Advertisment

Golden Temple Defensive Measures: ୫୪ବର୍ଷ ପରେ ଅନ୍ଧାର ହୋଇଥିଲା ସ୍ବର୍ଣ୍ଣ ମନ୍ଦିର, ମିସାଇଲ୍ ଓ ଡ୍ରୋନ୍ ଆଟାକକୁ ପଣ୍ଡ କରିଥିଲା ଭାରତୀୟ ସେନା

ପାକିସ୍ତାନ ୫୪ ବର୍ଷ ପରେ ସ୍ବର୍ଣ୍ଣମନ୍ଦିରକୁ ରାତି ଅନ୍ଧାର କରି ଆକ୍ରମଣ ଚେଷ୍ଟା କରିଥିଲା। ୭ ଓ ୮ ମେ ରାତିରେ ଏହି ଆକ୍ରମଣ କରାଯାଇଥିଲା ଯାହାକୁ ଭାରତୀୟ ସେନାର L-70 ଗନ୍ ଓ ଆକାଶ ମିଜାଇଲ୍ ସିଷ୍ଟମ୍ ବ୍ୟବହାର କରି ପ୍ରତିହତ କରାଯାଇଥିଲା। ୧୯୬୫ ଓ ୭୧ରେ ପ୍ରଥମେ ସେହି ପରିସ୍ଥିତି ଜଣାଗଲା। ପିଓକେର ଆତଙ୍କୀ ଆକ୍ରମଣ ପରେ ସେନା ପକ୍ଷରୁ ସତର୍କତାର ଭାଗ ହେଲା। ମେଜର୍ ଜେନେରାଲ୍ କାର୍ତ୍ତିକ ସି. ଶେଷାଦ୍ରି ପବିତ୍ର ସ୍ଥଳୀକୁ ସୁରକ୍ଷା ଦେବାକୁ ବଢା ମାତ୍ରାରେ ସିଷ୍ଟମ୍ ମୁତୟନ କଲେ।

ଅଦ୍ୟତନ ହୋଇଛି
swarna mandir

swarna mandir

Advertisment

ମେ ୭-୮ ରାତିରେ ୫୪ବର୍ଷ ପରେ ଅନ୍ଧାର ହୋଇଥିଲା ସ୍ବର୍ଣ୍ଣ ମନ୍ଦିର। ପଞ୍ଜାବ ଅମୃତସରରେ ଥିବା ଶିଖ୍ ସଂପ୍ରଦାୟର ଏହି ପ୍ରମୁଖ ଧର୍ମସ୍ଥଳୀକୁ ମିଜାଇଲ୍ ଓ ଡ୍ରୋନ୍ ଆଟାକ୍ କରିଥିଲା ପାକିସ୍ତାନ। ଅପରେସନ୍ ସିନ୍ଦୂରର ବଦଲା ଭାବେ ଭାରତରେ ସାଂପ୍ରଦାୟିକ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚକ୍ରାନ୍ତ କରିଥିଲା ଶତ୍ରୁ। ତେବେ ଗୋଲଡେନ ଟେମ୍ପଲକୁ ଅଭେଦ୍ୟ କବଚରେ ଘୋଡ଼ାଇ, ପାକିସ୍ତାନର ସବୁ ଚାଲ୍ କୁ କେମିତି ପଣ୍ଡ କରିଥିଲା L-70 ଗନ୍ ଓ ଆକାଶ ମିଜାଇଲ୍, ତାର ଡେମୋ ଦେଖାଇଛି ଭାରତୀୟ ସେନା ।

Advertisment

ଅପରେସନ୍ ସିନ୍ଦୂରରେ ପାକିସ୍ତାନ ଓ ପିଓକେର ୯ଟି ଆତଙ୍କୀ ଆଡ୍ଡା ମାଟିରେ ମିଶିବା ପରେ, ୭ ତାରିଖ ରାତିରେ ଲେହରୁ କଚ୍ଛ ଯାଏଁ ଭାରତର ବିଭିନ୍ନ ଏୟାରବେସ୍ ଓ ସାମରିକ ଘାଟିକୁ ନିଶାନା ସାଧିଥିଲା ପାକିସ୍ତାନୀ ସେନା। ତେବେ ଏଥିରେ ପୂରା ଫେଲ୍ ମାରିବା ପରେ, ସାଧାରଣ ନାଗରିକ, ବେସାମରିକ ପ୍ରତିଷ୍ଠାନ, ଏପରିକି ଧର୍ମସ୍ଥଳୀକୁ ବି କରିଥିଲା ଟାର୍ଗେଟ୍। ଚାଞ୍ଚଲ୍ୟକର ଖୁଲାସା ହେଉଛି, ମେ ୭-୮ ରାତିରେ ଶିଖ୍ ସଂପ୍ରଦାୟର ସବୁଠୁ ପବିତ୍ର ଧର୍ମସ୍ଥଳୀ କୁହାଯାଉଥିବା ଅମୃତସର ସ୍ବର୍ଣ୍ଣ ମନ୍ଦିର ସମେତ ପଞ୍ଜାବର ବିଭିନ୍ନ ସହରକୁ ମିଜାଇଲ୍ ଓ ଡ୍ରୋନ୍ ଦାଗିଥିଲା ପାକିସ୍ତାନ। ଅନ୍ତର୍ଜାତୀୟ ସୀମାଠୁ ମାତ୍ର ୩୦ କିଲୋମିଟର ଦୂରରେ ଥିବା ଗୋଲଡେନ୍ ଟେମ୍ପଲକୁ ୮ ତାରିଖ ଭୋରରୁ ବାରମ୍ବାର ଡାଇରେକ୍ଟ ହିଟ୍ କରିବାକୁ ଚେଷ୍ଟା କରାଯାଇଥିଲା। ପାକିସ୍ତାନ ପଟୁ ଆକାଶରେ ମାଡ଼ି ଆସିଥିଲା ସର୍ଫେସ୍-ଟୁ-ସର୍ଫେସ୍, ଏୟାର-ଟୁ-ସର୍ଫେସ୍ ମିଜାଇଲ୍ ଏବଂ ବହୁ ସଂଖ୍ୟାରେ ୟିହା-ଥ୍ରୀ ଓ ସୋଙ୍ଗାର ଭଳି କାମିକାଜି ବା ଆତ୍ମଘାତୀ ଡ୍ରୋନ୍। ହେଲେ ଏହାକୁ ମାତ୍ ଦେଇଥିଲା ଭାରତର L-70 ଏୟାର୍ ଡିଫେନ୍ସ ଗନ୍ ଓ ଆକାଶ ମିଜାଇଲ୍ ସିଷ୍ଟମ୍। ସବୁଯାକ ମିଜାଇଲ୍ ଓ ଡ୍ରୋନ୍ କୁ ଗୋଟି ଗୋଟି କରି ମଝି ଆକାଶରେ ଉଡ଼ାଇବାରେ ସଫଳ ହୋଇଥିଲେ ପଞ୍ଜାବର ଏୟାର ଡିଫେଣ୍ଡର୍ ଓ ଏୟାର ଡିଫେନ୍ସ ଗନର୍। ପାକିସ୍ତାନକୁ ତା ଔକାତ୍ ଦେଖାଇବା ପାଇଁ ମାତ୍ର ୧୦ ପ୍ରତିଶତ ଗୁଳିଗୋଳା ହିଁ ଯଥେଷ୍ଟ ଥିଲା।

ଅଧିକ ପଢନ୍ତୁ : ଖୋଲୁଛି ଜ୍ୟୋତି ମାଲହୋତ୍ରାର ପେଡ଼ି, ଅପରେସନ ସିନ୍ଦୂର କରିଥିଲା ଲିକ୍

Advertisment

ଇଏ ଆକାଶ ମିଜାଇଲ୍ ସିଷ୍ଟମ୍। ୨୫ରୁ ୩୦ କିଲୋମିଟରର ନିଖୁଣ ଲକ୍ଷ୍ୟଭେଦ କ୍ଷମତା, ଭୂଇଁଠୁ ୧୮ କିଲୋମିଟର ଉଚ୍ଚତାକୁ ଯାଇ ଭେଦିପାରେ ଶତ୍ରୁ ମିଜାଇଲ୍ ଓ ଫାଇଟର୍ ଜେଟ୍। ଆଉ ଏ ହେଉଛି L-70 ଏୟାର ଡିଫେନ୍ସ ଗନ୍... ପାକିସ୍ତାନୀ ଡ୍ରୋନ୍ ପାଇଁ ଯମ ସହ ସମାନ। ଏସବୁ ସହ କାନ୍ଧ ଉପରେ ଲଦି ଡ୍ରୋନ୍ ଉପରେ ନିଶାନା ଲଗାଯାଉଥିବା ମ୍ୟାନ-ପ୍ୟାଡ୍। ଏସବୁ ଏୟାର ଡିଫେନ୍ସ ପ୍ରଣାଳୀ ଏ ଅଦୃଶ୍ୟ ତଥା ଅଭେଦ୍ୟ ଛତା ଭଳି ଘୋଡ଼ାଇ ରଖିଥିଲା ସ୍ବର୍ଣ୍ଣ ମନ୍ଦିରକୁ। ସେଥିରେ ଗୋଟିଏ ବି ଦାଗ ଲାଗିବାକୁ ଦେଇନଥିଲା। ଅମୃତସରରେ ଏସବୁ ଯୁଦ୍ଧାସ୍ତ୍ରର ଡେମୋ ଦେଖାଇବା ସହ, ପାକିସ୍ତାନୀ ଡ୍ରୋନ୍ ଓ ମିଜାଇଲ ଧ୍ବଂସାବଶେଷ ଗୁଡ଼ିକ ପ୍ରଦର୍ଶନ କରିଛି ଭାରତୀୟ ସେନା। ୧୫ ଇନଫାଣ୍ଟ୍ରି ଡିଭିଜନ୍ ର ଜେନେରାଲ୍ ଅଫିସର୍ କମାଣ୍ଡିଂ ମେଜର୍ ଜେନେରାଲ୍ କାର୍ତ୍ତିକ ସି. ଶେଷାଦ୍ରି କହିଛନ୍ତି, ଦେଶ ଭିତରେ ସାମାଜିକ ଓ ସାଂପ୍ରଦାୟିକ ଅସ୍ଥିରତା ସୃଷ୍ଟି ପାଇଁ ପାକିସ୍ତାନ ଧର୍ମସ୍ଥଳୀକୁ, ଖାସ୍ କରି ସ୍ବର୍ଣ୍ଣମନ୍ଦିରକୁ ଟାର୍ଗେଟ୍ କରିବ ବୋଲି ଆମେ ଅନୁମାନ କରିଥିଲୁ। ତେଣୁ ଏହାକୁ ସୁରକ୍ଷା ଦେବା ପାଇଁ ଅଧିକ ସଂଖ୍ୟାରେ ଆଧୁନିକ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରିଥିଲୁ।

ଦୀର୍ଘ ୫୪ ବର୍ଷ ପରେ ମେ' ୭ ରାତିରେ ଲିଭିଥିଲା ଗୋଲ୍ଡେନ୍ ଟେମ୍ପଲ ପରିସରର ସବୁତକ ଲାଇଟ୍। ୧୯୬୫ ଓ ୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ସ୍ବର୍ଣ୍ଣମନ୍ଦିର ପରିସରକୁ ଅନ୍ଧାର କରାଯାଇଥିବା ବେଳେ, ଅପରେସନ୍ ସିନ୍ଦୂର ପରବର୍ତ୍ତୀ ସତର୍କତା ମୂଳକ ପଦକ୍ଷେପ ଭାବେ ଘଟିଥିଲା ଏହାର ପୁନରାବୃତ୍ତି। ତେବେ ଏଥିପାଇଁ ସ୍ବର୍ଣ୍ଣମନ୍ଦିର କର୍ତ୍ତୃପକ୍ଷଙ୍କୁ ସମ୍ଭାବ୍ୟ ବିପଦ ସଂପର୍କରେ ବିସ୍ତୃତ ଭାବେ ଅବଗତ କରାଯାଇଥିଲା ବୋଲି କହିଛନ୍ତି ଆର୍ମି ଏୟାର ଡିଫେନ୍ସ ଡିଜି ଲେଫ୍ଟନାଣ୍ଟ ଜେନେରାଲ୍ ସୁମେର୍ ଇଭାନ୍ ଡିକୁହ୍ନା।

Advertisment

କେବଳ ଏୟାର ଡିଫେନ୍ସ ପ୍ରଣାଳୀ ନୁହେଁ, ଲଢ଼େଇ ବେଳେ ସୀମାର ଆଗୁଆ ପୋଷ୍ଟରେ ମୁତୟନ ଥିବା ବୀର ଯବାନମାନେ ମଧ୍ୟ ପାକିସ୍ତାନୀ ଅନୁପ୍ରବେଶର ମୁହଁତୋଡ଼ ଜବାବ ଦେଇଥିଲେ ଏବଂ ଭାରତ ଆଡ଼ୁ ଜୋରଦାର ଜବାବୀ ହମଲା ପରେ ପାକିସ୍ତାନୀ ପୋଷ୍ଟଗୁଡ଼ିକରେ ତୁରନ୍ତ ଧଳା ପତାକା ଉଡ଼ୁଥିବା ଦେଖିବାକୁ ମିଳିଥିଲା।

ଅଧିକ ପଢନ୍ତୁ : ଗାଜାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବୁ- ନେତନ୍ୟାହୁ

Pakistan Punjab Golden Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ