• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : କଏଦୀ ମୃତ୍ୟୁରେ ଲାଗୁନି ବ୍ରେକ୍‌ ? ତିହାର ଜେଲରେ ବନ୍ଦ ଥିବା ଜଣେ କଏଦୀ ପୁଣି ପ୍ରାଣ ହରାଇଛନ୍ତି । ଦିଲ୍ଲୀର ତିହାର ଜେଲରେ ଗତ ୮ ଦିନ ମଧ୍ୟରେ ପାଞ୍ଚ ଜଣ କଏଦୀଙ୍କର ମୃତ୍ୟୁ ହୋଇଛି । ତେବେ ଜେଲରେ କ୍ରମାଗତ ଭାବେ କଏଦୀଙ୍କ ମୃତ୍ୟୁ ଖବର ଏକ ଆଲୋଡ଼ନ ସୃଷ୍ଟି କରିଛି । ଅନ୍ୟପଟେ ଜେଲରେ ଜୀବନ ହାରିଥିବା ସମସ୍ତ କଏଦୀଙ୍କ ମୃତ୍ୟୁ ପ୍ରାକୃତିକ ବୋଲି ଦିଲ୍ଲୀ ପୋଲିସ୍ କହିବା ପରେ ମଧ୍ୟ ଏହି ସମସ୍ତ ମାମଲା ବର୍ତ୍ତମାନ ଧାରା 176 CRPC ଅଧୀନରେ ଯାଞ୍ଚ କରାଯାଉଛି ।

ଗତକାଲି ତିହାର ଜେଲର ନମ୍ବର ୩ରେ ଜଣେ କଏଦୀଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ପ୍ରାଣ ହରାଇଥିବା କଏଦୀ ତାଙ୍କ ସେଲ୍‌ରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ଦିଲ୍ଲୀ ପୋଲିସ ସୂଚନା ଦେଇଛି । କଏଦୀଙ୍କୁ ଅଚେତ ଅବସ୍ଥାରେ ଦେଖି ତାଙ୍କୁ ପ୍ରଥମେ ଡାକ୍ତରଖାନା ନିଆଯାଇଥିଲା । ଆଉ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହି ମାମଲାରେ ଏକ ମାଜିଷ୍ଟ୍ରେଟାଲ୍ ତଦନ୍ତ ଚାଲିଛି।

ଶୁକ୍ରବାର ଦିନ ମୃତ୍ୟୁବରଣ କରିଥିବା କଏଦୀଙ୍କ ନାମ ବିକ୍ରମ ଓରଫ୍ ବିକି । ସେ ଡକାୟତି, ଚୋରି ଭଳି ମାମଲାରେ ଧରା ହୋଇ ଜେଲଦଣ୍ଡ ଭୋଗୁଥିଲେ । ସେ ଦୀର୍ଘ ଦିନ ଧରି ଜେଲର ତିନି ନମ୍ବର କୋଠରୀରେ ସଜା କାଟୁଥିଲେ । ତେବେ ବିକ୍ରମଙ୍କ ମୃତ୍ୟୁ ସମ୍ପୂର୍ଣ୍ଣ ପ୍ରାକୃତିକ ବୋଲି ଜେଲ୍‌ ପ୍ରଶାସନ ପକ୍ଷରୁ କୁହାଯାଇଛି । ଥଣ୍ଡା ବଢ଼ିବା ମଧ୍ୟ ଏହି ମୃତ୍ୟୁର ଏକ କାରଣ ହୋଇପାରେ ବୋଲି କୁହାଯାଉଛି । ବର୍ତ୍ତମାନ ଜେଲ ପ୍ରଶାସନ ଅନ୍ୟ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଛି।

ଦିଲ୍ଲୀର ତିହାର ଜେଲ ଦେଶର ସବୁଠାରୁ ସୁରକ୍ଷିତ ଜେଲ ବୋଲି କୁହାଯାଏ । ଅନ୍ୟ ଜେଲରେ ରହୁଥିବା କଏଦୀ ମାନଙ୍କ ତୁଳନାରେ ଏଠାରେ ରହୁଥିବା କଏଦୀମାନଙ୍କ ସୁରକ୍ଷା ଏବଂ ସୁବିଧା ବହୁତ ଅତ୍ୟନ୍ତ ଉଚ୍ଚକୋଟୀର । ଏଭଳି ସ୍ଥିତିରେ ଗତ ୮ ଦିନ ମଧ୍ୟରେ କଏଦୀଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।