• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କେରଳରେ ବର୍ଷା ବିତ୍ପାତ । ଗତ ତିନି ଦିନ ଧରି ଲଗାଣ ବର୍ଷା ଫଳରେ ମୁଣ୍ଡକାୟମ, ଏରାତୁପେଟା ଓ କୁଟିକାଲ୍ ସହରରେ ପାଣି ଜମି ରହି ବନ୍ୟା ପରିସ୍ଥିତି ଦେଖାଦେଇଛି । ଏରୁନପେଟା ସହରରେ ଅଣ୍ଟାଏ ଉଚ୍ଚର ପାଣି ଚାଲିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟତା ଯୋଗୁଁ କେରଳର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି ।

ବର୍ଷା ଯୋଗୁଁ ପ୍ରାୟ ୫ଟି ଘର ସଂପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ୫୫ଟି ଘର ଆଂଶିକ ଭୁଶୁଡ଼ି ପଡ଼ିଛି । ଏଥିରେ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ନିଖୋଜ ଅଛନ୍ତି । ସରକାରଙ୍କ ପକ୍ଷରୁ ଏହି ତିନୋଟି ସହରରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ଆଜି ପାଇଁ ଥିରୁବନନ୍ତପୁରମ, କୋଲମ, ପଥନମଥିତା, ଇଡୁକି, ଆଲପୁଝା, କୋଟ୍ଟାୟାମ ଓ ଏର୍ଣ୍ଣାକୁଲମ ଜିଲ୍ଲାରେ ସ୍କୁଲ ଗୁଡ଼ିକୁ ବନ୍ଦ ଘୋଷଣା କରାଯାଇଛି ।

ସେହିପରି ବନ୍ୟାକୁ ନଜରରେ ରଖି ରାଜ୍ୟରେ ୭ଟି ରିଲିଫ କ୍ୟାମ୍ପ କରାଯାଇଛି । ଇଡୁକି, କୋଝିକୋଡେ, ୱେୟନାଡ୍ ଓ ଥ୍ରୀସୁରେଏନ୍‌ଡିଆରଏଫ୍ ଟିମ୍ ମୁତୟନ କରାଯାଇଛି । ଏହାସହ ଭାରତୀୟ ସେନା, ବାୟୁସେନା, ସିଆରପିଏଫ୍, ବିଏସ୍ଏଫ୍, କୋଷ୍ଟଗାର୍ଡ ଓ ଆଇଟିବିପି ମଧ୍ୟ ନିଜ ଆଡୁ ସହାୟତା ଦେବାକୁ ଘୋଷଣା କରିଛନ୍ତି ।

ସେପଟେ ଆସାମରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି । ବର୍ଷା ପ୍ରଭାବରେ ଲଖିମପୁର ଜିଲ୍ଲାର ଧାକୁଖାନା ଅଞ୍ଚଳରେ ବନ୍ୟା ଆସିଛି । ଜିଆଧଲ ନଦୀରେ ବନ୍ୟା ଯୋଗୁଁ ଜିଲ୍ଲାର ଅନେକ ଗାଁ ଜଳମଗ୍ନ ହୋଇଛି । ତଳିଆ ଅଞ୍ଚଳରେ ଘର ଭିତରେ ପାଣି ପଶିଯିବାରୁ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।