• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ନୋ ଫଲ୍ ବା ତୁଷାରପାତ... ଦେଖିଲେ ଲାଗିବ ସତେକି ସ୍ୱର୍ଗରୁ ତୁଳା ଖସୁଛି... ଘୋଡ଼ାଇ ଦେଉଛି ପାହାଡ଼ପର୍ବତ, ଗଛବୃଚ୍ଛ, କୋଠାବାଡ଼ି । ଅନେକଙ୍କୁ ଶିହରିତ କରେ ପ୍ରକୃତିର ଏଭଳି ଶୀତକାଳୀନ ଅପୂର୍ବ ରୂପ । ଉତ୍ତରାଖଣ୍ଡର କେଦାରନାଥ ଧାମ ସତେକି ଶୁଭ୍ର ତୁଷାରରେ ଦେବ ଦେବ ମହାଦେବଙ୍କ ହିମାଭିଷେକ କରୁଛି ପ୍ରକୃତି ରାଣୀ । ଉତ୍ତରକାଶୀ ବି ଘୋଡ଼େଇ ହୋଇଛି ବରଫ ଚାଦରରେ । ଉତ୍ତରାଖଣ୍ଡର ବିଭିନ୍ନ ହିଲ୍ ଷ୍ଟେସନରେ ବି ସ୍ନୋ ଫଲ୍ ହୋଇଥିବା ବେଳେ, ବିପତ୍ତିର ଶିକାର ହୋଇଥିବା ଯୋଶୀମଠରେ ସ୍ଥିତି କିଛି ଭିନ୍ନ ।

କିଛି ଦିନ ଆଗରୁ ଉତ୍ତରାଖଣ୍ଡ ଯୋଶୀମଠରେ ମାଟି ଦବିଯାଉଥିବାରୁ ଭଙ୍ଗା ଚାଲିଥିଲା ବିପଦସଂକୁଳ କୋଠା ଗୁଡ଼ିକୁ । ହେଲେ ଏବେ ରୂପ ବଦଳାଇଛନ୍ତି ଯୋଶୀମଠ ସମେତ ପୂରା ଚମୋଲି ଜିଲ୍ଲା । ତୁଷାର ପାତ ପରେ ଧଳା ଚାଦରରେ ଢାଙ୍କି ହୋଇଛି ସମ୍ପୂର୍ଣ୍ଣ ଅଞ୍ଚଳ । ବର୍ଷା ଭଳି ଆକାଶରୁ ଖସୁଛି ମୂଲାୟମ ତୁଷାର । ଆଖିକୁ ଏହା ବେଶ୍ ସୁନ୍ଦର ଦିଶୁଥିଲେ ବି, ଯୋଶୀମଠର ଦୁର୍ଦ୍ଦଶାକୁ ଏହା ବଢ଼ାଇ ଦେଇଛି । ବାସହରା ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଥିବା ବେଳେ, କୋଠା ଉଚ୍ଛେଦ କାମ ବି ଠପ୍ ପଡ଼ିଛି ... ।

ଏଣେ ହିମାଚଳ ପ୍ରଦେଶର ମନାଲୀ, କାଙ୍ଗ୍ରା ଭ୍ୟାଲିଠୁ ନେଇ ଧର୍ମଶାଳା ଓ ଅଟଳ ଟନେଲ୍ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଛି । ପର୍ଯ୍ୟଟକଙ୍କୁ ଏହା ଖୁସି ଦେଉଥିଲେ ବି ସ୍ଥାନୀୟ ଲୋକଙ୍କ ପାଇଁ କଷ୍ଟ ବଢ଼ିଯାଇଛି । ତଳକୁ ଖସିଯାଇଛି ତାପମାତ୍ରା । ଶିମଲାରେ ଶୂନ ଡିଗ୍ରୀ, ଲାହୁଲ-ସ୍ପିତି ଅଞ୍ଚଳରେ ମାଇନସ୍ ୧୧ ଡିଗ୍ରୀ ଓ ଧରମକୋଟ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଛି । ବହୁ ପାହାଡ଼ ତଳ ଅଞ୍ଚଳରେ ବର୍ଷା ଲାଗି ରହିଛି । ଆଗାମୀ ସପ୍ତାହେ ଯାଏଁ ହିମାଚଳ ପ୍ରଦେଶ ବିଭିନ୍ନ ସ୍ଥାନରେ ତୁଷାରପାତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ହିମାଚଳ ପ୍ରଦେଶର ପ୍ରାୟ ୧୧୫ଟି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି . ।

ସେପଟେ ଶୀତଋତୁ, ବରଫ ଓ ତୁଷାର କଥା କହିଲେ, ସମସ୍ତଙ୍କ ମନକୁ ପ୍ରଥମେ ଆସେ ଭାରତର ଭୂସ୍ୱର୍ଗ କାଶ୍ମୀର କଥା । ଏଠାରେ ବି ଏବେ ଜନ୍ନତର ଯାଦୁରେ ବିମୋହିତ ପର୍ଯ୍ୟଟକ... । ଚାରିଆଡ଼େ ଧଳା ବରଫର ସମୁଦ୍ର... । ସ୍ୱିଜରଲାଣ୍ଡ୍ ବି ମାତ୍ ଖାଇବ ଭାରତର ଭୂସ୍ୱର୍ଗ ଆଗରେ ।

ଏଠାରେ ବରଫର ମଜା ନେଉଛନ୍ତି ବିଭିନ୍ନ ରାଜ୍ୟ ଓ ବିଦେଶରୁ ଏଠାକୁ ଛୁଟି ଆସିଥିବା ପର୍ଯ୍ୟଟକ, ହନିମୁନରେ ଆସିଥିବା ନବଦଂପତି... । କୁନି କୁନି ପିଲା ବି ବରଫରେ ଖେଳିବାରେ ବ୍ୟସ୍ତ । ଏକ ଅବିସ୍ମରଣୀୟ ଅନୁଭୂତି । କାଶ୍ମୀର ଘାଟିରେ ତୁଷାର ପାତ ପରେ ୨-୩ ଫୁଟର ବରଫ ଜମିଛି ଗୁଲମାର୍ଗରେ । ତେଣୁ ସ୍ନୋବୋର୍ଡିଂ, ସ୍ଲେଜ୍ ରାଇଡିଂ ଓ ସ୍ନୋ ସ୍କିଙ୍ଗ୍ କରିବା ସହିତ କେବୁଲ୍ କାରରେ ବସିବାର ସୁଯୋଗ ହାତଛଡ଼ା କରିବାକୁ କିଏ ବା ଚାହିଁବ । ପ୍ରଖ୍ୟାତ ଗୁଲମାର୍ଗ ରିସୋର୍ଟରେ ବି ବ୍ୟବସାୟ ଜମିଛି । ବେଶ୍ କିଛି ବର୍ଷ ପରେ ଗୁଲମାର୍ଗରେ ବରଫ ଇଟାରେ ତିଆରି ଚାଲିଛି ଇଗଲୁ, ଯାହା ସଂପୂର୍ଣ୍ଣ ହେଲେ ପର୍ଯ୍ୟଟକଙ୍କୁ ତା ଭିତରକୁ ଯିବାକୁ ସୁଯୋଗ ମିଳିବ । ...

ତେଣେ ସ୍ନୋ ଫଲ୍ ପରେ ଶ୍ରୀନଗରରେ ଫର୍ ବୁଟ୍ ବା ଲୋମଶ ଜୋତାର ବି ଚାହିଦା ବଢ଼ିଛି । ସେଥିପାଇଁ ଜୋତା ଦୋକାନ ଗୁଡ଼ିକରେ ସଜେଇ ହୋଇ ରହିଛି ରଙ୍ଗ ବେରଙ୍ଗର ଜୋତା । ଯାହାକୁ ପିନ୍ଧି ପର୍ଯ୍ୟଟକ ବରଫରେ ଆରାମରେ ଚାଲିପାରିବେ ... ।