ଗୁଜରାଟ ମାଛୁ ନଦୀ ଝୁଲା ପୋଲ ଟ୍ରାଜେଡି ଘଟଣାରେ ଆସିଲା ନୂଆ ମୋଡ଼ । ଏହି ଘଟଣାରେ ୯ ଜଣଙ୍କୁ ଗିରଫ କଲା ପୋଲିସ । ଅଟକ ରଖିଥିବା ୯ ଜଣଙ୍କ ମଧ୍ୟରୁ ସମସ୍ତ ୯ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନେ ହେଲେ ଝୁଲାପୋଲ ରକ୍ଷଣାବେକ୍ଷଣ ସଂସ୍ଥାର କର୍ମଚାରୀ । ତେବେ ସେମାନଙ୍କୁ ନିଜ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ଗିରଫ କରାଯାଇଥିବା ଜଣାପଡ଼ିଛି ।
ଅଧିକ ପଢ଼ନ୍ତୁ: ‘ଆଖି ବନ୍ଦ କଲେ ବି ଦିଶି ଯାଉଛି ସେ ହୃଦୟ ବିଦାରକ ଦୃଶ୍ୟ’
Also Read
ସୂଚନାଯୋଗ୍ୟ, ଗୁଜରାଟର ମୋର୍ବିରେ ମାଛୁ ନଦୀ ଉପରେ ଥିବା ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪୧ରେ ପହଞ୍ଚିଛି । ନଦୀରେ ୧୦୦ରୁ ଅଧିକ ଭାସି ଯାଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ୧୭୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏହାସହ ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି । ମୃତକଙ୍କ ମଧ୍ୟରେ ୨୦ରୁ ଅଧିକ ଶିଶୁ ଥିବାବେଳେ ଭାସି ଯାଇଥିବା ଲୋକଙ୍କ ମଧ୍ୟରେ ବି ଶିଶୁଙ୍କ ସଂଖ୍ୟା ଅନେକ ବୋଲି କୁହାଯାଉଛି । ଗତକାଲି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଥିଲା ।
ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ବାୟୁସେନା ପକ୍ଷରୁ ଗରୁଡ଼ କମାଣ୍ଡୋକୁ ନିୟୋଜିତ କରାଯାଇଥିଲା । ସେହିପରି ୩ ପ୍ଲାଟୁନ NDRF, SDRF, ଅଗ୍ନିଶମ ବାହିନୀ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଭାରତୀୟ ନୌସେନାର ୫୦ ଜଣ ଯବାନ, ବାୟୁସେନାର ୩୦ ଜଣ ଯବାନ, ସ୍ଥଳସେନାର ଯବାନ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ରାଜକୋଟ, ଜାମନଗର, ଡିଉ ଓ ସୁରେନ୍ଦ୍ରନଗରରୁ ଆସି ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଆହତଙ୍କୁ ଚିକିତ୍ସା କରିବା ଲାଗି ରାଜକୋଟ ସିଭିଲ୍ ହସ୍ପିଟାଲରେ ସ୍ୱତନ୍ତ୍ର ଓ୍ୱାର୍ଡ କରାଯାଇଛି।
ଏକ ପ୍ରାଇଭେଟ୍ କମ୍ପାନୀ ୭ ମାସ ପର୍ଯ୍ୟନ୍ତ ବ୍ରିଟିଶ ଅମଳର ଏହି ଝୁଲା ପୋଲର ମରାମତି କାର୍ଯ୍ୟ କରିଥିଲା। ମରାମତି କାର୍ଯ୍ୟ ଶେଷ ହେବା ପରେ ୪ ଦିନ ପୂର୍ବେ ସର୍ବସାଧାରଣଙ୍କ ପାଇଁ ଝୁଲା ପୋଲ ଖୋଲା ଯାଇଥିଲା । ତେବେ ମ୍ୟୁନିସିପାଲିଟି ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଝୁଲା ପୋଲର ‘ଫିଟ୍ନେସ୍ ସାର୍ଟିଫିକେଟ୍’ ପ୍ରଦାନ କରାଯାଇ ନଥିଲା । ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘଟଣାସ୍ଥଳ ଅନୁଧ୍ୟାନ ପରେ ହସ୍ପିଟାଲରେ ପହଞ୍ଚି ଆହତଙ୍କୁ ଭେଟିଛନ୍ତି। ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ଲେଖାଏ ଦେବାକୁ ଘୋଷଣା କରିଥିବା ବେଳେ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି। ଆହତଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୫୦ ହଜାର ଲେଖାଏ ଟଙ୍କା ଦେବା ନେଇ ଘୋଷଣା ହୋଇଛି। ଗୋଟିଏ ସମୟରେ କ୍ଷମତାଠାରୁ ଅଧିକ ଓଜନ ଠୁଳ ହେବାରୁ ପୋଲ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି। ଅନ୍ୟପକ୍ଷେ, ଘଟଣା ପାଇଁ ରାଜ୍ୟ ସରକାରଙ୍କୁ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ଦାୟୀ କରିଛନ୍ତି।
ସୂଚନାଥାଉ କି, ୧୯୨୨ ମସିହାରେ ସାର୍ ୱାଘଜୀ ଠାକୋର୍ ମୋର୍ବିକୁ ଶାସନ କରିଥିଲେ। ଔପନିବେଶିକ ପ୍ରଭାବରେ ଅନୁପ୍ରାଣିତ ହୋଇ ସେ ଝୁଲା ପୋଲ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଝୁଲା ପୋଲର ଚଉଡ଼ା ୧.୨୫ ମିଟର, ଲମ୍ବ ୨୩୩ ମିଟର।