• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Z+ ସିକ୍ୟୁରିଟି ସାଙ୍ଗକୁ ବୁଲେଟ୍‌ ପ୍ରୁଫ୍‌ ଏସ୍‌ୟୁଭି ଗାଡ଼ି ଓ ପଞ୍ଚତାରକା ହୋଟେଲରେ ରହଣୀ । ଏସବୁ ସୁବିଧା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଜଣେ ସିନିୟର୍‌ ଅଫିସର୍‌ଙ୍କୁ ମିଳିବା ତ ସାଧାରଣ କଥା । ଅଫିସର୍‌ଙ୍କୁ ସୁରକ୍ଷା ଦେବାକୁ ପୁଣି ମୁତୟନ ହୋଇଛନ୍ତି ପାରାମିଲିଟାରୀ ଫୋର୍ସ । ଯଦି ଏସବୁ ସୁବିଧା ଜଣେ ଠକକୁ ମିଳୁଥାଏ, ସଭିଙ୍କ ମନରେ ପ୍ରଶ୍ନ ଉଠିବ ଯେ ଠକକୁ ପୁଣି ରାଜକୀୟ ସେବା । ଏକଥା ସତ ଯେ, ଗୁଜରାଟରେ ରହୁଥିବା ଜଣେ ଠକକୁ ଏସବୁ ସୁବିଧା ଯୋଗାଇ ଦିଆଯାଇଛି, ତାହା ପୁଣି କଡ଼ା ସୁରକ୍ଷା ଦିଆଯାଉଥିବା ଜମ୍ମୁ କାଶ୍ମୀର ଭଳି ଅଞ୍ଚଳରେ ।

ପ୍ରକୃତ ଘଟଣା ହେଉଛି ଯେ, ଗୁଜରାଟରେ ରହୁଥିବା କିରଣ ଭାଇ ପଟେଲ ନାମକ ଜଣେ ବ୍ୟକ୍ତି ନିଜକୁ ପିଏମ୍‌ଓ ଅଫିସର୍‌ ଜଣେ ଅତିରିକ୍ତ ନିର୍ଦ୍ଦେଶକ ବୋଲି ପରିଟୟ ଦେଇ ଫେବ୍ରୁଆରୀରେ ଜମ୍ମୁ କାଶ୍ମୀର ଭ୍ରମଣରେ ଯାଇଥିଲେ । ସେଠାରେ ନିଜର ମିଥ୍ୟା ପରିଚୟ ବଳରେ ପାରାମିଲିଟାରୀ ଫୋର୍ସ ଏବଂ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ସେ ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ। କେତେବେଳେ ବୁଦ୍ଧଗାମୀର ବରଫ ଆଚ୍ଛାଦିତ ଅଞ୍ଚଳ ତ କେତେବେଳେ ଶ୍ରୀନଗରର କ୍ଲକ୍ ଟାୱାର୍ ଲାଲ ଛକ୍ ସାମ୍ନାରେ ଛିଡ଼ା ହୋଇ ସେ ଫଟୋ ପୋଜ ଦେଉଥିବାର ଦେଖିବାକୁ ମିଳିଛି ।

ଏପରିକି କେହି ଯେମିତି ସନ୍ଦେହ ନ କରନ୍ତି, ସେଥିପାଇଁ ସେଠାକାର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ମଧ୍ୟ ଆୟୋଜନ କରିଥିଲେ । ୧୦ ଦିନ ପୂର୍ବେ ତାଙ୍କୁ ପୋଲିସ ଗିରଫ କରିବା ସହ ଏହି ଖବର ଗୋପନୀୟ ରଖିଥିଲେ । ଗୁରୁବାର ବିଚାରପତି ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇବା ପରେ ଏହି ମାମଲା ସମସ୍ତଙ୍କ ସାମ୍ନାକୁ ଆସିଛି ।

ବିସ୍ମୟକର କଥା ହେଉଛି ପଟେଲଙ୍କ ଟ୍ୱିଟର୍‌ରେ ହଜାର ହଜାର ଫଲୋଅର୍ସ ରହିଛନ୍ତି । କାଶ୍ମୀରରେ ତାଙ୍କର 'ସରକାରୀ ଭ୍ରମଣର'ର ଅନେକ ଭିଡିଓ ଏବଂ ଫଟୋ ମଧ୍ୟ ଟ୍ୱିଟର୍‌ରେ ସେୟାର କରିଛନ୍ତି । ଅନେକ ଫଟୋରେ ପାରାମିଲିଟାରୀ ଫୋର୍ସ ତାଙ୍କୁ ସୁରକ୍ଷା ଦେଉଥିବାର ଦେଖିବାକୁ ମିଳିଛି । ମାର୍ଚ୍ଚ ୨ରେ ସେ ଶେଷ ଥର କାଶ୍ମୀର ଗସ୍ତରେ ଯାଇଥିବାର ଫଟୋରୁ ଜଣାପଡ଼ିଛି ।

କେବଳ କାଶ୍ମୀର କାହିଁକି, ଦେଶର ଅନ୍ୟାନ୍ୟ ସ୍ଥାନରେ ବି ମିଥ୍ୟା ପରିଚୟ ଦେଇ ସେ କୁଆଡ଼େ ସମସ୍ତ ସୁବିଧା ପାଉଥିଲେ । ତେବେ ବାରମ୍ବାର କାଶ୍ମୀର ଗସ୍ତ ପରେ ସେଠାକାର ପୋଲିସ ଅଧିକାରୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଜଣେ ବରିଷ୍ଠ ଅଧିକାରୀ ବାରମ୍ବାର ଗୋଟିଏ ସ୍ଥାନକୁ ଆସିବା ନେଇ ପୋଲିସ୍‌ର ସନ୍ଦେହ ହୋଇଥିଲା । ଏହାପରେ ପୋଲିସ୍‌ ଓ ଗୁଇନ୍ଦା ବିଭାଗ ତାଙ୍କ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଥିଲେ । ତଦନ୍ତରୁ ସତ ସାମ୍ନାକୁ ଆସିଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

କିରଣ ଭାଇ ପଟେଲ PMO ଅଫିସ୍‌ର କର୍ମଚାରୀ ନୁହଁ ବରଂ ଜଣେ ପରମ ଠକ ବୋଲି ତଦନ୍ତରୁ ଜଣାପଡ଼ିଲା । ଏହାପରେ ତାଙ୍କୁ ଶ୍ରୀନଗରର ଏକ ହୋଟେଲରୁ ପୋଲିସ ଗିରଫ କରିଥିଲା । କିପରି ଜଣେ ଠକ ନିଜକୁ ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଇ ଖୁଲମଖୁଲା ବୁଲିଲେ, ଆଉ କେହି କିଛି ଜାଣି ପାରିଲେନି ସେ ନେଇ ପ୍ରଶ୍ନ ଉଠିଛି ।

ଏପରିକି ଦାୟିତ୍ୱରେ ଅବହେଳା ଅଭିଯୋଗରେ ୨ ପୋଲିସ୍‌ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୂରା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଗୁଜରାଟ ପୁଲିସ୍‌ ବି ଏହି ତଦନ୍ତରେ ସହଯୋଗ କରୁଥିବା ଜଣାଯାଇଛି ।