• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାନବିକତା ଭୁଲିଗଲା ମଣିଷ । ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସହ ଅମାନୁଷିକ ବ୍ୟବହାର । ଆଧାର କାର୍ଡ ପାଇଁ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ମଧ୍ୟପ୍ରଦେଶର ନିମୁଚରେରେ ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ସହ ଏପରି ଅମାନବୀୟ କାର୍ଯ୍ୟ ହୋଇଛି । ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଚର୍ଚ୍ଚାର ବିଷୟ ପାଲଟିଛି । ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି ଜଣେ ବ୍ୟକ୍ତି ବୃଦ୍ଧଙ୍କୁ ଜୋରରେ ଚାପୁଡ଼ା ପରେ ଚାପୁଡ଼ା ମାରୁଛନ୍ତି ଏବଂ ତାଙ୍କୁ ନିଜର ପ୍ରମାଣପତ୍ର ଦେଖାଇବାକୁ କହୁଛନ୍ତି ।

ମୃତକ ଜଣକ ରତନାମ ଜିଲ୍ଲା ସରସୀ ନିବାସୀ ଭବରଲାଲ ଚତନ୍‌ ଜୈନ୍‌ ବୋଲି କୁହାଯାଉଛି । ସେ ମାନସିକ ସ୍ତରରେ ଦୁର୍ବଳ ବୋଲି ସୂଚନା ମିଳିଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପୂର୍ବରୁ ମନସା ପୋଲିସ ଦ୍ୱାରା ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଫଟୋ ଜାରି କରାଯାଇଥିଲା । ଏହା ପରେ ରାମପୁରା ରୋଡ ମାରୁତି ଶୋ’ରୁମ ନିକଟରେ ଏକ ମୃତଦେହ ମିଳିଥିଲା । ଛାନଭିନ୍ ପରେ ମୃତଦେହ ଭବରଲାଲ ଚତନ୍‌ ଜୈନ୍‌ଙ୍କର ବୋଲି ଜଣାପଡ଼ିଛି ।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ମୃତକଙ୍କ ଦୁଇ ଭାଇ ଏବଂ ଗାଁର ଲୋକମାନେ ବହୁ ସଂଖ୍ୟାରେ ମନସା ପୋଲିସ ଷ୍ଟେସନରେ ଏକାଠି ହୋଇଥିଲେ । ଭବରଲାଲଙ୍କୁ ପିଟି ପିଟି ମାରିଦେଇଥିବା ଅଭିଯୋଗ କରିବା ସହ ତୁରନ୍ତ ଅଭିଯୁକ୍ତକୁ ଗିରଫ କରି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ଭିଡିଓରେ ଦେଖିବାକୁ ମିଳିଛି ଅଭିଯୁକ୍ତ କିପରି ବୃଦ୍ଧଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିଛି । ମାଡ଼ ମାରିବା ସହ ତୁମ ନାମ ମହମ୍ମଦ କି ପ୍ରଶ୍ନ ବୋଲି କରୁଛନ୍ତି । ଏହାସହ ବୃଦ୍ଧଙ୍କୁ ଆଧାର କାର୍ଡ ମାଗୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ମାଡ଼ ଖାଇବା ପରେ ଭବରଲାଲ ଭୟଭୀତ ହୋଇ ତାଙ୍କୁ ଛାଡ଼ିଦେବାକୁ କାକୁତିମିନତି ହେଉଛନ୍ତି । ଏହାସହ ଟଙ୍କା ନିଅ ପଛେ ମାଡ଼ ମାରନି ବୋଲି କହୁଛନ୍ତି ।

ବର୍ତ୍ତମାନ ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏସମ୍ପର୍କରେ ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି, ଅଭିଯୁକ୍ତ ଦୀନେଶ କୁଶୱାଙ୍କୁ ଚିହ୍ନଟ କରାଯାଇଛି । ତାଙ୍କ ବିରୋଧରେ ଧାରା ୩୦୨ ଏବଂ ୩୦୪ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।  କେଉଁ କାରଣରୁ ଅଭିଯୁକ୍ତ ବୃଦ୍ଧଙ୍କୁ ମାଡ଼ ମାରୁଛି, ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଅଭିଯୁକ୍ତ ଜଣକ ପୂର୍ବତନ ବିଜେପି କାଉନସିଲଙ୍କ ସ୍ୱାମୀ ବୋଲି ଜଣାପଡ଼ିଛି ।