ଆଜିକାଲିର ଯୁବପିଢ଼ିଙ୍କୁ ଅନ୍ଲାଇନ୍ ଗେମ୍ ନିଶା ଏତେ ଘାରିଲାଣି ଯେ, ଏଥିପାଇଁ ଜୀବନ ହାରିବାକୁ ମଧ୍ୟ ସେମାନେ ପଛାଉ ନାହାନ୍ତି। ପରିବାର ଲୋକ ତାଗିଦ୍ କରିବାରୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି। ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ଲକ୍ଷ୍ନୌର ବଲ୍ଦେବ ଖେଡା ଅଞ୍ଚଳର ଜଣେ ୧୦ ବର୍ଷୀୟା ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଅନ୍ଲାଇନ୍ ଗେମ୍ ଖେଳିବାକୁ ମା’ ମନା କରିବା ସହ ଗାଳି କରିବାରୁ ଯୁବତୀ ଜଣକ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ: ଜୀବନ ନେଲା ଅନ୍ଲାଇନ୍ ଗେମ୍ ! ୧୦ ହଜାର ଟଙ୍କା ପାଇଁ ଯୁବକଙ୍କ ଆତ୍ମହତ୍ୟା
Also Read
ସୂଚନା ଅନୁସାରେ, ଯୁବତୀ ଜଣକ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ। କିଛି ବର୍ଷ ପୂର୍ବେ ସେ ବାପାଙ୍କୁ ହରାଇଥିଲେ। ବାପାଙ୍କ ମୃତ୍ୟୁ ପରେ, ମା’ ନିତୁ ଅନ୍ୟ ଘରେ କାମ କରି ପରିବାର ଚଳାନ୍ତି। ଫଳରେ ଝିଅର ପାଠପଢ଼ା ପ୍ରତି ସେ ଏତେଟା ଆଉ ଧ୍ୟାନ ଦେଇପାରନ୍ତି ନାହିଁ। ଝିଅର ମଧ୍ୟ ଧୀରେ ଧୀରେ ପାଠପଢ଼ା ପ୍ରତି ଆଗ୍ରହ କମିବା ସହ ଅଧିକାଂଶ ସମୟ ଅନ୍ଲାଇନ୍ ଗେମ୍ରେ ସମୟ ବିତାଉ ଥିଲା।
ଏସବୁ ଦେଖି ମଙ୍ଗଳବାର ଦିନ ନିତୁ ଝିଅକୁ ଗାଳି ଦେବା ସହ ଅନ୍ଲାଇନ୍ ଗେମ୍ ଖେଳିବା ପାଇଁ ବାରଣ କରିଥିଲେ। ଏହାପରେ କାମ ପାଇଁ ବାହାରି ଯାଇଥିଲେ। ଘରକୁ ଫେରିବା ପରେ ସେ ଝିଅର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।