• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେଉଁ ପରିସ୍ଥିତିରେ ଦୁର୍ଘଟଣାର ଶିକାର ହେଲା ସିଡିଏସ ଜେନରାଲ ବିପିନ ରାଓ୍ୱତଙ୍କୁ ନେଇ ଯାଉଥିବା ବାୟୁସେନାର ଅତ୍ୟାଧୁନିକ MI 17 V5 ହେଲିକପ୍ଟର ? ଏହି ଦୁର୍ଘଟଣାର ୨୪ ଘଣ୍ଟା ପରେ ବି ଏହାର କାରଣ ସମ୍ପର୍କରେ ସେଭଳି ଠୋସ୍ ଆକଳନ କରାଯାଇପାରିନି । ଖରାପ ପାଗ କିମ୍ବା ଯାନ୍ତ୍ରିକ ତ୍ରୁଟି ଦୁର୍ଘଟଣା ପଛର କାରଣ ହୋଇଥିବା ନେଇ ଅନୁମାନ କରାଯାଉଥିଲେ ବି ପ୍ରକୃତ ରହସ୍ୟ ଉନ୍ମୋଚନ ପାଇଁ ତଦନ୍ତ କରୁଛି ବାୟୁସେନା ।

ସିଡିଏସ୍ ବିପିନ୍ ରାଓ୍ୱତଙ୍କ ସମେତ ୧୪ ଜଣଙ୍କୁ ନେଇ ଯାଉଥିବା ବାୟୁସେନାର MI 17 V5 ହେଲିକପ୍ଟର, କ୍ରାସ୍‌ର ମାତ୍ର କେଇ ମୁହୂର୍ତ୍ତ ପୂର୍ବର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ତାମିଲନାଡ଼ୁର କୁନ୍ନୁର ଅଞ୍ଚଳରେ ଉଡୁଥିବା ହେଲିକପ୍ଟରଟି ହଠାତ ମଝି ଆକାଶରେ ଅଦୃଶ୍ୟ ହେବାର କିଛି ସମୟ ପରେ ସ୍ଥାନୀୟ ଜଙ୍ଗଲ ଭିତରେ ହୁତୁହୁତୁ ଜଳି ଉଠିଥିଲା ଏହାର ଖଣ୍ଡ ବିଖଣ୍ଡିତ ଅଂଶ ।

ତେବେ ସିଡିଏସ୍‌କୁ ନେଇଯାଉଥିବା ବାୟୁସେନାର ଏ ଅତ୍ୟାଧୁନିକ ଚପର୍‌ଟି କେଉଁ ପରିସ୍ଥିତିରେ ଏଭଳି ଭୟଙ୍କର ଦୁର୍ଘଟଣାର ସାମ୍ନା କଲା ? ଦୁର୍ଘଟଣାର ୨୪ ଘଣ୍ଟା ପରେ ବି ସେନେଇ କୌଣସି ଆକଳନ କରାଯାଇପାରିନି । ଦୁର୍ଘଟଣା ପଛରେ ଯାନ୍ତ୍ରିକ ତ୍ରୁଟି, ଖରାପ ପାଗ ନା ଆଉ କିଛି କାରଣ ରହିଛି ? ସମସ୍ତ ଦିଗ ଉପରେ ତଦନ୍ତ କରୁଛି ବାୟୁସେନା । ଏୟାର ଚିଫ୍ ମାର୍ଶାଲ ଭିଆର ଚୌଧୁରୀ ଓ ତାମିଲନାଡୁର ଡିଜିପି ଆଜି ଦୁର୍ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଛନ୍ତି ।

ଏହାସହ ଆଜି ନୀଳଗିରି ହିଲ୍‌ସରୁ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ବ୍ଲାକ୍ ବକ୍ସ ଉଦ୍ଧାର ହୋଇଛି । ଏପଟେ ସିଡିଏସ୍‌ଙ୍କ ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ ସଂସଦରେ ବିସ୍ତୃତ ତଥ୍ୟ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ଏଣେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତଙ୍କ ଅକାଳ ବିୟୋଗ ପରେ ସ୍ତବ୍ଧ ହୋଇଯାଇଛି ପୁରା ଦେଶ । ଆସନ୍ତାକାଲି ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଜେନେରାଲ ରାଓ୍ୱତଙ୍କ ସହ ଅନ୍ୟମାନଙ୍କ ଶେଷକୃତ୍ୟ କରାଯିବ । ତା ପୂର୍ବରୁ ଆଜି ତାମିଲନାଡୁର ନୀଳଗିରି ଜିଲ୍ଲା ମାଡ୍ରାସ ରେଜିମେଣ୍ଟାଲ ସେଣ୍ଟରକୁ ଅଣାଯାଇଥିଲା ଜେନେରାଲ ବିପିନ ରାଓ୍ୱତଙ୍କ ସହ ଅନ୍ୟ ୧୨ ଜଣଙ୍କ ପାର୍ଥିବ ଶରୀର । ସେଠାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ବକ୍ତି ଦିବଂଗତମାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ସେଠାରୁ ଏକ ଶୋଭାଯାତ୍ରାରେ ସୁଲୁର ବାୟୁସେନା ଘାଟି ଅଭିମୁଖେ ଅଣାଯାଇଥିଲା ସମସ୍ତଙ୍କ ମରଶରୀର । ଏହି ଅବସରରେ ବିଭିନ୍ନ ସ୍ଥାନରେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ରାସ୍ତାରେ ରୁଣ୍ଡ ହୋଇଥିଲେ । ହଜାର ହଜାର ଲୋକେ ଜେନରାଲ ରାଓ୍ୱତ, ତାଙ୍କ ପତ୍ନୀ ଓ ଅନ୍ୟମାନଙ୍କ ପାର୍ଥିବ ଶରୀର ଧରି ଆସୁଥିବା ଆମ୍ବୁଲାନ୍ସ ଉପରେ ଫୁଲହାର ଦେଇ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ସୁଲୁର ଏୟାର ଫୋର୍ସ ଷ୍ଟେସନରୁ ବାୟୁସେନାର C-130J ସୁପର ହରକୁଲେସ ବିମାନରେ ସମସ୍ତଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀ ଅଣାଯାଇଛି । ଆସନ୍ତାକାଲି ଜେନେରାଲ ରାଓ୍ୱତଙ୍କ ବାସଭବନକୁ ନିଆଯିବ ତାଙ୍କ ପାର୍ଥିବ ଶରୀର । ସେଠାରେ ଅନ୍ତିମ ଦର୍ଶନ ଲାଗି ରଖାଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହେବ ।

ଏପଟେ ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ଥିବା ଏବଂ ଅଧିକାଂଶଙ୍କ ଶରୀର ଜଳିଯାଇଥିବାରୁ ସେଗୁଡ଼ିକୁ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଛି । ତେବେ ଜେନରାଲ ରାଓ୍ୱତ, ତାଙ୍କ ପତ୍ନୀ, ବ୍ରିଗେଡିୟର ଏଲ୍.ଏସ୍. ଲିଡରଙ୍କ ମରଶରୀରକୁ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି । ଏଣେ ଏହି ଭୟଙ୍କର ଦୁର୍ଘଟଣାରୁ ଏକମାତ୍ର ଜୀବିତ ଥିବା ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ଲାଗି ତାମିଲନାଡୁର ୱେଲିଂଟନସ୍ଥିତ ସେନା ହସ୍ପିଟାଲରୁ ବେଙ୍ଗଳୁରୁ ସ୍ଥାନ୍ତାନ୍ତର କରାଯାଇଛି ।