• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଫୁଲସଜ୍ଜା ଗେଟ୍‌ ସାଙ୍ଗକୁ ନାରଙ୍ଗୀଧଳା ରଙ୍ଗର ଟେଣ୍ଟ୍‌ । ଚାରିଆଡ଼େ ନାଲି କାର୍ପେଟ୍ ବିଛା ହୋଇଛି । ବରଯାତ୍ରୀଙ୍କ ପାଇଁ ବୁଫେଟର ବ୍ୟବସ୍ଥା ମଧ୍ୟ ହୋଇଛି । ହାତରେ ମେହେନ୍ଦି, ମଥାରେ ହାତେ ଲମ୍ବର ଓଢ଼ଣୀ ଓ ନାଲି ଲେହେଙ୍ଗା ପିନ୍ଧି ବରକୁ ଅପେକ୍ଷା କରିଛି କନିଆ । ଘରେ ଲାଗିଛି ଗହଳି ଚହଳି, ଆଉ ଏହାରି ଭିତରେ ବାହାଘରକୁ ଆସିଥିବା ବନ୍ଧୁବାନ୍ଧବ ଖାଦ୍ୟ ବି ଖାଇବା ଆରମ୍ଭ କରିଦେଲେଣି । ହେଲେ ବାହାଘର ଦିନ ହିଁ ବର ବାବୁଙ୍କର ଦେଖାନାହିଁ । ଫୋନ୍‌ କରି କରି ଥକି ଗଲେଣି କନ୍ୟାପକ୍ଷ, ହେଲେ ତାଙ୍କର କୌଣସି ଖୋଜଖବର ନାହିଁ । ଉତ୍ତରପ୍ରଦେଶର ବୁନ୍ଦଲସହରରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ।

ବୁନ୍ଦଲସହରର ଗୁଲାବଟୀର ନୟାବସ ନିବାସୀ ରାକ୍ଷୀଙ୍କର ଶିକାରପୁର ଅଞ୍ଚଳର ଦିପକଙ୍କ ସହ ବିବାହ ସ୍ଥିର ହୋଇଥିଲା । ୪ ଡିସେମ୍ବର ଦିନ ଉଭୟଙ୍କର ବିବାହ ହୋଇଥାଆନ୍ତା । ମନ ପସନ୍ଦର ଲେହେଙ୍ଗା ଓ ସୁନାଗହଣା ପିନ୍ଧି ବର ଅପକ୍ଷାରେ ବସିଥିଲେ ରାକ୍ଷୀ । ଘରେ ଲୋକଙ୍କ ଗହଳି ମଧ୍ୟ ଲାଗିଥିଲା । ଆଉ ମନେ ମନେ କେତେ କ’ଣ ସ୍ୱପ୍ନ ଦେଖୁଥିଲେ । ବର ଆସିବ, ହାତଗଣ୍ଠି ପଡ଼ିବ, ଆଉ ବିଦା ହୋଇ ସେ ଶାଶୂଘର ଯିବେ । ହେଲେ ଧୋକାବାଜ୍‌ ବର ବାହାଘର ଦିନ ହିଁ ଧୋକା ଦେଲା । ବରଯାତ୍ରୀ ଆସିବାରେ ବିଳମ୍ବ ହେବାରୁ କନ୍ୟାପକ୍ଷଙ୍କ ମନରେ ଛନକା ପଶିଥିଲା । ଅପେକ୍ଷା କରି କରି କନ୍ୟା ଆଖିରୁ ପାଣି ଶୁଖିଗଲା ସିନା ବରଯାତ୍ରୀ ଆସିଲେ ନାହିଁ କି ବିବାହ ହୋଇପାରିଲା ନାହିଁ । ଫୋନ୍‌ କରି ପଚାରିବାରୁ ଓଲଟାସିଧା ଉତ୍ତର ମିଳିଥିଲା । ବାରମ୍ବାର ଯୋଗାଯୋଗ କରିଥିଲେ ବରପକ୍ଷ ଆସିଲେନି କି ରାକ୍ଷୀଙ୍କର ବିବାହ ହୋଇ ପାରିଲାନାହିଁ ।

ଅଧିକ ପଢ଼ନ୍ତୁ: ମଣ୍ଡପରେ ମନେ ପଡ଼ିଲା ପ୍ରେମିକା ! ଅଧା ବାହାଘରରେ କନ୍ୟାକୁ ଛାଡ଼ି ଛୁ ମାରିଲା ବର

ଏହି ଘଟଣା ପରେ ଥାନାରେ ପହଞ୍ଚିବା ସହ ନ୍ୟାୟ ପାଇଁ ଗୁହାରୀ କରିଛନ୍ତି ରାକ୍ଷୀ । ତାଙ୍କ ଅଭିଯୋଗ ଅନୁସାରେ, ଦୀପକ ସିଆଇଏସଏଫ୍‌ରେ କାମ କରନ୍ତି ବୋଲି କହିଥିଲେ । ହେଲେ ବିବାହ ଦିନ ଜଣାପଡ଼ିଥିଲା ସେ ସିଆଇଏସଏଫ୍‌ରେ ଚାକିରି କରିଥିବା କଥା ସମ୍ପୂର୍ଣ୍ଣ ମିଛ । ଏକଥା ଜାଣିବା ପରେ କନ୍ୟାପକ୍ଷ ଲୋକ ଝିଅକୁ ତାଙ୍କ ସହ ବିବାହ କରାଇବା ପାଇଁ ରାଜି ହୋଇନଥିଲେ । ହେଲେ ଗାଁ ଲୋକ ବୁଝାସୁଝା କରାଇବା ପରେ ବିବାଦର ସମାଧାନ ହୋଇଥିଲା । ଶେଷରେ ରାଜି ହୋଇଥିଲେ ରାକ୍ଷୀ ଓ ତାଙ୍କ ପରିବାର ଲୋକ । ଏସବୁ ସତ୍ତ୍ୱେ ଦିପକ ରାକ୍ଷୀଙ୍କୁ ଧୋକା ଦେଇ ବିବାହ ବେଦୀକୁ ଆସିନଥିବା ସେ କହିଛନ୍ତି ।