Navneet & Ravi Rana
ଜେଲ ଗଲେ ରାଣା ଦମ୍ପତି । ଆସନ୍ତା ମେ ୬ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ଗଲେ ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣା । ମହାରାଷ୍ଟ୍ର ଅମରାବତୀ ସାଂସଦ ନବନୀତ ରାଣାଙ୍କୁ ୧୪ ଦିନ ପାଇଁ ଜେଲକୁ ପଠାଇ ଦେଇଛନ୍ତି କୋର୍ଟ । ଗତକାଲି ଅମରାବତୀ ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ତେବେ ଗିରଫ ହେବା ପରେ ମଧ୍ୟ ଉଭୟେ ଗତକାଲି ରାତିସାରା ଜେଲ୍ରେ ହନୁମାନ ଚାଳିଶା ପାଠ କରିଥିଲେ।
ଆଜି ସେମାନଙ୍କୁ ମୁମ୍ବାଇର ବାନ୍ଦ୍ରା କୋର୍ଟରେ ହାଜର କରାଯାଇଥିଲା । ଉଭୟଙ୍କୁ ରିମାଣ୍ଡରେ ନେବାକୁ ପୋଲିସ ପକ୍ଷରୁ ଦାବି ହୋଇଥିଲା । ହେଲେ ପୋଲିସର ରିମାଣ୍ଡ ଆବେଦନ ଖାରଜ ହୋଇଯାଇଛି । ଆସନ୍ତା ଏପ୍ରିଲ ୨୯ ତାରିଖରେ ଜାମିନ ଆବେଦନର ଶୁଣାଣି ହେବ । ଉଭୟଙ୍କ ବିରୋଧରେ ଅଞ୍ଚଳରେ ଶାନ୍ତି ଭଙ୍ଗ ଓ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବୃଦ୍ଧି ଅଭିଯୋଗରେ ଆଇପିସିର ଧାରା ୧୫୩ ଏ ଲଗାଯାଇଛି । ସେପଟେ ଟ୍ୱିଟ୍ କରି ରାଣା ଦମ୍ପତି କହିଛନ୍ତି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିର୍ଦ୍ଦେଶରେ ସେମାନଙ୍କ ନାଁରେ ମିଛ କେସ୍ କରାଯାଇଛି ।
ମହାରାଷ୍ଟ୍ରର ନିର୍ଦ୍ଦଳୀୟ ବିଧାୟକ ରବି ରାଣା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତଶ୍ରୀ ଆଗରେ ହନୁମାନ ଚାଳିଶା ବୋଲିବେ ବୋଲି ଘୋଷଣା କରିଥିଲେ । ଏହାକୁ ନେଇ ଶିବସେନାର କର୍ମୀମାନେ ବିଧାୟକଙ୍କ ଘର ଆଗରେ ବିକ୍ଷୋଭ କରିଥିଲେ । ପରେ ଆଇନଶୃଙ୍ଖଳା ସ୍ଥିତି ଆଶଙ୍କା କରି ପୋଲିସ ଉଭୟଙ୍କୁ ଗିରଫ କରିଥିଲା । ସେପଟେ ରାଣା ଦମ୍ପତ୍ତିଙ୍କୁ ଗିରଫ ପରେ ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ତେଜିବାରେ ଲାଗିଛି । ବିଜେପି ରାଣା ଦମ୍ପତ୍ତିଙ୍କ ସପକ୍ଷରେ ବାହାରିଥିବା ବେଳେ ଶିବସେନା ସରକାରକୁ କଡ଼ା ସମାଲୋଚନା କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)