• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ୫ ମୃତଦେହ। ବିହାରର ସମସ୍ତିପୁର ଜିଲ୍ଲାରେ ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ବିଦ୍ୟାପତିନଗର ଥାନା ଅନ୍ତର୍ଗତ ମାଉ ଧନେଶପୁର ଦକ୍ଷିଣ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଆର୍ଥିକ ସମସ୍ୟାକୁ ନେଇ ପରିବାରର ସଦସ୍ୟ ଆତ୍ମହତ୍ୟା କରିଥିବା କୁହାଯାଉଛି। ହେଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି। ମୃତକ ହେଲେ- ମନୋଜ ଝା(୪୨), ସୁନ୍ଦର ମଣି(୩୮), ସୀତା ଦେବୀ(୬୫), ସତ୍ୟମ(୧୦) ଓ ଶିବମ(୭)। 

ସୂଚନା ଅନୁସାରେ, ମନୋଜ ପତ୍ନୀ ସୁନ୍ଦର, ମା’ ସୀତା ଦେବୀ ଓ ଛୁଆ ସତ୍ୟମ ଏବଂ ଶିବମଙ୍କ ସହ ରହୁଥିଲେ। ମନୋଜଙ୍କ ୨ ଝିଅ ମଧ୍ୟ ଅଛନ୍ତି। ଜଣେ ଝିଅ ବାପ ଘରକୁ ବୁଲିବାକୁ ଆସିଥିଲେ। ସେ ଅନ୍ୟ ଏକ ରୁମ୍‌ରେ ଶୋଇଥିଲେ। ସକାଳୁ ଯେତେବେଳେ ସେ ଉଠିଲେ ପରିବାରର ୫ ସଦସ୍ୟଙ୍କ ମୃତଦେହ ଦେଖି ପାଦ ତଳୁ ତାଙ୍କର ମାଟି ଖସି ଯାଇଥିଲା। ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ସେ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ଆଖପାଖ ଲୋକ ଦୌଡ଼ି ଆସିଥିଲେ। 

ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ୫ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ପରିବାର ସଦସ୍ୟ ଧାର କରଜ କରିଥିଲେ। ଝିଅର ବାହା ଘର ପାଇଁ ମନୋଜ ଉଧାର ନେଇଥିଲେ। ପରିବାର ଉପରେ ଋଣ ଭାର ଯୋଗୁ ସେ ଚିନ୍ତାଗ୍ରସ୍ତ ଥିଲେ।