• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସଜା ହୋଇଥିଲା ମଣ୍ଡପ । ବେଦୀରେ ବସି ସାରିଥିଲା କନ୍ୟା । ହେଲେ ଅଧା ବାହାଘରରୁ ବର ଫେରାର୍‌ ମାରିଛି । ବିହାରର ବୈଶାଳୀ ଜିଲ୍ଲାର ମହୁଆ ମ୍ୟୁନିସିପାଲିଟିର ଶେରପୁରା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ନାଚଗୀତ ଆଉ ବ୍ୟାଣ୍ଡ୍‌ ବାଜାର ତାଳେ ତାଳେ କନ୍ୟା ଘରେ ପହଞ୍ଚିଥିଲା ବର । ନିଜେ ବି ଧୁମଧାମରେ ନାଚିଥିଲା ବର । ହେଲେ ବରଣମାଳା କାମ ପୂର୍ବରୁ ପ୍ରେମିକା କଥା ମନେ ପଡ଼ିବାରୁ କାହାକୁ କିଛି ନଜଣାଇ ଫେରାର୍‌ ହୋଇଯାଇଛନ୍ତି ଯୁବକ ଜଣକ । ତେବେ ଏହି ଘଟଣା ପରେ ହଙ୍ଗାମା ହେବା ସହ କ୍ୟାମେରାମ୍ୟାନ ଏବଂ ଡ୍ରାଇଭରଙ୍କୁ ବନ୍ଧକ ରଖିଥିଲେ ଝିଅଘର ଲୋକ ।

ମହୁଆ ପୋଲିସ ଷ୍ଟେସନ ଅଞ୍ଚଳର ମାଘୋଲ ପଞ୍ଚାୟତର ଭୁବନେଶ୍ୱର ସିଂଙ୍କ ପୁଅ ବିଜୟ କୁମାରଙ୍କ ବିବାହ ଶେରପୁର ଅଞ୍ଚଳରେ ପହଞ୍ଚିଥିଲା । ଝିଅ ଘର ଲୋକ ଧୁମଧାମରେ ବରଯାତ୍ରୀଙ୍କ ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ । କିଛି ସମୟ ପରେ ମଣ୍ଡପରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ଅଧାରୁ ବର ହଠାତ୍‌ କୁଆଡ଼େ ଗାୟବ୍ ହୋଇଯାଇଥିଲା । ଖୋଜାଖୋଜି ପରେ ବି ନମିଳିବାରୁ ବରପକ୍ଷ ହରଡ଼ଘଣାରେ ପଡ଼ିଥିଲେ । କନ୍ୟା ଘର ଏକଥା ଜାଣିବା ପରେ ବରଯାତ୍ରୀ, ଡ୍ରାଇଭର୍‌ ଓ ଗାଡ଼ି ସବୁ ବନ୍ଧକ ରଖିଥିଲେ ।

ଏନେଇ ଉଭୟ ପକ୍ଷ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ଯୁକ୍ତିତର୍କ ଚାଲିଥିଲା । ବିବାଦ ବଢ଼ିବା ଫଳରେ ପଞ୍ଚାୟତ ପର୍ଯ୍ୟନ୍ତ କଥା ପହଞ୍ଚିଥିଲା । ଶେଷରେ ପଞ୍ଚାୟତ ମୁଖିଆଙ୍କ ହସ୍ତକ୍ଷେପରେ ସମସ୍ୟାର ସମାଧାନ କରାଯାଇଥିଲା । ପରେ ଉଭୟ ପକ୍ଷ ମଧ୍ୟରେ ବୁଝାମଣା କରାଇ ବରର କକା ପୁଅକୁ ବିବାହ କରିଛନ୍ତି କନ୍ୟା ଜଣକ । ଏହା ପରେ କନ୍ୟା ପକ୍ଷ ବନ୍ଧକ ରଖିଥିବା ବରଯାତ୍ରୀଙ୍କୁ ମୁକ୍ତ କରିଛନ୍ତି ।