• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବହୁଚର୍ଚ୍ଚିତ ବାରାଣସୀ ଜ୍ଞାନବାପି ଧର୍ମପୀଠ ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ବିଜୟ । ଏହି ମାମଲାରେ ସୋମବାର ବାରାଣସୀ କୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ବାରଣାସୀ କୋର୍ଟରେ ହିନ୍ଦୁ ପକ୍ଷଙ୍କ ଆବେଦନକୁ ଗ୍ରହଣ କରାଯାଇଛି । ହିନ୍ଦୁ ପକ୍ଷଙ୍କ ଆବେଦନ ଗ୍ରହଣ କରି ଶୁଣାଣିକୁ ଅନୁମତି ଦେଇଛନ୍ତି ଅଦାଲତ । ଏହାସହ ମୁସଲିମ୍ ପକ୍ଷଙ୍କ ଆବେଦନକୁ ଖାରଜ କରାଯାଇଛି । ମାମଲାକୁ ଗୁରୁତ୍ୱ ଥିବା କହିବା ସହ ଏହା ଯୁକ୍ତି ସଙ୍ଗତ ବୋଲି ଅଦାଲତ ଦର୍ଶାଇଛନ୍ତି । ଏହି ମାମଲାର ଶୁଣାଣି ଆସନ୍ତା ୨୨ ତାରିଖରେ ହେବ । ଏହି ଶୁଣାଣି ପରେ ଅଦାଲତ ପରିସରରେ ମହିଳା ମାନେ ସେଲିବ୍ରେସନ୍ କରିଥିଲେ । ମିଠା ବାଣ୍ଟିବା ସହ ହର ହର ମହାଦେବ କହି ଖୁସି ମନାଇଥିଲେ ।

ଶୃଙ୍ଗାର ଗୌରୀରେ ପୂଜାପାଠ କରିବାର ଅଧିକାର ପାଇଁ ଦାଖଲ ହୋଇଥିବା ଆବେଦନକୁ କୋର୍ଟ ଶୁଣାଣି ଯୋଗ୍ୟ ବୋଲି ବିବେଚନା କରିଛନ୍ତି । କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଜ୍ଞାନବାପୀ ମସଜିଦ୍ ମଝିରେ ପୂଜା କରିବା ଲାଗି ହିନ୍ଦୁ ମହିଳା ମାନେ ଆବେଦନ କରିଥିଲେ ।   ଏଥି ସହିତ ମୁସଲିମ ପକ୍ଷ ଏହି ମାମଲାକୁ ଖାରଜ କରିବାକୁ ଦାବି କରି କୋର୍ଟରେ ଏହା ଶୁଣାଣିଯୋଗ୍ୟ ନୁହେଁ ବୋଲି ଯୁକ୍ତି ବାଢ଼ିଥିଲେ । ଅଦାଲତଙ୍କ ନିଷ୍ପତ୍ତି ଅନୁସାରେ ସିଭିଲ୍ ପ୍ରକ୍ରିୟା ସଂହିତାର ଆଦେଶ ୦୭ ନିୟମ ୧୧ ଅନୁଯାୟୀ ଏହି ମାମଲାର ଶୁଣାଣି ହୋଇପାରିବ।

ଏନେଇ ସୁପ୍ରିମକୋର୍ଟରେ ଦାଏର ମାମଲାକୁ ନିମ୍ନ କୋର୍ଟରେ ଶୁଣାଣି କରିବାକୁ ନିର୍ଦ୍ଦେଶ ଥିଲା । ମସଜିଦ୍ ଭିତରେ ହିନ୍ଦୁ ଠାକୁର ଅଛନ୍ତି ଓ ସେ ଏହାକୁ ପୂଜା କରିବାକୁ ଚାହାନ୍ତି କହି ମାମଲା ରୁଜୁ କରିଥିଲେ । ପରେ ଏହାକୁ ନେଇ ମସଜିଦ୍ ପରିସରରେ ଯାଞ୍ଚ ଓ ମାପଚୁପ ଆରମ୍ଭ ହୋଇଥିଲା । ମାପଚୁପ ଓ ସର୍ଭେ ବେଳେ ମସଜିଦ୍ ପରିସରରେ ଭିଡିଓ ରେକର୍ଡିଂ କରାଯାଇଥିଲା ।