । ରୋବୋଟିକ ହାତୀ କାନ ହଲାଉଛି, ଶୁଣ୍ଢ ବି ଟେକୁଛି ।

ଅଦ୍ୟତନ ହୋଇଛି
Robot Elephant

Robot Elephant

Advertisment

କାନ ହଲାଉଛି, ଲାଞ୍ଜ ହଲାଉଛି, ଶୁଣ୍ଢ ବି ଟେକୁଛି । ଖାଲି ଆକାରରେ ବିଶାଳ ନୁହେଁ, ଭାବଭଙ୍ଗୀରେ ବି ଅବିକଳ ଦନ୍ତା । ଜାଣି ଆଶ୍ଚର୍ଯ୍ୟ ହେବେ, ଆମେ ଅସଲି ହାତୀ କଥା ନୁହେଁ ରୋବୋଟ ହାତୀ କଥା କହୁଛୁ । ରୋବଟ ହାତୀର ନାଁ ରମଣ । ପାଖରୁ ଦେଖିଲେ ବି ଏହା ଯେ ଜୀବନ୍ତ ହାତୀ ନୁହେଁ, ତାହା ଜାଣିବା ମୁସ୍କିଲ। ଦେଶରେ ପ୍ରଥମ ଥର ପାଇଁ କେରଳର ଏକ ମନ୍ଦିରରେ ସ୍ଥାନ ପାଇଛି ଏଭଳି ଯାନ୍ତ୍ରିକ ହାତୀ । କିନ୍ତୁ ପ୍ରଶ୍ନ ଉଠୁଛି କାହିଁକି ? କଣ ଏହାର ଆବଶ୍ୟକତା ?

Advertisment

କଥା ହେଉଛି, କେରଳର ନାଦାୟୀରୁଥାଲ୍ ପର୍ବରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ହାତୀ । ସୁସଜ୍ଜିତ ହାତୀକୁ ଏହି ଉତ୍ସବରେ ସାମିଲ କରିବା ପ୍ରଥା ରହିଛି । ହେଲେ ଏହାକୁ ବିରୋଧ କରିଆସୁଛି ଅନ୍ତର୍ଜାତୀୟ ଜୀବପ୍ରେମୀ ସଂଗଠନ ପେଟା । ସଂଗଠନ ପକ୍ଷରୁ କେରଳରେ ହାତୀକୁ ବନ୍ଦୀ କରି ରଖିବା ଏବଂ ଜୋରଜବରଦସ୍ତ ବିଭିନ୍ନ ପର୍ବରେ ପ୍ରଦର୍ଶନ କରିବାକୁ ମଧ୍ୟ ବିରୋଧ କରାଯାଉଛି ।

ଅଧିକ ପଢ଼ନ୍ତୁ: ହାତୀ ମୃତ୍ୟୁରେ ସବୁ ରେକର୍ଡ ଭାଙ୍ଗିବ କି ଓଡ଼ିଶା ? କିଏ ମାରୁଛି, କେମିତି ମରୁଛନ୍ତି ?

Advertisment

ତେଣୁ ଯେପରି ହାତୀ ଅତ୍ୟାଚାରର ଶିକାର ନହେବ ଏବଂ ଶହ ଶହ ବର୍ଷର ପରଂପରା ମଧ୍ୟ ରକ୍ଷା ହୋଇପାରିବ, ସେଥିପାଇଁ ଏହି ମେସିନ୍ ହାତୀକୁ ପେଟା ପକ୍ଷରୁ କେରଳ ତ୍ରିଶୁର ସ୍ଥିତ ଇରିଞ୍ଜିଦାପ୍ପିଲ୍ଲୀ ଶ୍ରୀକୃଷ୍ଣ ମନ୍ଦିରକୁ ଦାନ କରାଯାଇଛି । ପ୍ରାୟ ୧୧ ଫୁଟ୍ ଉଚ୍ଚ ଓ ୮ କୁଇଣ୍ଟାଲ ଓଜନର ଏହି ମେସିନ୍ ହାତୀ ବିଦ୍ୟୁତ ସାହାଯ୍ୟରେ କାନ, ଲାଞ୍ଜ. ପାଟି, ଆଖି, ମୁଣ୍ଡ ଓ ଶୁଣ୍ଢ ହଲାଇପାରେ । ଗୋଡ଼ ତଳେ ଚକ ଲାଗିଥିବାରୁ ଏହା ଚାଲିବା ଭଳି ମଧ୍ୟ ଦେଖାଯାଏ ।

କେରଳର ବିଭିନ୍ନ ପୂଜା ପାର୍ବଣରେ ହାତୀ ଦ୍ୱାରା ଦେବଦେବୀଙ୍କ ପୂଜାର୍ଚ୍ଚନା ଶହ ଶହ ବର୍ଷର ପରମ୍ପରା। କେରଳବାସୀଙ୍କ ଏ ପରମ୍ପରା କିନ୍ତୁ ହାତୀଙ୍କ ପାଇଁ ନିଷ୍ଠୁରତା ଓ ନିର୍ଯାତନା ବୋଲି ପେଟାର ଦାବି । ବାଦ୍ୟଯନ୍ତ୍ରର ତୀବ୍ର ଶବ୍ଦ ହାତୀକୁ ଖୁବ୍ କଷ୍ଟ ଦେଇଥାଏ। କିଛି ମନ୍ଦିରରେ ହାତୀଗୁଡ଼ିକୁ ଶିକୁଳିରେ ବାନ୍ଧି ବନ୍ଦୀ କରି ରଖାଯାଏ । ଏହି ସମୟରେ ବହୁ ହାତୀ କ୍ଷତାକ୍ତ ହୋଇ କିମ୍ବା ରୋଗର ଶିକାର ହୋଇ ପ୍ରାଣ ହରାଉଥିବା ଅଭିଯୋଗ ହୁଏ। ତାଛଡ଼ା ପୂଜା ପାର୍ବଣରେ ହାତୀଙ୍କୁ ସାମିଲ କରିବା ପାଇଁ କେରଳକୁ ବାହାର ରାଜ୍ୟରୁ ହାତୀ ବେଆଇନ ଚାଲାଣ ହେଉଥିବା ମଧ୍ୟ ଅଭିଯୋଗ ହୁଏ ।

Advertisment

ଏସବୁ ଦୃଷ୍ଟିରୁ ଜୀବନ୍ତ ହାତୀ ପ୍ରତି କ୍ରୁର ନହୋଇ ରୋବଟ୍ ହାତୀକୁ ପୂଜାର୍ଚ୍ଚନାରେ ସାମିଲ କରିବା ପାଇଁ କେରଳର ସବୁ ମନ୍ଦିରକୁ ନିବେଦନ କରିଛି ପେଟା ।

Elephant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ