• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସବୁ ରାଜ୍ୟରେ ଚାଲିଛି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ । ଓଡ଼ିଶାରେ କ୍ରସ୍‌ ଭୋଟିଂ ହୋଇଥିବା ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ତାମିଲନାଡ଼ୁ ଘଟଣା ମଧ୍ୟ ଏବେ ଚର୍ଚ୍ଚାରେ ରହିଛି । ଗୋଟିଏ ଭୋଟ କେତେ ଯେ ମୂଲ୍ୟବାନ, ତାହା ଆଜି ଜଳ ଜଳ ହୋଇ ଦିଶୁଛି । ତାମିଲନାଡ଼ୁର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ପନୀରସେଲଭମ୍‌ କୋଭିଡ୍‌ ଆକ୍ରାନ୍ତ ଥାଇ ମଧ୍ୟ ମେଡିକାଲ ବେଡ୍‌ରୁ ଉଠି ଆସି ନିଜ ଭୋଟ ଦାନ କରିଛନ୍ତି । ସେ ନିଜେ ପିପିଇ କିଟ୍‌ ପିନ୍ଧି ସବୁ ପ୍ରକାର ପ୍ରିକସନ୍‌ ଗ୍ରହଣ କରି, ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଧାନସଭାରେ ନିଜର ମତ ସାବ୍ୟସ୍ତ କରିଛନ୍ତି । ଯାହାକୁ ଦେଖି ସମସ୍ତେ ଚକିତ ।

ତେବେ ସବୁଠାରୁ ବଡ଼ କଥା ହେଲା, ତାମିଲନାଡ଼ୁରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବା ବେଳେ ବିଧାନସଭାରେ ସମସ୍ତେ ପିପିଇ କିଟ୍‌ ପିନ୍ଧି ବସିଥିଲେ । ଭୋଟିଂ ଦାୟିତ୍ୱରେ ଥିବା ସମସ୍ତ କର୍ମଚାରୀ ମଧ୍ୟ ପିପିଇ କିଟ୍‌ ପିନ୍ଧିଥିଲେ । କରୋନା ଯେଭଳି ନିଜର କାୟା ବିସ୍ତାର କରିନପାରିବ ସେଥିପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା ।

 

 

ଅନ୍ୟପଟେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଓଡ଼ିଶା କଂଗ୍ରେସରେ ଫାଟ ସୃଷ୍ଟି ହୋଇଛି । ଦଳର ନିର୍ଦ୍ଦେଶକୁ ଅମାନ୍ୟ କରି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ NDAର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି । ବିଧାନସଭାର ୫୪ ନମ୍ବର କକ୍ଷରେ ହୋଇଥିବା ବୁଥ୍‌ରେ ମୋକିମ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ନିଜର ବିବେକ ଅନୁସାରେ ମାଟିର ଝିଅ ଦ୍ରୌପଦୀଙ୍କୁ ଭୋଟ୍ ଦେଇଥିବା ସେ କହିଛନ୍ତି ।

ଏଥର ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଶାଠୁ ଆରମ୍ଭ କରି ଉତ୍ତରପ୍ରଦେଶ ଭଳି ଅନେକ ରାଜ୍ୟରେ କ୍ରସ୍ ଭୋଟିଂ ହୋଇଥିବା ଜଣାପଡ଼ିଛି । ୟୁପିର ବରେଲିର ସମାଜବାଦୀ ପାର୍ଟି ବିଧାୟକ ଶହଜୀଲ ଦ୍ରୌପଦିଙ୍କୁ ଭୋଟ୍ କରିଛନ୍ତି । ଶହଜିଲ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଅସିଥିଲେ। ଏହା ପରେ ତାଙ୍କ ସମ୍ପତ୍ତି ଉପରେ ବୁଲଡୋଜର ଚଢ଼ାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ସେହିପରି ଗୁଜରାଟରେ ଏନସିପି, ଆସାମରେ କଂଗ୍ରେସ ବିଧାୟକ କ୍ରସ୍ ଭୋଟିଂ କରିଛନ୍ତି । ଆସାମରେ ୨୦ରୁ ଅଧିକ କଂଗ୍ରେସ ବିଧାୟକ କ୍ରସ୍ ଭୋଟିଂ କରିଥିବା ଏଆଇୟୁଡିଏଫ୍ ବିଧାୟକ ଦାବି କରିଛନ୍ତି ।