• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହରିଣ ମାରି ଖାଇଲା ଚିତା । କୁନୋ ନ୍ୟାସନାଲ ପାର୍କରେ ଛଡ଼ା ଯାଇଥିବା ଚିତା ବାଘ ପ୍ରଥମ ଶିକାର କରିଛି । ନାମିବ୍ୟାରୁ ଆସିଥିବା ୮ଟି ଚିତା କ୍ୱାରେଣ୍ଟାଇନରେ ଥିବା ବେଳେ ଗତ ରବିବାର ଚିତା ଫ୍ରେଡି ଓ ଏଲଟନ୍‌କୁ ବଡ଼ ଏନକ୍ଲୋଜରରେ ଛଡା ଯାଇଥିଲା । ସେଠାରେ ଏହି ଚିତା ଯୋଡ଼ି ଏକ ହରିଣକୁ ଶିକାର କରିଥିବା ଜଣାପଡିଛି । ଗତ ସେପ୍ଟେମ୍ବର ୧୭ରେ ନାମିବ୍ୟାରୁ ୮ଟି ଚିତାଙ୍କୁ ଆଣି ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଛଡ଼ାଯାଇଥିଲା । ସେମାନଙ୍କ ମଧ୍ୟରେ ୫ଟି ମାଈ ଚିତା ଥିବା ବେଳେ, ୩ଟି ଅଣ୍ଡିରା ଚିତା ଅଛନ୍ତି ।

ଅନ୍ୟପଟେ କିଛି ମାସ ପରେ ଯେତେବେଳେ ସେମାନଙ୍କୁ ୭୪୮ ବର୍ଗ କିଲୋମିଟର ଜଙ୍ଗଲରେ ଅବାଧ ଶିକାର ପାଇଁ ମୁକ୍ତ କରିଦିଆଯିବ, ସେତେବେଳେ ସେହି ଜଙ୍ଗଲରେ କାଳ କାଳରୁ ରହିଆସୁଥିବା କଲରାପତରିଆ ବାଘଙ୍କ ସହ ସେମାନଙ୍କର ମୁହାଁମୁହିଁ ସ୍ଥିତି ଉପୁଜିବ । ଏଭଳି ସ୍ଥିତିରେ ଚିତାଙ୍କ ପ୍ରତି କଲରାପତରିଆ ବିପଦ ସୃଷ୍ଟି କରିପାରନ୍ତି ବୋଲି ଆଶଙ୍କା କରୁଥିଲେ ବନ୍ୟଜନ୍ତୁ ବିଶେଷଜ୍ଞ ।

ଆଫ୍ରିକାରେ କଲରାପତରିଆ ବାଘ, ପ୍ରାପ୍ତବୟସ୍କ ଚିତାଙ୍କୁ ଆକ୍ରମଣ କରିବା, ଆହତ କରିବା ଏବଂ ଚିତା ଶାବକଙ୍କୁ ମାରିଦେଇଥିବା ନଜିର ରହିଛି । ହେଲେ ଏଠି କଲରାପତରିଆର ପଲ୍ଲା ଆହୁରି ଭାରି ରହିପାରେ । କାରଣ କୁନୋ ଜଙ୍ଗଲରେ କଲରାପତରିଆ ବାଘଙ୍କ ସଂଖ୍ୟା ଅଧିକ ରହିଛି । ସେମାନେ ସେଠାକାର ସ୍ଥାନୀୟ ଜନ୍ତୁ । ଅନ୍ୟପକ୍ଷରେ ଚିତା କୁନୋରେ ସ୍ୱଳ୍ପ ସଂଖ୍ୟାରେ ଥିବା ବେଳେ, ସେମାନେ ନାମିବ୍ୟାରୁ ଆସି ନୂଆ ଜଙ୍ଗଲ ସହ କେତେ ଖାପ ଖୁଆଇ ପାରୁଛନ୍ତି, ସେନେଇ ଏବେଠୁ କିଛି କହିହେବନି ।

ବନବିଭାଗର ସୂଚନା ଅନୁସାରେ, କୁନୋରେ ପ୍ରତି ଶହେ ବର୍ଗ କିଲୋମିଟର ଅଞ୍ଚଳରେ ହାରାହାରି ୯ଟି ଲେଖାଏଁ କଲରାପତରିଆ ବାଘ ଅଛନ୍ତି । ମୋଟ ସଂଖ୍ୟା ୯୮ । ତେଣୁ କଲରାପତରିଆ ସହ ପ୍ରତିଯୋଗିତା କରି ଚିତା ନିଜ ଶିକାର ଯୋଗାଡ଼ କରିପାରିବ କି ନାହିଁ ଏବଂ ଦୁଇ ଶିକାରୀ ଜନ୍ତୁ ମୁହାଁମୁହିଁ ହେଲେ କିଏ ଜିତିବ, କିଏ ହାରିବ ତାହା ସମୟ ହିଁ କହିବ ।