• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନୋମିନି ରଖିଲେନି ବୋଲି ମାରିଦେଲା । ନିଜେ ବେକାର ଥିଲା କିନ୍ତୁ ଅଫିସର ସ୍ତ୍ରୀକୁ ମାରିଦେଲା । କେବଳ ଏତିକି ନୁହେଁ, ପ୍ରମାଣ ନଷ୍ଟ କରିବାକୁ ଯାଇ ଦୁନିଆ ମିଛସତ କହି ପୋଲିସକୁ ଭୁତାଇବାକୁ ଚେଷ୍ଟା କରୁଥିଲା । କିନ୍ତୁ ଶେଷରେ ଧରା ପଡ଼ିଲା । ଏପରି ଘଟଣା ଘଟିଛି ମଧ୍ୟ ପ୍ରଦେଶରେ ।

ସ୍ତ୍ରୀଙ୍କର ଟ୍ରାନ୍ସଫର୍ ହୋଇଯାଇଥିଲା । ଏହାକୁ ନେଇ ଗତ କିଛିଦିନ ହେବ ଅବସାଦଗ୍ରସ୍ତ ରହୁଥିଲା ବେକାର ସ୍ୱାମୀ । ପତ୍ନୀ ନିଶା ନାପିତ୍ ଥିଲେ ପ୍ରଶାସନିକ ଅଧିକାରୀ । ଗତ କିଛିଦିନ ହେବ ତାଙ୍କର ଦିନ୍ଦୋରି ଜିଲ୍ଲାରେ ଥିବା ସାହପୁରାକୁ ଟ୍ରାନ୍ସଫର ହୋଇ ଯାଇଥିଲା । ଏହା ତାଙ୍କର ସ୍ୱାମୀଙ୍କୁ ପସନ୍ଦ ନଥିଲା ।

ଏହା ସହ ନିଜ ବ୍ୟାଙ୍କ ପାସବୁକ, ଇନସୁରାନ୍ସ ଓ ସର୍ଭିସ ବୁକରେ ଥିବା ନୋମିନିରେ ସ୍ୱାମୀଙ୍କ ନାଁ ଲେଖି ନଥିଲେ ପତ୍ନୀ । ଏହା ନିଆଁ ଉପରେ ଘିଅ ଢ଼ାଳିବା ଭଳି କାମ କରିଥିଲା । ଏଣୁ ପତ୍ନୀଙ୍କୁ ମାରି ଦେଇଥିଲା ସୈତାନ ସ୍ୱାମୀ । ପ୍ରଥମେ ତକିଆ ଦ୍ୱାରା ହତ୍ୟା କଲା... ପରେ ପ୍ରମାଣ ନଷ୍ଟ ପାଇଁ ରକ୍ତ ଜୁଡ଼ୁବୁଡ଼ୁ ତକିଆ ଖୋଳ ଓ ବେଡସିଟକୁ ୱାଶିଂ ମେସିନରେ ପକାଇଥିଲା ।

ପୋଲିସ ଖୋଳତାଡ଼ କରିବା ସମୟରେ ଏହି ତକିଆ ଖୋଳ ଓ ବେଡସିଟ ପାଇଥିଲା । ଏହା ପରେ ଅଭିଯୁକ୍ତ ସ୍ୱାମୀ ସତ କଣ ବଖାଣିଥିଲା । ଅନ୍ୟପଟେ ମୃତକଙ୍କ ଭଉଣୀ ତାଙ୍କୁ ହତ୍ୟା କରା ଯାଇଥିବାର ଅଭିଯୋଗ କରିଥିଲେ । ଟଙ୍କା ପାଇଁ ତାଙ୍କ ସ୍ୱାମୀ ସବୁବେଳେ ତାଙ୍କୁ ନିର୍ଯ୍ୟାତନା ଦେଉଥିବା କଥା କହିଥିଲେ ମୃତ ପତ୍ନୀଙ୍କ ଭଉଣୀ ।

ମାମଲାର ସତ୍ୟାସାତ୍ୟ ଯାଞ୍ଚ ପରେ ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି ନେଇଛି ଏବଂ ତାଙ୍କ ବିରୋଧରେ ଆଇପିସିର ଧାରା ୩୦୨, ୩୦୪ (ବି) ଏବଂ ୨୦୧ ଅନୁଯାୟୀ ମାମଲା ରୁଜୁ ହୋଇଛି । ସୂଚନାଯୋଗ୍ୟ ନିଶା ନାପିତ୍ ଓ ମନୀଷ ଶର୍ମା ଗତ ୨୦୨୦ ରେ ବିବାହ କରିଥିଲେ ।

ମୃତ୍ୟୁକୁ ସାଧାରଣ ଦର୍ଶାଇବାକୁ ଯାଇ ଗତ ରବିବାର ଦିନ ସ୍ୱାମୀ ତାଙ୍କୁ ହସ୍ପିଟାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ୱାମୀ କହିଥିଲେ ଯେ, ପତ୍ନୀଙ୍କୁ କିଡନୀଜନିତ ରୋଗ ଥିଲା । କିନ୍ତୁ ଏହାକୁ ନିଶାଙ୍କ ଭଉଣୀ ରୋକଠୋକ ମନା କରିଦେଇଥିଲେ । ତାଙ୍କ ଭଉଣୀଙ୍କର କୌଣସି ରୋଗ ନଥିଲା ବୋଲି ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । ଏହା ସହ ତାଙ୍କ ଭଉଣୀଙ୍କୁ ହତ୍ୟା କରାଯାଇଛି ବୋଲି ମଧ୍ୟ କହିଥିଲେ ।

ଅନ୍ୟପଟେ ତାଙ୍କର କିଡନୀ ରୋଗ ଥିଲା ଓ ସେ ଗତ ଶନିବାର ଦିନ ଉପବାସ କରିବା ସହ କିଛି ମେଡ଼ିସିନ ଖାଇଥିଲେ ବୋଲି ଅଭିଯୁକ୍ତ ଜଣକ ପୋଲିସକୁ କହିଥିଲେ । ଫଳରେ ପୋଲିସର ସନ୍ଦେହ ଘନୀଭୂତ ହୋଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ, ସାକ୍ଷୀଙ୍କ ବିବୃତ୍ତି ଏବଂ ତଦନ୍ତ ଆଧାରରେ ପୋଲିସ ସ୍ୱାମୀଙ୍କୁ ଗିରଫ କରି ନେଇଥିଲା ।