Advertisment

ରୁପା ଥାଳିରେ ଖାଇବେ G-20 ଅତିଥି: ପରସା ଯିବ ସ୍ପେଶାଲ୍ ଥାଳି...ଗୁପ୍‌ଚୁପ୍‌, ରସଗୋଲା ସହ ରହିଛି ଏସବୁ ଖାଦ୍ୟ

ବିଦେଶୀ ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧି ମଣ୍ଡଳୀଙ୍କ ଖାଦ୍ୟକୁ ନେଇ ମଧ୍ୟ ଚର୍ଚ୍ଚା। ସେମାନଙ୍କ ଦିଲ୍ ଖୁସ୍ କରିବା ପାଇଁ କେଉଁ କେଉଁ ସ୍ୱାଦିଷ୍ଟ ବ୍ୟଞ୍ଜନ ପରସାଯିବ, ତାହା ଜାଣିବାକୁ ଉତ୍କଣ୍ଠା ବଢ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
G20 Summit: Foreign dignitaries will be served a variety of food on silver plates

G20 Summit: Foreign dignitaries will be served a variety of food on silver plates

ଭାରତରେ ଆତିଥ୍ୟତା ପ୍ରଦାନର ଏକ ପ୍ରମୁଖ ଅଙ୍ଗ ହେଉଛି ଖାଦ୍ୟ। ଆଉ ଏବେ ଯେତେବେଳେ G-20 ସମ୍ମିଳନୀରେ ଯୋଗଦେବା ପାଇଁ ସାରା ବିଶ୍ୱରୁ ଟପ୍ ଅତିଥିମାନେ ଆମ ଦେଶକୁ ଆସିଛନ୍ତି, ସେମାନଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟପେୟର ବ୍ୟବସ୍ଥା ନହେବ ବା କେମିତି? ସୂଚନା ମିଳିଛି ଯେ, ବିଦେଶୀ ଅତିଥିଙ୍କୁ ରୁପା ଥାଳିରେ ପରସାଯିବ ଦେଶୀ ଖାଦ୍ୟ। କାଶ୍ମୀରରୁ କନ୍ୟାକୁମାରୀ ଯାଏ, ସବୁ ପ୍ରାନ୍ତର ଆଞ୍ଚଳିକ ଖାଦ୍ୟକୁ ମିଳିବ ପ୍ରାଧାନ୍ୟ। 

Advertisment

G-20 ସମ୍ମିଳନୀ ପାଇଁ ଦିଲ୍ଲୀରେ ବ୍ୟବସ୍ଥା-ବନ୍ଦୋବସ୍ତ, ସୁରକ୍ଷା ଓ ସାଜସଜ୍ଜାକୁ ନେଇ ସାରାଦେଶରେ ଯେତିକି ଆଗ୍ରହ ବଢ଼ିଛି, ସେତିକି ଉତ୍ସୁକତା ମଧ୍ୟ ଦେଖିବାକୁ ମିଳିଛି। ବିଦେଶୀ ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧି ମଣ୍ଡଳୀଙ୍କ ଖାଦ୍ୟକୁ ନେଇ ମଧ୍ୟ ଚର୍ଚ୍ଚା। ସେମାନଙ୍କ ଦିଲ୍ ଖୁସ୍ କରିବା ପାଇଁ କେଉଁ କେଉଁ ସ୍ୱାଦିଷ୍ଟ ବ୍ୟଞ୍ଜନ ପରସାଯିବ, ତାହା ଜାଣିବାକୁ ଉତ୍କଣ୍ଠା ବଢ଼ିଛି।

ସୂଚନା ଅନୁସାରେ, ଦେଶର ବିଭିନ୍ନ ପ୍ରାନ୍ତରେ ଲୋକପ୍ରିୟ ସ୍ଥାନୀୟ ତଥା ପାରମ୍ପରିକ ଏବଂ ନିରାମିଷ ଖାଦ୍ୟକୁ ଗୁରୁତ୍ୱ ଦିଆଯାଇଛି। ବିଦେଶୀ ଅତିଥିଙ୍କୁ ଶୁଦ୍ଧ ନିରାମିଷ ଖାଦ୍ୟ ପରସାଯିବ। ଜି-୨୦ ସମ୍ମିଳନୀ ଆୟୋଜିତ ହେଉଥିବା ଭାରତ ମଣ୍ଡପମ୍‌ରେ ଏଥିପାଇଁ ୭ଶହ ସେଫ୍, ୪ଶହ ଡିସ୍ ଓ ଲାଇଭ୍ କିଚେନ୍ ଆଦିର ବ୍ୟବସ୍ଥା କରାଯାଇଛି । ଅତିଥିଙ୍କ ସାମ୍ନାରେ ରୋଷେଇ କରିବେ ଫାଇଭ୍ ଷ୍ଟାର୍ ହୋଟେଲର ସେଫ୍।

Advertisment

କେବଳ ଭାରତ ମଣ୍ଡପମ୍ ନୁହେଁ, VVIPମାନେ ରହିବାକୁ ଥିବା ବିଭିନ୍ନ ହୋଟେଲରେ ବି ଏନେଇ ପ୍ରସ୍ତୁତି ଜୋରଦାର ହୋଇଛି । ନୂଆଦିଲ୍ଲୀର ତାଜ୍ ପ୍ୟାଲେସ୍‌ ପକ୍ଷରୁ ୧୨୦ ଜଣିଆ ସେଫ୍ ଟିମ୍ ୫ ଶହ  ଡିସ୍ ତିଆରି କରୁଛନ୍ତି । ସେଠାକାର ସେଫ୍ କହିଛନ୍ତି ଯେ, ଦେଶର ବିଭିନ୍ନ ରାଜ୍ୟରୁ ସ୍ଥାନୀୟ ତଥା ପାରମ୍ପରିକ ଖାଦ୍ୟ ସାମଗ୍ରୀ ଓ ମସଲା ଆଦି ସଂଗ୍ରହ କରି ଗତ ୩ ମାସ ହେଲା ସବୁଦିନ ସେମାନେ ବିଭିନ୍ନ ବ୍ୟଞ୍ଜନ ରୋଷେଇ ଅଭ୍ୟାସ କରୁଛନ୍ତି । ଯେପରି ଅତିଥିଙ୍କ ମନରେ ଭାରତୀୟ ପାରମ୍ପରିକ ଖାଦ୍ୟର ଅନୁଭୂତି ଚିରଦିନ ମନେ ରହିବ।

G-20 ଅତିଥିଙ୍କ ଫୁଡ୍ ମେନ୍ୟୁ...

  • ଗୁଜରାଟ, ରାଜସ୍ଥାନ ଓ ମହାରାଷ୍ଟ୍ରର ସ୍ପେଶାଲ୍ ଥାଳି। ସେଥିରେ ୧୨ ପ୍ରକାର ପାରମ୍ପରିକ ବ୍ୟଞ୍ଜନ ରହିଛି।
  • ଦିଲ୍ଲୀର ଚାଟ୍, ମହାରାଷ୍ଟ୍ରର ପାଓଭାଜି ଓ ବଡ଼ାପାଓ
  • ରାଜସ୍ଥାନର ଡାଲ୍ ବାଟି ଚୁରମା ଓ ତାମିଲନାଡ଼ୁର ପନିୟାରମ୍
  • ଦକ୍ଷିଣ ଭାରତର ମସାଲା ଦୋସା, ଉତ୍ତପମ୍ ଓ ଇଡଲୀ 
  • ଗୁପ୍‌ଚୁପ୍‌, ଚଟପଟି ଚାଟ୍, ଦହିଭଲ୍ଲା, ସିଙ୍ଗଡ଼ା, ଭେଲପୁରୀ
  • ବିହାରର ଲିଟ୍ଟି ଚୋଖା ଓ ପଞ୍ଜାବୀ ତଡ଼କା ଡାଲ୍
  • ମିଠାରେ ରହିଛି- ରସଗୋଲା, ଜିଲାପୀ, ମଲାଇ ଘେବର, ଗୁଲାବ ଚୁରମା, ପିସ୍ତା କୁଲଫି, ଶ୍ରୀଖଣ୍ଡ, ମଲାଇ କୁଲଫି
  • କେଶର ପିସ୍ତା ଠଣ୍ଡାଇ, ମିଶ୍ରୀ ମାୱା, କ୍ଷୀର୍, ଗାଜର ହାଲୁଆ
  • ମୋତିଚୁର ଲଡ୍ଡୁ, ଡ୍ରାଏଫ୍ରୁଟ୍ସ ମିଠା, ରସମଲାଇ, ଯୋଧପୁରୀ ମାୱା

ବିଦେଶୀ ଅତିଥିଙ୍କ ଭୋଜନ ପାଇଁ ରୁପାରେ ତିଆରି ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ବାସନକୁସନକୁ ପ୍ରସ୍ତୁତ ରଖାଯାଇଛି। ଜୟପୁରର ଏକ ସଂସ୍ଥା ଏସବୁ ବାସନକୁସନ ତିଆରି କରିଥିବା ବେଳେ ଦିଲ୍ଲୀର ୧୦ରୁ ଅଧିକ ନାମୀଦାମୀ ହୋଟେଲ୍ ଏସବୁ ବାସନକୁସନ ଅର୍ଡର୍ ଦେଇଛନ୍ତି। ଏସବୁ ବାସନକୁସନରେ ଆମ ଦେଶର ଐତିହ ପରମ୍ପରାର ଝଲକ ବି ଦେଖିବାକୁ ମିଳିଛି। ଅତିଥିମାନଙ୍କୁ ଖାଦ୍ୟ ପରସା ଯିବା ଲାଗି ଜାତୀୟ ପକ୍ଷୀ ମୟୂର ଆକୃତିର ପାଣିପାତ୍ରଠାରୁ ଆରମ୍ଭ କରି ବିଭିନ୍ନ କାରୁକାର୍ଯ୍ୟରେ ମଣ୍ଡିତ ବାସନକୁ ସଜାଇ ରଖାଯାଇଛି। ପ୍ରାୟ ୨ ଶହ କାରିଗର ୫୦ ହଜାର ଘଣ୍ଟା କାର୍ଯ୍ୟ କରି ୧୫ ହଜାରଟି ରୌପ୍ୟ ବାସନକୁସନ ତିଆରି କରିଛନ୍ତି।

କେବଳ ରୁପା ଥାଳି ନୁହେଁ ବିଦେଶୀ ଅତିଥିଙ୍କ ମାଣ୍ଡିଆ ଓ ବାଜରାରୁ ପ୍ରସ୍ତୁତ ଖାଦ୍ୟକୁ ନେଇ ବି ବଢ଼ିଛି ଚର୍ଚ୍ଚା। ଚଳିତବର୍ଷ ଜାତିସଂଘ ପକ୍ଷରୁ ଇଣ୍ଟରନ୍ୟାସନାଲ ଇଅର୍ ଅଫ୍ ମିଲେଟ୍ସ ବା ଅନ୍ତର୍ଜାତୀୟ ଲଘୁଶସ୍ୟ ବର୍ଷ ପାଳନ ହେଉଥିବାରୁ G-20 ଫୁଡ୍ ମେନ୍ୟୁରେ ବି ମାଣ୍ଡିଆ ଓ ବାଜରା ଆଦିରୁ ପ୍ରସ୍ତୁତ ପରଟା, ସମୋସା, କ୍ଷୀରି ଓ ହାଲ୍‌ୱା ଆଦିକୁ ଗୁରୁତ୍ୱ ଦିଆଯାଇଛି । ବାଜରା କ୍ଷୀରି, ମାଣ୍ଡିଆ ବାଦାମ୍ ଲଡ଼ୁ, ଅମରନାଥ ଲଡ଼ୁ ଆଦିର ମଧ୍ୟ ସ୍ୱାଦ ଚାଖିବେ ବିଭିନ୍ନ ରାଷ୍ଟ୍ରମୁଖ୍ୟ।

ଅନ୍ୟପକ୍ଷେ, ଦିଲ୍ଲୀ ସ୍ଥିତ ଜୟପୁର ହାଉସରେ ବିଭିନ୍ନ ଦେଶର ପ୍ରଥମ ମହିଳା ବା ରାଷ୍ଟ୍ରମୁଖ୍ୟଙ୍କ ପତ୍ନୀମାନଙ୍କୁ ଏକ ସ୍ୱତନ୍ତ୍ର ଭବ୍ୟ ଭୋଜି ଲାଗି ନିମନ୍ତ୍ରଣ ମଧ୍ୟ କରାଯାଇଛି।

G20 Summit
Advertisment
Advertisment