/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692029925.jpg)
Weather News, Land Slide
ପ୍ରଳୟ ରଚୁଛି ବାଦଲଫଟା ବର୍ଷା। ଲଗାତର ବର୍ଷି ଚାଲିଛି । ପାହାଡ଼ରୁ ମାଡ଼ି ଆସୁଛି ପ୍ରବଳ ବେଗରେ ପାଣିର ସୁଅ। ସାମ୍ନାରେ ଯାହା ଆସିଲା ଭସାଇ ନେଉଛି ଉଜାଡି ଦେଉଛି । ତା ସାଙ୍ଗକୁ ଘନ ଘନ ଭୂସ୍ଖଳନ । ପାହାଡ଼ିଆ ରାଜ୍ୟ ହିମାଚଳର ସ୍ଥିତି ଜଟିଳ। ଆମେ କହୁଛୁ ସୋଲନ ଜିଲ୍ଲା ଜାଡୋନ ଗାଁର ଦୃଶ୍ୟ । ବାଦଲଫଟା ବର୍ଷା ସବୁ ଛାରଖାର କରିଦେଇଛି । ମାଟି ଅତଡ଼ା ତଳେ ପୋତି ହୋଇ ରହିଛି ଘର ଓ ଆସବାବପତ୍ର ।
ସେପଟେ ଭୂସ୍ଖଳନରେ ସଂପୂର୍ଣ୍ଣ ଧରାଶାୟୀ ହୋଇଛି ସିମଲା ସମର ହିଲ୍ ନିକଟ ଶିବ ମନ୍ଦିର। ଭୟଙ୍କର ଭୂସ୍ଖଳନରେ ଏଯାଏଁ ୯ ଜଣଙ୍କ ଜୀବନ ଗଲାଣି । ଆହୁରି ଅନେକ ମାଟି ତଳେ ଦବି ରହିଥିବା ଆଶଙ୍କାରେ SDRF, ଅଗ୍ନିଶମ ଓ ବୈଷୟିକ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବର୍ଷା ଯୋଗୁଁ ବ୍ୟାସ ନଦୀରେ ଆସିଥିବା ବନ୍ୟା ଭସାଇ ନେଇଛି ତଳି ଅଂଚଳକୁ ।
ମଣ୍ଡି ଜିଲ୍ଲାର ଅନେକ ଅଂଚଳରେ ତୁହାକୁ ତୁହା ଭୂସ୍ଖଳନ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ପଠାନକୋଟ ରାସ୍ତାରେ ବନ୍ଦ ରହିଛି ଗାଡି ଚଳାଚଳ। ସମଲ ହିଲ୍ ଷ୍ଟେସନ ନିକଟରେ କାଲକା-ସିମଲା ରେଳଲାଇନ୍ ଧୋଇଯାଇଛି। ଏଭଳି ସ୍ଥିତିରେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଲଗାଣ ବର୍ଷା ବିପତ୍ତି ଆଣିଛି ଉତ୍ତରାଖଣ୍ଡରେ। ସ୍ଥିତି ଅସମ୍ଭାଳ ହେଲାଣି । ଚାହୁଁ ଚାହୁଁ ଭୁଶୁଡ଼ିପଡୁଛି ଡେରାଡୁନର ନଦୀ କୂଳରେ ଥିବା ଡୁନ୍ ଡିଫେନ୍ସ କଲେଜ ବିଲ୍ଡିଂ । ପାଣିର ପ୍ରଖର ସ୍ରୋତରେ କୂଳ ଖାଇଯିବା ପରେ ମାଟିରେ ମିଶିଯାଇଛି କୋଠା । ମନ୍ଦାକିନୀ ନଦୀର ଜଳସ୍ତର ବିପଦ ସଙ୍କେତ ଟପିଛି। ରାସ୍ତା, ଘରଦ୍ୱାର ସବୁଆଡେ ମାଡିଯାଇଛି ବନ୍ୟା ପାଣି । ସୁଅ ଏତେ ପ୍ରଖର ଯେ, ଆଗକୁ ବଢିପାରୁନି କାର୍। ରିଷିକେଶରେ ଗଙ୍ଗାନଦୀର ଜଳସ୍ତର ବଢି ବ୍ୟାପକ କ୍ଷୟକ୍ଷତି କରିଛି। ଆମବାଗ ଅଞ୍ଚଳରେ ପାଣିରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିଛନ୍ତି SDRF ଟିମ୍।
ବିପତ୍ତି ବଢୁଥିବା ବେଳେ ଚିନ୍ତା ବଢାଇଛି ପାଣିପାଗ ବିଭାଗର ଆକଳନ। ହିମାଚଳର ବିଳାଶପୁର, ହମିରପୁର, କାଙ୍ଗ୍ରା, କୁଲୁ ଏବଂ ମଣ୍ଡିରେ ଆହୁରି କିଛି ଘଣ୍ଟା ମୂଷଳ ଧାରାରେ ବର୍ଷା ହେବା ନେଇ ସତର୍କ କରାଯାଇଛି। ସେହିପରି ଉତ୍ତରାଖଣ୍ଡର ୬ଟି ଜିଲ୍ଲାକୁ ଜାରି ହୋଇଛି ରେଡ ଆଲର୍ଟ, ଫଳରେ ସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)