Manmohan Singh Last Rites: ପଞ୍ଚଭୂତରେ ବିଲୀନ ହେଲେ ମନମୋହନ ସିଂ, ଶେଷକୃତ୍ୟରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସାମିଲ

କେତେବେଳେ ସଫଳତା... ପୁଣି କେତେ ସମାଲୋଚନା; ବୋଧ ହୁଏ ଜୀବନର ଆଉ ଏକ ନାଁ ଥିଲେ ମନମୋହନ । ବର୍ତ୍ତମାନର ନିର୍ଦ୍ଦୟତାକୁ ମୁରୁକି ହସରେ ଲିଭାଇ ଦେଇ, ଯିଏ ସଦୟ ଇତିହାସର ଆଶା ରଖିଥିଲେ...ସେମିତି ଜଣେ ଆଶାବାଦୀ ଥିଲେ ମନମୋହନ...।

ଅର୍ଥନୀତି ବିନ୍ଧାଣୀଙ୍କୁ ଅନ୍ତିମ ବିଦାୟ...

ଆଧୁନିକ ଭାରତୀୟ ଅର୍ଥନୀତିର ବିନ୍ଧାଣୀଙ୍କୁ ଅନ୍ତିମ ବିଦାୟ । ପଞ୍ଚଭୂତରେ ବିଲୀନ ହେଲା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ପାର୍ଥିବ ଶରୀର । ନୂଆଦିଲ୍ଲୀ ନିଗମବୋଧ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ, ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି । କେନ୍ଦ୍ର ସରକାରଙ୍କ ସହମତି କ୍ରମେ, ଖୁବଶୀଘ୍ର ଦିଲ୍ଲୀରେ ତାଙ୍କ ପାଇଁ ସ୍ମାରକ ସ୍ଥଳ ପ୍ରତିଷ୍ଠା ହେବାକୁ ଥିବା ବେଳେ, ନିଜର ବ୍ୟକ୍ତିତ୍ବ ଓ ଦେଶ ବିକାଶରେ ଅବଦାନ ପାଇଁ ନିଶ୍ଚିତ ରୂପେ ଚିରକାଳ ମନେ ରହିବେ ମନମୋହନ।

କେତେବେଳେ ସଫଳତା... ପୁଣି କେତେ ସମାଲୋଚନା; ବୋଧ ହୁଏ ଜୀବନର ଆଉ ଏକ ନାଁ ଥିଲେ ମନମୋହନ । ବର୍ତ୍ତମାନର ନିର୍ଦ୍ଦୟତାକୁ ମୁରୁକି ହସରେ ଲିଭାଇ ଦେଇ, ଯିଏ ସଦୟ ଇତିହାସର ଆଶା ରଖିଥିଲେ...ସେମିତି ଜଣେ ଆଶାବାଦୀ ଥିଲେ ମନମୋହନ...। ସୀମା ସରହଦ ଭୁଲି ଅମୃତସରରେ ବ୍ରେକଫାଷ୍ଟ୍, ଲାହୋରରେ ଲଞ୍ଚ୍, କାବୁଲରେ ଡିନର୍; କେବେ ଏମିତି ବି ଦିନଟିଏ ଆସୁବୋଲି ଶେଷ ଯାଏଁ ସ୍ବପ୍ନ ଦେଖୁଥିଲେ ମନମୋହନ ।

ଆଜି ବର୍ଷାଭିଜା ଶୀତୁଆ ସକାଳର ନିରବତାକୁ ଭାଙ୍ଗି, ଶୁଭୁଥିଲା 'ମନମୋହନ ସିଂ ଅମର ରହେ'। ସେନା ଗାଡ଼ିରେ ଦିଲ୍ଲୀସ୍ଥିତ ବାସଭବନରୁ କଂଗ୍ରେସ ମୁଖ୍ୟାଳୟ ଅଭିମୁଖେ ଆଗେଇ ଚାଲିଥିଲା ମନମୋହନଙ୍କ ଶେଷଯାତ୍ରା । ଫୁଲରେ ସଜାଇ, ତ୍ରିରଙ୍ଗାରେ ଘୋଡ଼ାଇ ଚିରନିଦ୍ରାରେ ଶୋଇଥିଲେ ଡକ୍ଟର ସାହାବ୍ । ସେଠାରେ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଓ ପ୍ରିୟଙ୍କାଙ୍କ ସମେତ ବହୁ କଂଗ୍ରେସ ନେତା ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଆଉ ଶେଷଥର ପାଇଁ ତାଙ୍କୁ ଆଖି ପୂରାଇ ଦେଖିଥିଲେ ତାଙ୍କ ପତ୍ନୀ ଗୁରଶରଣ କୌର ଓ ଝିଅ ଦାମନ ସିଂ ।

ଅଧିକ ପଢ଼ନ୍ତୁ: ବିମାନ ଯାତ୍ରା ବେଳେ ହ୍ୟାଣ୍ଡ ବ୍ୟାଗ୍ କଟକଣା, ଓଜନ ୭ କିଲୋରୁ ଅଧିକ ହେଲେ ଲାଗିବ ଡବଲ ଚାର୍ଜ

କଂଗ୍ରେସ ମୁଖ୍ୟାଳୟରେ ଶେଷ ଦର୍ଶନ ପରେ, ଦିଲ୍ଲୀ ନିଗମବୋଧ ଘାଟକୁ ନିଆଯାଇଥିଲା ଭାରତର ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାର୍ଥିବ ଶରୀର । ସେଠାରେ ତାଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାଚସ୍ପତି ଓମ୍ ବିର୍ଲା ଓ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରମୁଖ । ସିଡିଏସ୍ ଜେନେରାଲ୍ ଅନୀଲ ଚୌହାନ ଏବଂ ୩ ସେନା ମୁଖ୍ୟଙ୍କ ସହିତ ବରିଷ୍ଠ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଦଳ ନିର୍ବିଶେଷରେ ବହୁ ରାଜନେତା ବି ଜଣାଇଥିଲେ ଶ୍ରଦ୍ଧାଞ୍ଜଳି । ସାମିଲ ହୋଇଥିଲେ ଭୁଟାନ ରାଜା ଓ ମରିସସ୍ ବୈଦେଶିକ ମନ୍ତ୍ରୀ ପ୍ରମୁଖ ବିଦେଶୀ ପ୍ରତିନିଧି ।

ଶେଷରେ ଆସିଥିଲା ସେଇ ଭାବପୂର୍ଣ୍ଣ ଚିର ବିଦାୟର ସମୟ... ପଞ୍ଚଭୂତରେ ବିଲୀନ ହେବାର ସମୟ... ପୂର୍ଣ୍ଣ ସେନା ସମ୍ମାନ ଦେଇ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟର ସମୟ । ଦିଆଯାଇଥିଲା ୨୧ ତୋପ ସଲାମୀ । ଶୋକାକୂଳ ପରିବେଶ ଭିତରେ, ମନମୋହନଙ୍କ ପରିବାରବର୍ଗ ଓ ଶିଖ୍ ଧର୍ମଗୁରୁ ପାଠ କରିଥିଲେ ଗୁର୍-ବାଣୀ । ଆଉ ଶେଷଶଯ୍ୟାରେ ଅଗ୍ନିସଂଯୋଗ ବେଳକୁ କେବଳ ଶୁଭୁଥିଲା ଜୋ ବୋଲେ ସୋ ନିହାଲ୍.. ସତ୍ ଶ୍ରୀ ଅକାଲ୍ ।

ଅଧିକ ପଢ଼ନ୍ତୁ: ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ନିଗମବୋଧ ଘାଟ ଲୋକାରଣ୍ୟ