• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଆଜି ପଞ୍ଚଭୂତରେ ବିଲୀନ ହେବେ CDS ଜେନେରାଲ ବିପିନ ରାଓ୍ୱତ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହେବ ସିଡିଏସ୍‌ଙ୍କ ଶେଷକୃତ୍ୟ । ସହିଦ ରାଓ୍ୱତଙ୍କ ସମେତ ଅନ୍ୟ ସହିଦ ଯବାନମାନଙ୍କର ମଧ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହେବ । ଆଜି ଦିଲ୍ଲୀ କରାଜ ମାର୍ଗସ୍ଥିତ ବାସଭବନକୁ ନିଆଯିବ ସିଡିଏସ ଜେନେରାଲ ବିପିନ ରାଓ୍ୱତଙ୍କ ପାର୍ଥିବ ଶରୀର ।

ଦିନ ୧୧ଟାରୁ ଦିନ ୧୨ଟା ୩୦ ଯାଏଁ ସାଧାରଣ ଲୋକେ ତାଙ୍କ ଶେଷ ଦର୍ଶନ କରିପାରିବେ । ୧୨ଟା ୩୦ରୁ ଗୋଟାଏ ୩୦ ପର୍ଯ୍ୟନ୍ତ ସାମରିକ କ୍ଷେତ୍ରର ଲୋକେ ଶେଷ ଦର୍ଶନ କରିପାରିବେ । ଏହା ପରେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ସ୍ଥିତ ବ୍ରାର ସ୍କୋୟାରକୁ ଶୋଭାଯାତ୍ରାରେ ଯିବ ତାଙ୍କ ପାର୍ଥିବ ଶରୀର । ରାତି ପ୍ରାୟ ୯ଟା ୧୫ରେ ତାଙ୍କର ଅନ୍ତିମ ସଂସ୍କାର କରାଯିବା ନେଇ ସୂଚନା ମିଳିଛି ।

ଗତକାଲି ସଂଧ୍ୟାରେ ତାମିଲନାଡୁରୁ ଦିଲ୍ଲୀରେ ପହଂଚିଥିଲା ଜେନେରାଲ ବିପିନ ରାଓ୍ୱତଙ୍କ ମର ଶରୀର । ଜେନେରାଲ ବିପିନ ରାୱତଙ୍କ ସହ ଚପର ଦୁର୍ଘଟଣାରେ ମୃତ ଅନ୍ୟ ସମସ୍ତଙ୍କ ପାର୍ଥୀବ ଶରୀର ବି ଦିଲ୍ଲୀ ଅଣାଯାଇଥିଲା । ପାଲମ ଏୟାର ବେସରେ ସମସ୍ତଙ୍କ ମରଶରୀର ପହଞ୍ଚିଥିଲା ।ଏହାପରେ ସେଠାରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା ।

ଏଥିରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ତିନି ସେନା ମୁଖ୍ୟ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ଜେନରାଲ ରାଓ୍ୱତଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏଣେ ଭୟଙ୍କର ଦୁର୍ଘଟଣାରୁ ଏକମାତ୍ର ଜୀବିତ ଥିବା ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ଲାଗି ତାମିଲନାଡୁର ୱେଲିଂଟନ ସ୍ଥିତ ସେନା ହସ୍ପିଟାଲରୁ ବେଙ୍ଗଳୁରୁ ସ୍ଥାନ୍ତାନ୍ତର କରାଯାଇଛି ।

ସେପଟେ ସହିଦ ଯବାନ ମାନଙ୍କର ଆଜି ଶେଷକୃତ୍ୟ ହେବାକୁ ଥିବାବେଳେ ସହିଦଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ ଯବାନ । ଓଡ଼ିଆ ଯବାନଙ୍କ ନାଁ ରାଣା ପ୍ରତାପ ଦାସ । ତାଙ୍କ ଘର ଅନୁଗୁଳ ଜିଲ୍ଲା କଣ୍ଢାଳ ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗାଁରେ । ଶ୍ରୀବତ୍ସ ଦାସ ଏବଂ ସୁଷମାଙ୍କ ପୁଅ ରାଣା ପ୍ରତାପ ଇଣ୍ଡିଆନ ଏୟାର ଫୋର୍ସରେ ଜୁନିଅର ଓ୍ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିଲେ । ୨୦୦୫ରେ ବାୟୁସେନାରେ ଯୋଗଦେଇଥିଲେ ରାଣା ।

ରାଣାଙ୍କ ଡାକ୍ତର ପତ୍ନୀ ଶିବାଙ୍ଗୀ ଜଣେ ଡେଣ୍ଟିଷ୍ଟ । ସେ ଏବେ ବିହାରରେ କାର୍ଯ୍ୟରତ । ତେବେ ରାଣା ଘରର ସାନ ପୁଅ ହୋଇଥିବା ବେଳେ ତାଙ୍କ ବିୟୋଗରେ ଗାଁରେ ଶୋକର ଛାୟା ଖେଳିଯାଇଛି । ରାଣା ପ୍ରତାପ ସହିଦ ହେବା ପରେ ପରିବାର ବର୍ଗ ମ୍ରିୟମାଣ ହୋଇପଡିଛନ୍ତି, ସମସ୍ତେ ବୀର ଯବାନଙ୍କୁ ମନେ ପକାଉଛନ୍ତି ।