• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମଧ୍ୟବିତ୍ତ ପରିବାର ପାଇଁ ଖୁସି ଖବର । ନୂଆ ଘର କରିବାକୁ ଋଣ କରିବାକୁ ଚାହୁଁଥିଲେ ସରକାର ଦେବେ ସବ୍‌ସିଡି । ଏନେଇ ଗୃହ ନିର୍ମାଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ନୂତନ ଗୃହଋଣ ନେଇ ମୋଡାଲିଟି ଚୂଡାନ୍ତ ହୋଇଛି ।

ସହରୀ ଗରିବ ଏବଂ ମଧ୍ୟବିତ୍ତଙ୍କ ପାଇଁ ଏହା କରାଯାଇଥିବା ଜଣାପଡ଼ିଛି । ଗୃହ ଋଣ ପାଇଁ ସରକାର ନୂତନ ସୁଧ ସବସିଡି ଯୋଜନା ଆରମ୍ଭ କରିବେ । ପୂର୍ବରୁ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ବିବୃତି ରଖିଥିଲେ । ସ୍ୱାଧୀନତା ଦିବସରେ ତାଙ୍କର ଅଭିଭାଷଣରେ ଏହି ଯୋଜନାର ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ତାଙ୍କ ବିବୃତିରେ କହିଥିଲେ ‘ମଧ୍ୟବିତ୍ତ ପରିବାର ଲୋକେ ନିଜ ଘର ଖଣ୍ଡିଏ କିଣିବାକୁ ସ୍ୱପ୍ନ ଦେଖୁଛନ୍ତି । ଏଥିପାଇଁ ଆମେ ଆଗାମୀ ବର୍ଷରେ ଏକ ନୂତନ ଯୋଜନା ପ୍ରସ୍ତୁତ କରୁଛୁ । ଯାହାଫଳରେ ମଧ୍ୟବିତ୍ତ ପରିବାରର ଲୋକେ ଉପକୃତ ହୋଇପାରିବେ ।

ସେହିପରି ଯେଉଁ ମଧ୍ୟବିତ୍ତ ଲୋକେ ଯଦି ଘର ନିର୍ମାଣ କରିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ମଧ୍ୟ କିଛି ଫାଇଦା ମିଳିବ । ଅଳ୍ପ ସୁଧ ହାରରେ ବ୍ୟାଙ୍କ ଋଣ ପ୍ରଦାନ କରିବ । ଯାହା ଫଳରେ ସେମାନେ ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଖାଲି ସେତିକି ନୁହେଁ, ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ନୂତନ ଯୋଜନାର ଲକ୍ଷ୍ୟ ହେଉଛି PM Awas Yojanaର ସମ୍ପ୍ରସାରଣ କରିବା । ନୂତନ ଯୋଜନାରେ ସୁଧ ସବସିଡି ପାଇବାର ଯୋଗ୍ୟତା ବୃଦ୍ଧି ପାଇଁ ଏହି ଲକ୍ଷ୍ୟ ରଖାଯାଇଛି ।