• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତୀୟ ବାୟୁସେନା ଉପରେ ପଡ଼ିଲା କି ଶନିଦଶା ? ଶନିବାର ଭଳି ଦିନରେ ଶୂନ୍ୟ ଆକାଶରୁ ଗଳିପଡ଼ିଲା ତିନି ତିନିଟି ବିମାନ । ନିଆଁ ପିଣ୍ଡୁଳା ଭଳି ଖସିପଡ଼ିଲା ୨ଟି ଶକ୍ତିଶାଳୀ ଯୁଦ୍ଧ ବିମାନ । ପାଉଁଶ ହୋଇଗଲା ସୁଖୋଇ ଏବଂ ମିରାଜ୍ ।

ସୁଖୋଇ-30ର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ମିରାଜ୍-2000 ବି ଦୁର୍ଘଟଣାଗ୍ରସ୍ତ ହୋଇଛି । ମଧ୍ୟପ୍ରଦେଶର ମୋରେନାରେ ଖସିପଡ଼ି ହୁତ୍‌ହୁତ୍‌ ହୋଇ ଜଳିଯାଇଛି ଦୁଇ ଦୁଇଟି ଲଢୁଆ ବିମାନ । ମିଳୁନି କୌଣସି ଚିହ୍ନବର୍ଣ୍ଣ । କେମିତି ଘଟିଲା ଏତେବଡ଼ ଅଘଟଣ ? ଶୂନ୍ୟ ଆକାଶରେ ଧକ୍କା ଖାଇଗଲେ କି ମିରାଜ୍ ଏବଂ ସୁଖୋଇ ? ସମସ୍ତଙ୍କ ମନରେ ନାନା ଆଶଙ୍କା ଭିତରେ ଆଶ୍ୱସ୍ତିକର ଖବର ହେଉଛି, ସୁଖୋଇ-30ର ପାଇଲଟ୍ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି । କିନ୍ତୁ ପ୍ରାଣ ହରାଇଛନ୍ତି ମିରାଜ୍ ପାଇଲଟ୍ । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଜାରି ରହିଛି ସର୍ଚ୍ଚ ଅପରେସନ୍ ।

ମିଳିଥିବା ସୂଚନା ଅନୁଯାୟୀ, ରୁଷ୍‌ଠୁ କିଣାଯାଇଥିବା ସୁଖୋଇ-30 MKI ଏବଂ ଫ୍ରାନ୍ସରୁ କିଣାଯାଇଥିବା ମିରାଜ୍-2000 ଅଭ୍ୟାସ ପାଇଁ ଆଜି ସକାଳୁ ଗ୍ୱାଲିୟର୍ ଏୟାରବେସ୍‌ରୁ ଉଡ଼ାଣ ଭରିଥିଲେ । ଏହାର କିଛି ସମୟ ପରେ ହଠାତ୍ ଶୂନ୍ୟ ଆକାଶରୁ ଶୁଭିଥିଲା ପ୍ରଚଣ୍ଡ ଶବ୍ଦ । ଆଉ ନିମିଷକ ମଧ୍ୟରେ ନିଆଁ ପିଣ୍ଡୁଳା ଭଳି ମୋରେନା ମାଟି ଉପରେ ଆଗପଛ ହୋଇ ଖସିପଡ଼ିଥିଲା ଏହି ମିରାଜ୍ ଓ ସୁଖୋଇ ।

ଭାରତୀୟ ବାୟୁସେନା ଟୁଇଟ୍ କରି କହିଛି, ରୁଟିନ୍ ଅପରେସନାଲ୍ ଫ୍ଲାଇିଂ ଟ୍ରେନିଂ ମିଶନ ସମୟରେ ଗ୍ୱାଲିୟରରେ ଏହି ଦୁର୍ଘଟଣା ଘଟିଛି। ସୁଖୋଇ-30ରେ ଥିଲେ ୨ ପାଇଲଟ୍ ଏବଂ ମିରାଜ-2000ରେ ଥିଲେ ଜଣେ । ମିରାଜ ପାଇଲଟ ହେଉଛନ୍ତି ୱିଙ୍ଗ କମାଣ୍ଡର ହନୁମନ୍ଥ ରାଓ ସାରଥୀ । ପାହାଡ଼ଗଡ଼ ଅଞ୍ଚଳରୁ ତାଙ୍କ ମୃତଦେହ ମିଳିଥିବାବେଳେ ସୁଖୋଇର ୨ପାଇଲଟ୍ ବିମାନରୁ କୌଶଳକ୍ରମେ ବାହାରିଯାଇ ଆସନ୍ନ ବିପଦରୁ ତ୍ରାହି ପାଇଛନ୍ତି । ଏହି ଦୁର୍ଘଟଣା ବାବଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ କଥା ହୋଇ କ୍ରାସ୍ ବାବଦରେ ସୂଚନା ଦେଇଛନ୍ତି ସିଡିଏସ୍ ଅନୀଲ ଚୌହାନ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିିଂ ଟୁଇଟ୍ କରି ୱିଙ୍ଗ କମାଣ୍ଡର ହନୁମନ୍ଥ ରାଓ ସାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେପଟେ ବାୟୁସେନା ପକ୍ଷରୁ କୋର୍ଟ ଅଫ ଇନ୍‌କ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି ।

ସେହିଭଳି ରାଜସ୍ଥାନ ଭରତପୁରରେ ବି ଦେଖିବାକୁ ମିଳିଛି ଭୟଙ୍କର ଦୃଶ୍ୟ । କ୍ରାସ୍ ହୋଇଯାଇଛି ଭାରତୀୟ ବାୟୁସେନାର ଆଉ ଏକ ବିମାନ । ସକାଳ ପ୍ରାୟ ୧୦ଟାରେ ବିମାନଟି ଖସିପଡ଼ିଥିଲା ଭରତପୁରରେ । ତେବେ କ୍ରାସ୍ ହୋଇଥିବା ବିମାନର ପାଇଲଟ ମୃତ ନା ଜୀବିତ ସେନେଇ ସ୍ପଷ୍ଟ ହୋଇପାରୁନାହିଁ ।

ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣା ନୁଆଁ ନୁହେଁ । ଗତ ଅକ୍ଟୋବରରେ ଅରୁଣାଚଳପ୍ରଦେଶରେ ବାୟୁସେନାର ହେଲିକପ୍ଟର ଦୁର୍ଘଟଣା ଘଟି ୫ ସେନା କର୍ମଚାରୀଙ୍କ ପ୍ରାଣହାନୀ ହୋଇଥିଲା । ସେହିପରି ୨୦୨୧ ଡିସେମ୍ବରରେ ରୁଷ୍ ନିର୍ମିତ MI-17 ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ତତ୍କାଳୀନ ସିଡିଏ୍ ଜେନେରାଲ୍ ବିପିନ ରାୱତ । ଏଭଳି କ୍ରମାଗତ ଦୁର୍ଘଟଣାକୁ ନେଇ ଏବେ ନାନା ଚର୍ଚ୍ଚା ଲାଗିରହିଛି ।