• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗତ କିଛିଦିନ ତଳେ ପାଣି ବିନା ହନ୍ତସନ୍ତ ହେଉଥିବା ବେଙ୍ଗାଲୁରୁ ଆଜି ପାଣି ବହୁଳ ପାଲଟିଛି । ପ୍ରବଳ ବର୍ଷା ଫଳରେ ବେଙ୍ଗାଲୁରୁର ରାସ୍ତାଘାଟ ସବୁ ବୁଡ଼ି ଯାଇଛି । ଗତ ସୋମବାର ଦିନ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହୋଇଥିଲା । ଫଳରେ ରାସ୍ତାରେ ଟ୍ରାଫିକ ସମସ୍ୟା ଉପୁଜିବା ସହ ପୂରା ସହର ପାଣି ପାଣି ହୋଇଯାଇଥିଲା ।

ଗତକାଲି ଅପରାହ୍ନରୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଲାଗି ରହିଥିବା ଏହି ବର୍ଷା ଫଳରେ ସହରର ଅଧିକାଂଶ ଜାଗାରେ ଆଣ୍ଠୁଏ ଉପରେ ପାଣି ଜମି ରହିଥିଲା । ଗତ କିଛିଦିନ ତଳେ ବେଙ୍ଗାଲୁରୁର ପାଣି ସମସ୍ୟା ସମସ୍ତଙ୍କୁ ଚିନ୍ତାରେ ପକାଇଥିଲା । ସିଟି ଅଫ ଲେକ୍ସ ଭାବେ ପରିଚିତ ଥିବା ବେଙ୍ଗାଲୁରୁର ଜଳ ସଂକଟ ଚରମ ସୀମାରେ ପହଞ୍ଚିଥିଲା । ଏହାକୁ ନେଇ ସାରା ଦେଶରେ ମଧ୍ୟ ଚର୍ଚ୍ଚା ହୋଇଥିଲା।

ସ୍ଥିତି ଏପରି ହୋଇଥିଲା ଯେ, ସ୍କୁଲ-କୋଚିଂ ସେଣ୍ଟର ବନ୍ଦ ହୋଇଯାଇଥିଲା । ଅଧିକାଂଶ ଅଫିସ୍ ୱାର୍କ ଫ୍ରମ୍ ହୋମ୍ କରିଦିଆଯାଇଥିଲା। କାର୍ ଧୋଇବା, ଉଦ୍ୟାନ, ନିର୍ମାଣ କାମରେ ପାନୀୟ ଜଳ ବ୍ୟବହାର କରିବାକୁ ମନା ଥିଲା । ୱାଟର ଫାଉଣ୍ଟେନ, ରାସ୍ତା ନିର୍ମାଣ କାମରେ ବି ପାଣି ବ୍ୟବହାର କରାଯାଉନଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତି ଭିନ୍ନ ହୋଇଯାଇଛି । ପ୍ରବଳ ବର୍ଷା ଫଳରେ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ ରହିଛି ।

ଫଳରେ ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ସମସ୍ୟା ଭୋଗିଛନ୍ତି । ପାଣି ପାଇଁ ଅଧିକ ପ୍ରଭାବିତ ହୋଇଥିବା ଅଞ୍ଚଳ ମଧ୍ୟରେ କୋରାମଙ୍ଗାଲା, ଏମଜି ରୋଡ୍, ଇନ୍ଦିରାନଗର ଏବଂ ହ୍ୱାଇଟ୍ ଫିଲ୍ଡ ରହିଛି । ପ୍ରବଳ ବର୍ଷା ଫଳରେ ସ୍ଥାନେ ସ୍ଥାନେ ଗଛ ମଧ୍ୟ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା । ଟ୍ରାଫିକ ସମସ୍ୟା ସହ ପ୍ରବଳ ବର୍ଷା ପାଇଁ ସହରର ବିଭିନ୍ନ ସ୍ଥାନରେ ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ ରହିଥିଲା ।

ଏହାକୁ ନେଇ ସୋସିଆଲ ମିଡିଆ ସାଇଟ X ରେ ଅସନ୍ତୋଷ ଝାଡ଼ିଛନ୍ତି ୟୁଜର୍ସ । ଏହାର ଉତ୍ତରରେ କୁହାଯାଇଛି ଯେ, ବର୍ଷା ପାଇଁ ୩୩ଟି ସ୍ଥାନରେ ଜଳବନ୍ଦୀ ହେବା ସହ ୧୬ଟି ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିଲା । ଜନସାଧାରଣ ସହଯୋଗ କରିବାକୁ ଅନୁରୋଧ କରାଯାଉଛି । ମାତ୍ର କିଛି ଦିନ ତଳେ ପାଣିର ଘୋର ଅଭାବ ଦେଖାଦେଇଥିଲା । ସ୍ଥିତି ଏପରି ହୋଇଥିଲା ଯେ, ପାଣି ଅମୂଲ ମୂଲ ପାଲଟିଯାଇଥିଲା । ଏପରିକି ନିତ୍ୟକର୍ମ ସାରିବାକୁ ଲୋକଙ୍କୁ ମଲ୍ ଯିବାକୁ ପଡୁଥିଲା।

ଚାରି ପାଞ୍ଚ ଦିନରେ ଥରେ ଲୋକେ ଗାଧୋଉଥିଲେ । ଲୋକଙ୍କୁ କେବଳ ଟ୍ୟାଙ୍କର୍ ଯୋଗେ ପାଣି ଯୋଗାଉଥିଲା ପ୍ରଶାସନ । କେଉଁଠି ସପ୍ତାହରେ ଥରେ ଲୋକଙ୍କୁ ୨ ଘଣ୍ଟା ଲାଗି ପାଣି ଯୋଗା ଯାଉଥିଲା ତ କେଉଁଠି ରୋଷେଇ, ଗାଧୁଆ ଓ ଶୌଚ ପାଇଁ ବି ପାଣିର ଅଭାବ ଥିଲା । ଏପରି ସ୍ଥଳରେ ବେଙ୍ଗାଲୁରୁରେ ଏ ବର୍ଷା ବିତ୍ପାତ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶାକୁ କମାଇ ପାରିନାହିଁ ।