Advertisment

କରୋନାର କୋକୁଆ ଭୟ: ପୁଅ ସହ ନିଜକୁ ୩ ବର୍ଷ ଘର ଭିତରେ ବନ୍ଦ ରଖିଥିଲେ ମହିଳା, ଘରର ଫାଟକ ଭଙ୍ଗା ଯାଇ ଉଦ୍ଧାର...

କରୋନା ଭୟରେ ୩ ବର୍ଷ ହେଲା ଘର ଭିତରେ ପୁଅ ସହ ନିଜକୁ ବନ୍ଦ କରି ରଖିଥିଲେ ମହିଳା। ଏପରିକି ନା ନିଜେ ଘର ବାହାରକୁ ଯାଉଥିଲେ, ନା ପୁଅକୁ ଛାଡ଼ୁଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Woman Locked Self, Son For 3 Years In House

Woman Locked Self, Son For 3 Years In House

କରୋନା ଭୟରେ ୩ ବର୍ଷ ହେଲା ଘର ଭିତରେ ପୁଅ ସହ ନିଜକୁ ବନ୍ଦ କରି ରଖିଥିଲେ ମହିଳା। ଏପରିକି ନା ନିଜେ ଘର ବାହାରକୁ ଯାଉଥିଲେ, ନା ପୁଅକୁ ଛାଡ଼ୁଥିଲେ। ଖାଲି ସେତିକି ନୁହେଁ ଘର ଭିତରେ ଚୁଟି କାଟିବା ସହ ଅଳିଆ ସବୁ ଘରେ ହିଁ ରଖୁଥିଲେ ମହିଳା ଜଣକ। ସବୁଠାରୁ ବଡ଼ କଥା, ମହିଳା ଜଣକ ୩ ବର୍ଷ ହେଲା ସ୍ୱାମୀଙ୍କୁ ମଧ୍ୟ ଘର ଭିତରେ ପ୍ରବେଶ ପାଇଁ ଅନୁମତି ଦେଉ ନଥିଲେ। ଏହା ଶୁଣିଲା ପରେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଗୁରୁଗ୍ରାମର ଚକରପୁର ଅଞ୍ଚଳର ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ମହିଳାଙ୍କ ସ୍ୱାମୀ ସୁଜନ ମାଝୀ ପୋଲିସ୍‌କୁ ଜଣାଇବା ସହ ସ୍ତ୍ରୀ ଓ ପୁଅକୁ ଉଦ୍ଧାର ପାଇଁ ଅନୁରୋଧ କରିଥିଲେ। ଶେଷରେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମା’ପୁଅଙ୍କୁ ଉଦ୍ଧାର କରିଥିଲା।

Advertisment

ଘରର ଫାଟକ ଭଙ୍ଗା ଯାଇ ମା’ପୁଅଙ୍କୁ ଉଦ୍ଧାର କରାଗଲା...

ସୁଜନଙ୍କ ଅନୁରୋଧ କ୍ରମେ, ପୋଲିସ୍‌ ଟିମ୍‌, ସ୍ୱାସ୍ଥ୍ୟ ଅଧିକାରୀ ଓ ଶିଶୁ କଲ୍ୟାଣ ବିଭାଗର ଅଧିକାରୀ ମଙ୍ଗଳବାର ଦିନ ମହିଳାଙ୍କ ବାସଭବନରେ ପହଞ୍ଚିଥିଲେ। ଏହାପରେ ଘରର ମୁଖ୍ୟ ଫାଟକ ଭଙ୍ଗା ଯାଇ ମୁନ୍‌ମୁନ୍‌ ମାଝୀ ଓ ତାଙ୍କର ୧୦ ବର୍ଷର ପୁଅକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ବେଳେ ଘର ଭିତରେ ଗଦା ଗଦା କପଡ଼ା, ଚୁଟି, ଅଳିଆ, ଗ୍ରୋସରି ସବୁ ଏଣେତେଣେ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା।

୩ ବର୍ଷ ଧରି ଘର ଭିତରେ ପଡ଼ି ରହିଥିଲା ଅଳିଆ...

ମିଳିଥିବା ସୂଚନା ଅନୁସାରେ, ଗତ ୩ ବର୍ଷ ହେବ ମହିଳା ନିଜେ ଓ ତାଙ୍କ ପୁଅର ଚୁଟି ଘର ଭିତରେ ହିଁ କାଟୁଥିଲେ। ଏହାସହ ସେ ଗ୍ୟାସ୍‌ ଷ୍ଟୋଭ୍‌ ବଦଳରେ ଇଣ୍ଡକ୍ସନରେ ରୋଷେଇ କରୁଥିଲେ। ଏପରିକି ୩ ବର୍ଷ ହେଲା ଘରର ଅଳିଆ ସବୁ ବାହାରକୁ ଫିଙ୍ଗୁ ନଥିଲେ ଓ ଏହି ସମୟରେ ତାଙ୍କ ଘରକୁ ମଧ୍ୟ କେହି ଆସୁନଥିଲେ। ମୁନ୍‌ମୁନ୍‌ଙ୍କ ୧୦ ‍ବର୍ଷର ପୁଅ ଘରେ ରହି କାନ୍ଥରେ ଚିତ୍ର ଆଙ୍କିବା ସହ ପେନ୍‌ସିଲ୍‌ରେ ପାଠ ପଢ଼ୁଥିଲେ। ସେହି ସମୟରେ ମୁନ୍‌ମୁନ୍‌ଙ୍କ ପୁଅକୁ ୭ ବର୍ଷ ହୋଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟକର କଥା, ମୁନ୍‌ମୁନ୍‌ଙ୍କ ପୁଅ ଉପରେ ୩ ବର୍ଷ ହେଲା ସୂର୍ଯ୍ୟଙ୍କ କିରଣ ପଡ଼ିନାହିଁ। ଏସବୁ ସତ୍ତ୍ୱେ ପଡ଼ୋଶୀଙ୍କୁ ଟିକିଏ ହେଲେବି ଏସମ୍ପର୍କରେ ଜଣାନଥିଲା। 

Advertisment

ମୃତ୍ୟୁର ଭୟରେ ବନ୍ଦୀ କରି ରଖିଥିଲେ...

ପୋଲିସ୍‌ ସୂଚନା ଅନୁସାରେ, କୋଭିଡ୍‌ ଭୟରେ ମୁନ୍‌ମୁନ୍‌ ନିଜେ ଓ ପୁଅକୁ ଘର ଭିତରେ ବନ୍ଦ କରି ରଖିଥିଲେ। ବାହାରକୁ ଗଲେ ହୁଏତ ସେମାନଙ୍କର ମୃତ୍ୟୁ ହେବ ବୋଲି ମୁନ୍‌ମୁନ୍‌ ଭାବୁଥିଲେ। ଏହି ଭୟ ତାଙ୍କୁ ଏତେ ମାତ୍ରାରେ ଘାରି ଥିଲା ଯେ, ପୁଅ ସହ ଘର ଭିତରେ ନିଜକୁ ସେ ୩ ବର୍ଷ ବନ୍ଦୀ ଅବସ୍ଥାରେ ରଖିଥିଲେ।ଏପରିକି ସ୍ୱାମୀଙ୍କୁ ଘର ଭିତରକୁ ପ୍ରବେଶ ପାଇଁ ମଧ୍ୟ ଅନୁମତି ଦେଇନଥିଲେ ମୁନ୍‌ମୁନ୍‌। ୨୦୨୦ରୁ ସୁଜନ ଅଫିସ୍‌ କାମରେ ଘର ବାହାରେ ରହୁଥିଲେ। ପ୍ରଥମେ ଲକ୍‌ଡାଉନ୍‌ ଲାଗୁ ପରେ ମୁନ୍‌ମୁନ୍‌ ସ୍ୱାମୀଙ୍କୁ ଘର ଭିତରକୁ ପ୍ରବେଶ ପାଇଁ ଅନୁମତି ଦେଇନଥିଲେ। 

ଭିଡିଓ କଲ୍‌ରେ କରୁଥିଲେ ଯୋଗାଯୋଗ...

ଏହି ୩ ବର୍ଷ ମଧ୍ୟରେ ମୁନ୍‌ମୁନ୍‌ ଭିଡିଓ କଲ୍‌ ମାଧ୍ୟମରେ ପରିବାର ଲୋକଙ୍କ ସହ ଯୋଗାଯୋଗରେ ଥିଲେ। ସୁଜନ ପ୍ରତି ମାସରେ ଘର ଭଡ଼ା, ଇଲେକ୍ଟ୍ରିକ୍‌ ବିଲ୍‌, ପୁଅର ସ୍କୁଲ୍‌ ଫି’, ଗ୍ରୋସରି, ପରିବା ଇତ୍ୟାଦି କିଣି ଘରର ମୁଖ୍ୟ ଫାଟକରେ ରଖି ଦେଉଥିଲେ ଓ ମୁନ୍‌ମୁନ୍ ଆସି ଏହାକୁ ନେଉଥିଲେ। ଶେଷରେ ମୁନ୍‌ମୁନ୍‌ ଓ ତାଙ୍କ ୧୦ ବର୍ଷର ପୁଅକୁ ଉଦ୍ଧାର ପରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

COVID19
Advertisment
Advertisment