• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଶାଖାପାଟଣା: ବଙ୍ଗୋପ ସାଗରରେ ଲଘୁଚାପ । ଯାହାର ପ୍ରଭାବରେ ଆନ୍ଧ୍ରରେ ଅତି ପ୍ରବଳ ବର୍ଷା । ରାଜ୍ୟରେ ଗଲା ଦୁଇ ଦିନ ଧରି ଲାଗି ରହିଛି ବର୍ଷା ବିତ୍ପାତ । ଯାହାଫଳରେ ଏଯାଏଁ ୩ ଜଣଙ୍କ ମୃତ୍ୟୁ ହେବା ଖବର ସାମ୍ନାକୁ ଆସିଛି । ଖାଲି ସେତିକି ନୁହେଁ ଏହାଦ୍ୱାରା ୩୦ରୁ ଅଧିକ ନିଖୋଜ ମଧ୍ୟ ଅଛନ୍ତି । ଲଗାଣ ବର୍ଷା ଯୋଗୁଁ ରାଜ୍ୟର ୧୩ଟି ଜିଲ୍ଲାରେ ଏବେ ବନ୍ୟା ପରିସ୍ଥିତି ଉପୁଜିଛି ।

ପ୍ରକାଶମ, ଚିତ୍ତୋର, ନେଲୁର ଓ କଡପ୍ପା ଜିଲ୍ଲାରେ ଭୟଙ୍କର ବର୍ଷା ଯୋଗୁଁ ବିଷମ ପରିସ୍ଥିତି ଦେଖା ଦେଇଛି । ତିରୁପତି ସହରର ବିଭିନ୍ନ ତଳି ଅଞ୍ଚଳରେ ବର୍ତ୍ତମାନ ୮ରୁ ୯ ଫୁଟ୍‌ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି । ଚିତ୍ତୋର ଜିଲ୍ଲାର ଅନେକ ଅଞ୍ଚଳ ବାହ୍ୟଜଗତରୁ ବିଛିନ୍ନ ହୋଇଛି । ଜିଲାକୁ ସଂଯୋଗ କରିଥିବା ସମସ୍ତ ମୁଖ୍ୟ ସଡ଼କ ଓ ରେଳପଥ ବନ୍ୟାରେ ଭାସିଯାଇଛି । ଜିଲ୍ଲାର ସମସ୍ତ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ତିରୁମାଲା ତିରୁପତି ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଫସି ରହିଛନ୍ତି ।

ସେହିଭଳି କଡପ୍ପା ଜିଲାରେ ମଧ୍ୟ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଇଛି । ଚେୟୁରୁ ନଦୀରେ ହଠାତ ବନ୍ୟା ଆସିବାରୁ ୩ ଜଣଙ୍କୁ ଭସାଇ ନେଇଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ସବୁ ଜିିଲ୍ଲାପାଳଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି । ଚିତ୍ତୁର ଜିଲ୍ଲାରେ ଏନ୍‌ଡିଆର୍‌ଏଫ୍‌ର ୪ଟି ଓ ଏସ୍‌ଡିଆର୍‌ଏଫ୍‌ର ୬ଟି ଟିମ୍ ନିୟୋଜିତ ହୋଇଛନ୍ତି । କଡପ୍ପା ଜିଲ୍ଲାରେ ଏନ୍‌ଡିଆର୍‌ଏଫ୍‌ର ୩ ଓ ଏସ୍‌ଡିଆର୍‌ଏଫ୍‌ର ୪ଟି ଟିମ୍‌ ମୁତୟନ ହୋଇଛନ୍ତି । ଚିତ୍ତୁର ଜିଲ୍ଲାରେ ବର୍ଷା ସୁଅରେ ଅନେକ ଗୃହପାଳିତ ପଶୁ ଭାସୁଥିବା ଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି । ଉପକୂଳ ଆନ୍ଧ୍ରରେ ଗତକାଲିଠାରୁ ହୋଇଥିବା ଏହି ବର୍ଷା ଗତ ୩୦ ବର୍ଷର ରେକର୍ଡ ଭାଙ୍ଗିଛି । ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।