• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆ ବର୍ଷରୁ ନୂଆ ନିୟମ । ବଦଳି ଯାଇଛି କ୍ଷୁଦ୍ର ସଞ୍ଚୟ ସ୍କିମ୍, ବ୍ୟାଙ୍କ ଓ ପେନସନ୍ ସ୍କିମର ବହୁ ନିୟମ । ଜାନୁଆରୀରୁ ମାର୍ଚ୍ଚ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ନିମନ୍ତେ ୧୨ଟି କ୍ଷୁଦ୍ର ସଞ୍ଚୟ ସ୍କିମ୍ ମଧ୍ୟରୁ ୮ଟିର ସୁଧହାର ୨୦ରୁ ୧୧୦ ବେସିସ୍ ପଏଣ୍ଟ ପର୍ଯ୍ୟନ୍ତ ବଢ଼ାଇଛନ୍ତି । କେନ୍ଦ୍ର ସରକାର ଏନେଇ ନିକଟରେ ଘୋଷଣା କରିଛି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ । ଫଳରେ ଏଣିକି ବରିଷ୍ଠ ନାଗରିକ ସଞ୍ଚୟ ସ୍କିମ୍ ଓ ମାସିକ ଆୟ ସଞ୍ଚୟ ସ୍କିମ୍, ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍, କିଷାନ ବିକାଶ ପତ୍ର ଓ ସମସ୍ତ ପ୍ରକାର ପୋଷ୍ଟ ଅଫିସ ଜମା ଉପରେ ଅଧିକ ସୁଧ ପାଇବେ ଗ୍ରାହକ ।

ସେହିଭଳି ୨୦୨୩ ଜାନୁଆରୀ ପହିଲାରୁ ନୂଆ ଲକର୍ ରାଜିନାମା ଲାଗୁ ପାଇଁ ସବୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏହା ଅଧୀନରେ ଲକର୍ ରାଜିନାମାରେ କୌଣସି ଜଟିଳ ବ୍ୟବସ୍ଥା ରହିବ ନାହିଁ । ଖାଲି ସେତିକି ନୁହେଁ, ନ୍ୟାସନାଲ ପେନସନ୍ ସ୍କିମ- ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ବର୍ଷ ଆଣିଛି ଖୁସି ଖବର ।

ଜାନୁଆରୀ ୧ ପରଠାରୁ ଏନପିଏସରୁ ଆଶିଂକ ଅର୍ଥ ଉଠାଣ କରିପାରିବେ ହିତାଧିକାରୀ । ସ୍କିମରେ ସେମାନଙ୍କ ଅବଦାନ ଆରମ୍ଭର ୩ ବର୍ଷ ପରେ ସେମାନେ ନିଜ ମୋଟ ଜମା ରାଶିର ୨୫% ଯାଏଁ ଉଠାଇପାରିବେ । ଅପରପକ୍ଷରେ ନୂଆ ବର୍ଷରୁ ମହଙ୍ଗା ହେବ କାର୍ କିଣା । କାରଣ ଟାଟା, ମାରୁତି, କିଆ, ରେନୋ, ହୁଣ୍ଡାଇ, ଅଡି, ଏମଜି ମୋଟର୍ସ ଭଳି ଦେଶର ବହୁ କାର୍ ନିର୍ମାତା ସେମାନଙ୍କ ଗାଡ଼ି ମୂଲ୍ୟ ୯୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ାଇବାକୁ ଘୋଷଣା କରିଛନ୍ତି ।

ଆମ ରାଜ୍ୟରେ ନୂଆବର୍ଷ ଆରମ୍ଭରୁ ଯାନବାହନ କ୍ଷେତ୍ରରେ ବି ଆସିଛି ଅନେକ ନୂଆ ନିୟମ । ଆଜିଠୁ ରାଜ୍ୟର ସମସ୍ତ ଜାତୀୟ ରାଜପଥ ଟୋଲ୍ ପ୍ଲାଜାରେ ଆରମ୍ଭ ହୋଇଛି ଇ-ଡିଟେକ୍ସନ୍ ବ୍ୟବସ୍ଥା । ଏହି ବ୍ୟବସ୍ଥା ଅଧୀନରେ ଟୋଲ ପ୍ଲାଜା ଅତିକ୍ରମ କରୁଥିବା ଗାଡ଼ିର ଫାଷ୍ଟ୍ୟାଗ୍ ଓ ଗାଡ଼ିର ଛବିକୁ ଆଧାର କରି ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର, ଫିଟନେସ୍ ସାର୍ଟିଫିକେଟ୍, ପରମିଟ୍, ପ୍ରଦୂଷଣ ପ୍ରମାଣପତ୍ର ଆଦି ଯାଞ୍ଚ କରିବ ।

ରାଜ୍ୟ ପରିବହନ କର୍ତ୍ତୃପକ୍ଷର ଇ-ଡିଟେକ୍ସନ ପୋର୍ଟାଲ ଯେଉଁ ଗାଡ଼ିର ବୈଧ ଡକ୍ୟୁମେଣ୍ଟ ନ ଥିବ ଏହା ବିରୋଧରେ ଅଟୋମେଟେଡ୍ ଚାଲାଣ କଟିବ । ଆଜିଠୁ ଜାତୀୟ ରାଜପଥ ଟୋଲ୍ ଗେଟରେ ଆରମ୍ଭ ହୋଇଥିବା ଇ-ଡିଟେକ୍ସନ୍ ବ୍ୟବସ୍ଥା ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଖଣି ଓ ଶିଳ୍ପାଞ୍ଚଳରେ ମଧ୍ୟ ଲାଗୁ ହେବ । ଏପଟେ ବାରମ୍ବାର ତାରିଖ ବଦଳୁଥିବା ହାଇସିକ୍ୟୁରିଟି ଡେଡ୍ଲାଇନରେ ଆଜି ପଡ଼ିଛି ପୂର୍ଣ୍ଣଚ୍ଛେଦ । ଆଜିଠୁ ରାଜ୍ୟରେ ଲାଗୁ ହୋଇଛି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନିୟମ । ୧ ଓ ୨ରେ ଶେଷ ହେଉଥିବା ଗାଡ଼ି ନମ୍ବର ଲାଗି ଆଜିଠାରୁ ଏହି ନିୟମ ଲାଗୁ ହୋଇଛି । ପର୍ଯ୍ୟାୟକ୍ରମେ ଅନ୍ୟ ଗାଡ଼ି ନମ୍ବର ପାଇଁ କଡ଼ାକଡ଼ି ହେବ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ।

ସଡ଼କ ସୁରକ୍ଷା ବିଶେଷଜ୍ଞଙ୍କ ମତରେ କୋର୍ଟରେ ମାନବସମ୍ବଳ ଅଭାବରୁ ଅନେକ ଗାଡ଼ି ଚାଲାଣ ମାମଲା କୋର୍ଟରେ ପଡ଼ିରହୁଛି । ଏଭଳି ସ୍ଥିତିରେ ଇ-ଡିଟେକ୍ସନ୍ ବ୍ୟବସ୍ଥା ଓ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନିୟମ ଜନିତ ଜରିମାନା ଆଦାୟ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଲାଗି ଚ୍ୟାଲେଞ୍ଜ ଆଣିବ ନିଶ୍ଚୟ ... ।