• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରେମିକା ଉପରେ ଗାଡ଼ି ଚଢାଇ ମାରି ଦେବାକୁ ପ୍ରେମିକର ଉଦ୍ୟମ । ଏଭଳି ଏକ ଚାଂଚଲ୍ୟକର ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଥାନେରେ । ଉଭୟଙ୍କ ମଧ୍ୟରେ ହୋଇଥିବା ବଚସା ଉଗ୍ରରୂପ ନେବା ପରେ ଜହ୍ଲାଦ ପ୍ରେମିକ ଏଭଳି କାଣ୍ଡ ଘଟାଇଛି । ପ୍ରେମିକା ତଥା ସୋସିାଆଲ ମିଡିଆ ଇନଫ୍ଲୁଏନ୍ସର ପ୍ରିୟା ସିଂ ଏବେ ହସ୍ପିଟାଲରେ ଜୀବନ ପାଇଁ ସଂଘର୍ଷ କରୁଥିବା ବେଳେ ପ୍ରେମିକ ଜଣଙ୍କ ମହାରାଷ୍ଟ୍ରର ଜଣେ ପ୍ରଭାବଶାଳୀ ଅଧିକାରୀଙ୍କ ପୁଅ ବୋଲି ଜଣାପଡ଼ିଛି ।

ଜହ୍ଲାଦ ପ୍ରେମିକର ଜଘନ୍ୟ କାଣ୍ଡ ! ବିଚ୍ ରାସ୍ତାରେ ପ୍ରେମିକା ଉପରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ । ହସ୍ପିଟାଲ ବେଡରେ ଛଟପଟ ହେଉଛନ୍ତି ଯୁବତୀ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ଥାନେରେ । ବିଡମ୍ବନାର କଥା, ଘଟଣା ଗତ ସୋମବାରର ହୋଇଥିଲେ ମଧ୍ୟ ପୋଲିସ ଏହି ମାମଲାରେ କାହାରିକୁ ଗିରଫ କରି ପାରିନାହିଁ । ଅଭିଯୁକ୍ତ ଜଣକ ହେଉଛନ୍ତି ମହାରାଷ୍ଟ୍ର ରୋଡ୍ ଡେଭଲପମେଣ୍ଟ କର୍ପୋରସନର MD ଅନୀଲ କୁମାର ଗାଏକୱାଡଙ୍କ ପୁଅ ଅଶ୍ୱଜିତ ଗାଏକୱାଡ୍ ।

ହସ୍ପିଟାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଥିବ ଯୁବତୀ ପ୍ରିୟା ସିଂ, ସୋସିଆଲ ମିଡିଆରେ ଏଭଳି ଏହି ବର୍ବର କାଣ୍ଡ ସମ୍ପର୍କରେ ପୋଷ୍ଟ କରି ଘଟଣାକୁ ଲୋକଲୋଚନକୁ ଆଣିଛନ୍ତି । ଜଣେ ସୋସିାଆଲ ମିଡିଆ ଇନଫ୍ଲୁଏନ୍ସର ଭାବେ ଜଣାଶୁଣା ପ୍ରିୟାଙ୍କ କହିବା ଅନୁଯାୟୀ, ଅଶ୍ୱଜିତଙ୍କ ସହ ତାଙ୍କ ଦୀର୍ଘ ୫ ବର୍ଷ ଧରି ସମ୍ପର୍କ ଥିଲା । ଅଶ୍ୱଜିତ ବିବାହିତ ଥିଲେ । ହେଲେ ପତ୍ନୀଙ୍କଠାରୁ ସେ ଅଲଗା ରହୁଥିବା କହିଥିଲେ । ଏକ ପାର୍ଟି ପାଇଁ ଅଶ୍ୱଜିତ ତାଙ୍କୁ ଫୋନ୍ କରିବାରୁ ଗତ ସୋମବାର ରାତିରେ ଏକ ହୋଟେଲକୁ ଯାଇଥିଲେ । କିନ୍ତୁ ସେଠାରେ ଅଶ୍ୱଜିତ ତାଙ୍କ ପତ୍ନୀଙ୍କ ସହ ଥିଲେ ଏବଂ ତାଙ୍କ ପ୍ରତି ଅଜବ ଆଚରଣ କରିଥିଲେ ।

ଏହା ଦେଖି ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଅଶ୍ୱଜିତ ତାଙ୍କୁ ମାରପିଟ କରିଥିଲେ । ସେ କାରରୁ ନିଜ ଜିନିଷ ନେଇ ଚାଲିଯିବାକୁ ବାହାରିଥିଲେ । ହେଲେ ଗାଡି ଚଢାଇ ଦେବାକୁ ଅଶ୍ୱଜିତ ନିଜ ଡ୍ରାଇଭରଙ୍କୁ କହିଥିଲେ ବୋଲି ପ୍ରିୟା କହିଛନ୍ତି । ଏହାପରେ ଡ୍ରାଇଭର ତାଙ୍କ ଉପରେ କାର୍ ଚଢ଼ାଇଦେବାରୁ ସେ ଗୁରୁତର ହୋଇ ପଡ଼ିଥିଲେ । ରାସ୍ତାରେ ଯାଉଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ପ୍ରିୟା କହିଛନ୍ତି ।

ଏହି ଘଟଣାରେ ପ୍ରିୟାଙ୍କ ଡାହଣ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଶରୀରର ବାମପଟେ ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଛି । ହସ୍ପିଟାଲ ବେଡରେ ସେ ଏବେ ଅକଥନୀୟ ଯନ୍ତ୍ରଣା ପାଉଥିବା କହିଛନ୍ତି ୨୬ ବର୍ଷୀୟ ପ୍ରିୟା । ଥାନାରେ ସେ ମାମଲା ରୁଜୁ କରିଥିବାବେଳେ ପୋଲିସ୍ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ କରିଛନ୍ତି ।

ତେବେ ଏନେଇ ସୋସିଆଲ ମିଡିଆ ପୋଷ୍ଟ ପରେ ପୋଲିସ୍ ଅଭିଯୁକ୍ତ ଅଶ୍ୱଜିତଙ୍କ ସମେତ ତାଙ୍କ ସାଙ୍ଗ ଓ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡିଛି । ମାମଲାରେ ପଚରାଉଚରା ଚାଲିଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ୍ ସୂଚନା ଦେଇଛି । ସେପଟେ ପ୍ରିୟାଙ୍କ ଉପରେ ଗାଡ଼ି ଚଢ଼ାଇବା ଅଭିଯୋଗକୁ ଅଶ୍ବଜିତ ପୋଲିସ ଆଗରେ ଖଣ୍ଡନ କରିଥିବା ସୂଚନା ମିଳିଛି ।