• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଛତିଶଗଡ଼ର ରାୟପୁର ବିମାନବନ୍ଦରରେ ହେଲିକପ୍ଟର ଦୁର୍ଘଟଣା । ଏକ ଟ୍ରେନିଂ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ୨ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି । ମୃତ ପାଇଲଟ୍ ଦୁଇ ଜଣ ହେଲେ କ୍ୟାପଟେନ୍ ଗୋପାଳକୃଷ୍ଣ ପଣ୍ଡା ଏବଂ ଏ.ପି.ଶ୍ରୀବାସ୍ତବ ।

ରାୟପୁର ବିମାନବନ୍ଦରରରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ମୃତ ଦୁଇ ପାଇଲଟଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଓଡିଆ । ମୃତ ପାଇଲଟ୍ କ୍ୟାପଟେନ୍ ଗୋପାଳକୃଷ୍ଣ ପଣ୍ଡାଙ୍କ ଘର ହେଉଛି ସମ୍ବଲପୁର ଜିଲ୍ଲା ବାହାମ ଗାଁରେ । ଏ ଖବର ଜଣାପଡିବା ପରେ  ସମ୍ବଲପୁରର ହୀରାକୁଦ କଲୋନୀରେ ରହୁଥିବା ସମ୍ପର୍କୀୟଙ୍କ ଘରେ ଶୋକର ଲହରୀ ଖେଳିଯାଇଛି । ତାଙ୍କ ଗାଁରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

କ୍ୟାପଟେନ୍ ଗୋପାଳକୃଷ୍ଣ ପଣ୍ଡା ବରିଷ୍ଠ ପାଇଲଟ୍ ଭାବେ ଛତିଶଗଡ ସରକାରରେ କାର୍ଯ୍ୟରତ ଥିଲେ । ସେ ଜଣେ ଅଭିଜ୍ଞ ପାଇଲଟ୍ ଭାବେ ପରିଚିତ ଥିଲେ ।ତାଙ୍କର ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି । ଆଜି ରାୟପୁରରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ କ୍ୟାପଟେନ୍ ପଣ୍ଡାଙ୍କ ଅନ୍ତିମ ସଂସ୍କାର କରାଯିବ।

ସେହିପରି ଦୁର୍ଘଟଣାରେ ମୃତ ଅନ୍ୟ ପାଇଲଟ୍ ଏ.ପି. ଶ୍ରୀବାସ୍ତବଙ୍କ ମୃତଦେହ ତାଙ୍କ ପୈତୃକ ସହର ଦିଲ୍ଲୀକୁ ପଠାଯିବ ବୋଲି ଜଣାପଡିଛି । ଗତକାଲି ରାତି ପ୍ରାୟ ୯ଟା ବେଳେ ରାୟପୁରର ସ୍ୱାମୀ ବିବେକାନନ୍ଦ ଏୟାରପୋର୍ଟରେ ଏକ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲା । ହେଲିକପ୍ଟରଟି ଅବତରଣ ବେଳେ ଏଥିରେ ନିଆଁ ଲାଗିଯିବାରୁ କ୍ରାସ ହୋଇଥିବା କୁହାଯାଉଛି । କ୍ରାସ ବେଳେ ବିମାନବନ୍ଦରରେ ବ଼ଡ ଧରଣର ବିସ୍ଫୋରଣ ଶବ୍ଦ ହୋଇଥିଲା । ଏହାକୁ ନେଇ ସେଠାରେ ଥିବା ବିମାନଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।

ଦୁର୍ଘଟଣାରେ ଗୁରୁତର ଦୁଇ ପାଇଲଟଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା । ତେବେ ବାଟରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ସେପଟେ ଛତିଶଗଡ ସରକାର ଦୁର୍ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରିଛନ୍ତି । ଏହାବ୍ୟତୀତ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଏକ ଟିମ୍ ମଧ୍ୟ ଘଟଣାର ଯାଞ୍ଚ କରିବ ।