• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Kausik Mohapatra

ବିଶ୍ୱାସ, ଭରସା ଓ ଭଲପାଇବାର ନିଆରା କାହାଣୀ । ପୁଣି ଥରେ ସେ ପ୍ରମାଣିତ କରିଛି ନିଜ ବିଶ୍ୱସ୍ତ ବନ୍ଧୁର ପରିଚୟ। ଆମେ କହୁଛୁ କେରଳ କନ୍ନୁର ଅଞ୍ଚଳର ଗୋଟିଏ କୁକୁର ରାମୁ କଥା । ଯିଏ ୪ ମାସ ହେଲା ଅପେକ୍ଷା କରି ରହିଛି ଏକ ହସ୍ପିଟାଲର ଶବଗୃହ ପାଖରେ । ଜାଣିନି, ୪ ମାସ ତଳେ ଚିରଦିନ ଲାଗି ତାକୁ ଏକା କରି ଆରପାରିକୁ ଚାଲିଯାଇଛନ୍ତି ତା ମାଲିକ। ଯାହାଙ୍କୁ ସେ ଶେଷଥର ପାଇଁ ଦେଖିଥିଲା ସେଇ ଶବଗୃହ ଭିତରକୁ ଯିବା ବେଳେ।

ତା ନିରୀହ ଆଖିରେ ଅସୁମାରି ପ୍ରଶ୍ନ, ଅସରନ୍ତି ଅପେକ୍ଷା। ଯାଉଣୁ ଆସୁଣୁ ବୁଲିବୁଲି ଅନାଉଛି ଶବଗୃହର ବନ୍ଦ କବାଟକୁ। ଭାବୁଛି, ଏବେ କବାଟ ଖୋଲିବ କି... ତା ନାଁ ଧରି ଡାକିଦେବେ କି ମାଲିକ? ସେ ଡାକ ତ ସିଏ କେବଠୁ ଶୁଣିନି। ଭୁକି ଭୁକି ଥକି ଗଲାଣି ହେଲେ କବାଟ ଖୋଲୁନି କାହିଁକି? ଇଏ କେରଳ କନ୍ନୁର ଜିଲ୍ଲା ହସ୍ପିଟାଲ। ୪ ମାସ ହେଲା ଶବଗୃହ ସାମ୍ନାରେ ବୁଲୁଛି କୁକୁରଟିଏ। ହସ୍ପିଟାଲ କର୍ମଚାରୀ ତା ନାଁ ଦେଇଛନ୍ତି 'ରାମୁ'। ୪ ମାସ ତଳେ ସେ ଯେଉଁ ରୋଗୀଙ୍କ ସହ ହସ୍ପିଟାଲ ଆସିଥିଲା ତାଙ୍କର ମୃତ୍ୟୁ ହୋଇଗଲା । ମାଲିକକୁ ଦଣ୍ଡେ ଛାଡ଼ି ରହିପାରୁନଥିବା ଏହି କୁକୁର। ତାଙ୍କ ମୃତଦେହ ପଛେ ପଛେ ଧାଇଁ ଆସିଥିଲା ଏହି ଶବଗୃହ ଯାଏଁ। ଶବଗୃହର ବାହାରପଟ ଗେଟ୍ ଦେଇ କେବେଠୁ ଶେଷକୃତ୍ୟ ପାଇଁ ଚାଲିଗଲାଣି ସେହି ବ୍ୟକ୍ତିଙ୍କ ମୃତଦେହ। ହେଲେ ୪ ମାସ ହେଲା ଅପେକ୍ଷା କରିଥିବା ରାମୁ ଭାବୁଛି, ତା ମାଲିକ ଏବେବି ସେଇ ଘର ଭିତରେ ଅଛନ୍ତି, କେବେ ନା କେବେ ତାକୁ ନିଶ୍ଚୟ ଡାକିବେ।

ମାଲିକକୁ ଝୁରି ଝୁରି ଝଡ଼ିଗଲାଣି ରାମୁ। ଦିନ ପରେ ଦିନ ବିତିଯାଉଛି, ରାତି ପରେ ରାତି। ହେଲେ ବିଚରା କେମିତି ଜାଣିବ ଯେ, ତାର ଏ ଅପେକ୍ଷା କେବେ ସରିବନି। ତା ମାଲିକ ଆଉ ତାକୁ କେବେ ଡାକିବେନି, କି କେବେ ଧାଇଁ ଆସିବେନି କୋଳେଇ ନେବାକୁ। ପ୍ରଥମ କିଛି ଦିନ ସେ କିଛି ଖାଉନଥିଲା। ହେଲେ ଏବେ ତାକୁ ଖୁବ୍ ଭଲ ପାଉଛନ୍ତି ହସ୍ପିଟାଲ କର୍ମଚାରୀ। ଖାଇବାକୁ ଦେଉଛନ୍ତି, ତା ଦେଖାଶୁଣା କରୁଛନ୍ତି। ହେଲେ ଏବେବି ରାମୁର ଆଖି ତା ମାଲିକଙ୍କୁ ହିଁ ଖୋଜୁଛି।

ବିଶ୍ୱସ୍ତ କୁକୁରଙ୍କ କଥା ଉଠିଲେ, ମନେ ପଡ଼ି ଯାଉଥିବ ଜାପାନର ଚର୍ଚ୍ଚିତ କୁକୁର ହାଚିକୋ। ଯିଏ ସବୁଦିନ ସନ୍ଧ୍ୟାବେଳେ ଟୋକିଓର ଶିବୁୟା ରେଳ ଷ୍ଟେସନକୁ ଧାଇଁ ଯାଉଥାଏ ନିଜ ମାଲିକଙ୍କୁ ଘରକୁ ପାଛୋଟି ନେବା ପାଇଁ। ହେଲେ ଦିନେ କର୍ମସ୍ଥଳୀରେ ଚାଲିଗଲା ପ୍ରଫେସର ଉଏନୋଙ୍କ ଜୀବନ। ସେବେଠୁ ୯ ବର୍ଷ ଯାଏଁ ନିରନ୍ତର ସେଇ ଷ୍ଟେସନ ବାହାରେ ଉଏନୋଙ୍କ ଫେରିବା ବାଟକୁ ଚାହିଁ ବସିଥିଲା ହାଚିକୋ। ଶେଷରେ ସେଇ ଅପେକ୍ଷା ଭିତରେ ହିଁ ଆଖି ବୁଜିଦେଲା ୧୯୩୫ ମସିହାରେ। ଆଜିବି ଶିବୁୟା ଷ୍ଟେସନ ବାହାରେ ଦେଖିବାକୁ ପାଇବେ ଏହି ବିଶ୍ୱବିଦିତ ବିଶ୍ୱସ୍ତ ବନ୍ଧୁର ପ୍ରତିମୂର୍ତ୍ତି। ଆଉ ଏବେ କନ୍ନୁରର ରାମୁକୁ ସମସ୍ତେ କହୁଛନ୍ତି ସେ ହେଉଛି କେରଳର ହାଚିକୋ।