• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ହାଇଦ୍ରାବାଦ୍ ନାବାଳିକା ଗଣଦୁଷ୍କର୍ମ ମାମଲାରେ ୩ ଅଭିଯୁକ୍ତ ଗିରଫ । ମାମଲାର ସମସ୍ତ ୫ ଅଭିଯୁକ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଡିଜିପି ଓ ହାଇଦ୍ରାବାଦ୍ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ୨୮ ତାରିଖରେ ଘଟଣା ଘଟିଥିଲେ ମଧ୍ୟ ଅଭିଯୁକ୍ତମାନେ ପ୍ରଭାବଶାଳୀ ରାଜନେତାଙ୍କ ପୁଅ ହୋଇଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ କରୁନଥିବା ବିଜେପି ଅଭିଯୋଗ ଆଣିବା ସହ ରାଜରାସ୍ତାକୁ ଓହ୍ଲାଇଛି ।

ହାଇଦ୍ରାବାଦ୍ ହରରକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପରେ ତତ୍ପର ହୋଇଛି ତେଲେଙ୍ଗାନା ପୋଲିସ । ଗତ ୨୮ ତାରିଖରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ମାମଲାରେ ୩ ଜଣଙ୍କୁ ଗିରଫ କରିଛି । ସିସିଟିଭି ଫୁଟେଜ୍ ଓ ପୀଡିତାଙ୍କ ବୟାନ ଆଧାରରେ ପୋଲିସ ସମସ୍ତ ୫ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି । ଘଟଣାରେ ରାଜ୍ୟ ଗୃହମନ୍ତ୍ରୀଙ୍କ ନାତି ସଂପୃକ୍ତ ଥିବା ଅଭିଯୋଗକୁ ପୋଲିସ ଖଣ୍ଡନ କରିଛି । ତେଣେ ଅଭିଯୁକ୍ତ ଯିଏ ବି ହୋଇଥାଆନ୍ତୁ ନା କାହିଁକି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ଡିଜିପି ଓ ହାଇଦ୍ରାବାଦ୍ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ।

ସିସିଟିଭିରେ କଏଦ୍ ଘଟଣା ପୂର୍ବର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନାବାଳିକା ଜଣଙ୍କ ଜୁବଲୀ ହିଲ୍ସର ଏକ ପବ୍ ବାହାରେ ଅଭିଯୁକ୍ତଙ୍କ ସହ ଠିଆ ହୋଇଥବା ଦେଖିବାକୁ ମିଳିଛି । ଘରେ ଛାଡି ଦେବାକୁ କହି ଅଭିଯୁକ୍ତମାନେ ୧୭ ବର୍ଷିୟା ନାବାଳିକାକୁ ଏକ ମର୍ସିଜିଡ୍ କାରରେ ନେଇଯିବା ସହ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଅଭିଯୁକ୍ତମାନଙ୍କ ମଧ୍ୟରେ ୩ ଜଣ ନାବାଳକ ଅଛନ୍ତି । ସେମାନେ ଶାସକ ଟିଆରଏସ୍, AIMIM ଓ କଂଗ୍ରେସ ନେତାଙ୍କ ପୁଅ ବୋଲି କୁହାଯାଉଛି । ପ୍ରଭାବଶାଳୀ ରାଜନେତାଙ୍କ ପୁଅ ହୋଇଥିବାରୁ ପୋଲିସ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆଣିଛି ବିଜେପି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ଦାବି କରି ଦଳୀୟ କର୍ମୀ ଗତକାଲି ଜୁବଲ ହିଲ୍ସ ପୋଲିସ ଷ୍ଟେସନ ଆଗରେ ଧାରଣା ଦେଇଥିଲେ ।

ସେହିପରି ଜନସେନା ପାର୍ଟି ପକ୍ଷରୁ ବି ଆଜି ଥାନା ଆଗରେ ବିକ୍ଷୋଭ କରାଯାଇଛି । ନାବାଳିକାଙ୍କ ବାପା ଘଟଣା ସଂପର୍କରେ ଥାନାରେ ଏତଲା ଦେଇଥିଲେ ମଧ୍ୟ ହାଇଦ୍ରାବାଦ୍ ପୋଲିସ ପ୍ରଥମେ ଅସଦାଚରଣ ମାମଲା ଲଗାଇଥିଲା । ମାତ୍ର ଦେଶବ୍ୟାପୀ ପ୍ରତିକ୍ରିୟାକୁ ଦେଖି ପରେ ଏହାକୁ ଦୁଷ୍କର୍ମ ମାମଲାରେ ପରିବର୍ତ୍ତନ କରିଥିବାକୁ ବାଧ୍ୟ ହୋଇଥିଲା ।

ପୂର୍ବରୁ ୨୦୧୯ରେ ହାଇଦ୍ରାବାଦରେ ଘଟିଥିବା ଏକ ଜଘନ୍ୟ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ତେବେ ସମସ୍ତ ୪ ଅଭିଯୁକ୍ତ ଖସି ପଳାଇବାକୁ ଉଦ୍ୟମ କରିଥିବା ଦର୍ଶାଇ ପୋଲିସ ସେମାନଙ୍କୁ ଏନକାଉଣ୍ଟର କରିଥିଲା । ମାତ୍ର ବର୍ତ୍ତମାନର ଘଟଣାରେ ପୋଲିସ କାହିଁକି ସେଭଳି ତତ୍ପରତା ଦେଖାଉନି ତାକୁ ନେଇ ଉଠିଛି ପ୍ରଶ୍ନ ।