• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଡିସେମ୍ବର ୨୦୧୯ରେ, ସରକାର ପ୍ରଥମ ଥର ପାଇଁ ସିଡିଏସ୍‌ ପଦବୀ ଘୋଷଣା କରିଥିଲେ । ଆଉ ୩୦ ଡିସେମ୍ବରରେ ଜେନେରାଲ ବିପିନ ରାୱତଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଥିଲା । ସେ ତିନି ସେନାର ପ୍ରମୁଖ ଥିଲେ । ଏହି ପଦବୀରେ ନିଯୁକ୍ତି ପାଇଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ଜେନେରାଲ ବିପିନ୍‌ ରାୱତ୍ । ନ୍ୟାସନାଲ ଡିଫେନ୍ସ ଏକାଡେମୀ ଏବଂ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀର ଛାତ୍ର ଥିଲେ ଶ୍ରୀ ରାୱତ । ସେ ୨୦୧୬ରେ ଭାରତର ୨୭ତମ ସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ପ୍ରାୟ ୪ ଦଶନ୍ଧିର କ୍ୟାରିୟରରେ ସେ ଭାରତୀୟ ସେନାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ସେବା ଯୋଗାଇ ଆସିଛନ୍ତି ।

ବୁଧବାର ତାମିଲନାଡୁର କନ୍ନୁର ନିକଟରେ ଭାରତୀୟ ବାୟୁସେନାର ହେଲିକପ୍ଟର Mi-17V5 ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଉ ସେଥିରେ ଜେନେରାଲ ବିପିନ ରାୱତଙ୍କ ପରଲୋକ ଘଟିଛି । ଏହି ଦୁର୍ଘଟଣାରେ ବିପିନ ରାୱତଙ୍କ ସମେତ ତାଙ୍କ ପତ୍ନୀ ମଧ୍ୟ ପ୍ରାଣ ହରାଇଛନ୍ତି । କୁହାଯାଉଛି ପାଗ ଖରାପ ତଥା ଅଧିକ କୁହୁଡ଼ି ହେତୁ ଲୋ-ଭିଜିବିଲିଟି ସ୍ଥିତି ଉପୁଜିଥିଲା । ଯାହା ଫଳରେ ତାଙ୍କ ହେଲିକପ୍ଟରଟି ଦୁଘଟଣାଗ୍ରସ୍ତ ହୋଇଥିଲା । ନ୍ୟୁଜ୍ ଏଜେନ୍ସି ANIରୁ ମିଳିଥିବା ସୂଚନା ଅନୁଯାୟୀ, ହେଲିକପ୍ଟରରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି ।

୧୯୭୮ରେ ଭାରତୀୟ ସେନାରେ ସାମିଲ ହୋଇଥିଲେ ଜେନେରାଲ ରାୱତ । ପରେ ୧୭ ଡିସେମ୍ବର ୨୦୧୬ରେ ସେନାବାହିନୀର ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କ ପୂର୍ବରୁ ଜେନେରାଲ ଦଲବୀର ସିଂ ସୁହାଗ ଏହି ପଦବୀରେ ନିଯୁକ୍ତ ଥିଲେ । ରାୱତ ପ୍ରଥମେ ୧୧ ଗୋରଖା ରାଇଫଲ୍ସର ପଞ୍ଚମ ବାଟାଲିଅନର ସୈନିକ ଭାବେ ସେନାରେ ସାମିଲ ହୋଇଥିଲେ । ଚାରି ଦଶନ୍ଧିର କ୍ୟାରିୟରରେ, ଶ୍ରୀ ରାୱତ ବ୍ରିଗେଡିୟର୍ କମାଣ୍ଡର, ଜେନେରାଲ୍ ଅଫିସର କମାଣ୍ଡିଂ-ଇନ୍-ଚିଫ୍ (GOC-C) ସାଉଥ୍ କମାଣ୍ଡ, ମିଲିଟାରୀ ଅପରେସନ୍ ଡାଇରେକ୍ଟୋରେଟ୍‌ର ଜେନେରାଲ୍ ଷ୍ଟାଫ୍ ଅଫିସର୍‌ ଗ୍ରେଡ୍, କର୍ଣ୍ଣେଲ ମିଲିଟାରୀ ସେକ୍‌ରେଟେରୀ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଦିୟିତ୍ୱ ତୁଲାଇଥିଲେ । ସେ ମିଳିତ ଜାତିସଂଘର ଶାନ୍ତି ସୁରକ୍ଷା ବଳର ମଧ୍ୟ ଏକ ଅଂଶ ଥିଲେ । ଏହାସହ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଏକ ବହୁରାଷ୍ଟ୍ରୀୟ ବ୍ରିଗେଡ୍‌ର ମଙ୍ଗ ଧରିଥିଲେ ।

ଉତ୍ତର-ପୂର୍ବରେ ଉଗ୍ରବାଦୀଙ୍କୁ ନିପାତ କରିବାରେ ରାୱତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା । ସେ ୨୦୧୫ରେ ମିଆଁମାରରେ ଏକ କ୍ରସ୍‌ ବର୍ଡର ଅପରେସନ୍‌ର ଏକ ଅଭିଯାନ କରିଥିଲେ । ଯେଉଁଥିରେ ଭାରତୀୟ ସେନା NSCN-K ପକ୍ଷରୁ ଆତଙ୍କବାଦୀଙ୍କୁ ସଫଳତାର ସହ ଜବାବ ଦିଆଯାଇଥିଲା । ଏହି ମିଶନ ଶ୍ରୀ ରାୱତଙ୍କ ନେତୃତ୍ୱରେ ଦିମାପୁରସ୍ଥିତ ଆଇଆଇଆଇ କର୍ପସର ଅପରେସନ୍ କମାଣ୍ଡରୁ ହୋଇଥିଲା । ଏମିତିକି ୨୦୧୬ରେ ସର୍ଜିକାଲ୍ ଷ୍ଟ୍ରାଇକ୍ ଯୋଜନାର ଏକ ଅଂଶ ମଧ୍ୟ ଥିଲେ । ସର୍ଜିକାଲ ଷ୍ଟ୍ରାଇକରେ ଭାରତୀୟ ସେନା ପକ୍ଷରୁ ଲାଇନ୍‌ ଅଫ୍‌ କଣ୍ଟ୍ରୋଲ ଅତିକ୍ରମ କରି ପାକିସ୍ତାନ ଅଧିକୃତ କାଶ୍ମୀରରେ ପଶି ଆତଙ୍କବାଦୀଙ୍କୁ ମୁହଁ ତୋଡ଼ ଜବାବ ଦେଇଥିଲା ।

ସାମରିକ ସେବା ସମୟରେ ଜେନେରାଲ ରାୱତଙ୍କୁ ପରମ ବିଶିଷ୍ଟ ସେବା ପଦକ, ଉତ୍ତମ ଯୁଦ୍ଧ ସେବା ପଦକ, ଅତି ବିଶିଷ୍ଟ ସେବା ପଦକ, ବିଶିଷ୍ଟ ସେବା ପଦକ, ଯୁଦ୍ଧ ସେବା ପଦକ ଏବଂ ସେନା ପଦକ ପ୍ରଦାନ କରାଯାଇଥିଲା ।