Advertisment

Shibu Soren: ପିତାଙ୍କ ହତ୍ୟା ବଦଳାଇ ଦେଇଥିଲା ଶିବୁ ସୋରେନଙ୍କ ଜୀବନକୁ, ୧୧ ଥର ସାଂସଦ ଓ ୩ ଥର ମୁଖ୍ୟମନ୍ତ୍ରୀ

ହଷ୍ଟେଲରେ ରହୁଥିବା ତାଙ୍କ ଦୁଇ ପୁତ୍ରଙ୍କ ପାଇଁ ଚାଉଳ ଓ ଅନ୍ୟ ସାମଗ୍ରୀ ପହଞ୍ଚାଇବାକୁ ଯାଉଥିଲା ବେଳେ ବାଟରେ ଶିବୁ ସୋରେନଙ୍କ ବାପାଙ୍କୁ ହତ୍ୟା କରାଗଲା। ଏହି ଘଟଣା ଶିବୁ ସୋରେନଙ୍କ ଜୀବନକୁ ବଦଳାଇ ଦେଇଥିଲା। ପାଠପଢ଼ାରୁ ତାଙ୍କ ମନ ଛାଡି ଯାଇଥିଲା । ଏହାପରେ ସେ ହଜାରୀବାଗରେ ରହୁଥିବା ଫରୱାର୍ଡ ବ୍ଲକ ନେତା ଲାଲ କେଦାର ନାଥ ସିହ୍ନାଙ୍କ ସମ୍ପର୍କରେ ଆସିଥିଲେ। କିଛି ଦିନ ଛୋଟମୋଟ ଠିକାଦାରୀ କାମ କଲେ ଏବଂ ଏକ ରେଳ ଲାଇନ ନିର୍ମାଣ ସମୟରେ କୁଲି କାମ ମଧ୍ୟ କରିଥିଲେ। କିନ୍ତୁ ଏହି କାମ ସେ ଛାଡ଼ି ଦେଇଥିଲେ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Shibu Soren

Shibu Soren

ଗୁରୁଜୀ, ଦିଶୋମ ଗୁରୁ, ଝାଡ଼ଖଣ୍ଡ ଆନ୍ଦୋଳନର ନେତା ତଥା ରାଜ୍ୟର ସବୁଠାରୁ ବଡ଼ ଆଦିବାସୀ ନେତା ଶିବୁ ସୋରେନଙ୍କର ଦେହାନ୍ତ ହୋଇଛି। ଏକ ସାଧାରଣ ଶିକ୍ଷକ ପରିବାରରେ ଜନ୍ମ ନେଇଥିବା ଶିବୁ ସୋରେନ ପିତାଙ୍କ ହତ୍ୟା ପରେ ରାଜନୀତିରେ ପ୍ରବେଶ କରିଥିଲେ। ଏହାପରେ ସେ ଝାଡ଼ଖଣ୍ଡ ରାଜ୍ୟ ଗଠନ ପାଇଁ ୪୦ ବର୍ଷରୁ ଅଧିକ ସମୟ ସଂଘର୍ଷ କରିଥିଲେ।

Advertisment

୨୦୦୦ ମସିହାରେ ଝାଡ଼ଖଣ୍ଡ ରାଜ୍ୟ ଗଠନ ପରେ ଶିବୁ ସୋରେନ ତିନିଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିଲେ। ବର୍ତ୍ତମାନ ତାଙ୍କ ପୁତ୍ର ହେମନ୍ତ ସୋରେନ ରାଜ୍ୟର ଶାସନ ଭାର ସମ୍ଭାଳୁଛନ୍ତି। ପିତାଙ୍କ ହତ୍ୟା ପରେ ଶିବୁ ସୋରେନଙ୍କ ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା ।

୧୯୪୪ରେ ଜନ୍ମିତ ଶିବୁ ସୋରେନଙ୍କ ପିତା ସୋବରନ ମାଞ୍ଝୀ ଜଣେ ଶିକ୍ଷକ ଥିଲେ । ସେ ଆଖପାଖ ଅଞ୍ଚଳରେ ସବୁଠାରୁ ଶିକ୍ଷିତ ଆଦିବାସୀ ବ୍ୟକ୍ତି ଭାବେ ପରିଚିତ ଥିଲେ। ଶିବୁ ସୋରେନ ଯେତେବେଳେ ବଡ଼ ହେଲେ, ତାଙ୍କ ପରିବାର ତାଙ୍କୁ ଗାଁରୁ ଦୂର ଏକ ହଷ୍ଟେଲରେ ପଢ଼ିବା ପାଇଁ ପଠାଇଥିଲେ । ସେଠାରେ ତାଙ୍କ ବଡ଼ ଭାଇ ରାଜାରାମ ସୋରେନ ଓ ସେ ହଷ୍ଟେଲରେ ରହି ପଢୁଥିଲେ।

Advertisment

ହଷ୍ଟେଲରେ ପଢ଼ୁଥିବା ସମୟରେ ଶିବୁ ସୋରେନଙ୍କ ପିତାଙ୍କୁ ହତ୍ୟା କରାଯାଇଥିଲା। ୧୯୫୭ରେ ସୋବରନ ମାଞ୍ଝୀ ତାଙ୍କ ଜଣେ ସହଯୋଗୀଙ୍କ ସହ ହଷ୍ଟେଲରେ ରହୁଥିବା ତାଙ୍କ ଦୁଇ ପୁତ୍ରଙ୍କ ପାଇଁ ଚାଉଳ ଓ ଅନ୍ୟ ସାମଗ୍ରୀ ପହଞ୍ଚାଇବାକୁ ଯାଉଥିଲା ବେଳେ ବାଟରେ ତାଙ୍କୁ ହତ୍ୟା କରାଗଲା। ଏହି ଘଟଣା ଶିବୁ ସୋରେନଙ୍କ ଜୀବନକୁ ବଦଳାଇ ଦେଇଥିଲା। ପାଠପଢ଼ାରୁ ତାଙ୍କ ମନ ଛାଡି ଯାଇଥିଲା । ଏହାପରେ ସେ ହଜାରୀବାଗରେ ରହୁଥିବା ଫରୱାର୍ଡ ବ୍ଲକ ନେତା ଲାଲ କେଦାର ନାଥ ସିହ୍ନାଙ୍କ ସମ୍ପର୍କରେ ଆସିଥିଲେ। କିଛି ଦିନ ଛୋଟମୋଟ ଠିକାଦାରୀ କାମ କଲେ ଏବଂ ଏକ ରେଳ ଲାଇନ ନିର୍ମାଣ ସମୟରେ କୁଲି କାମ ମଧ୍ୟ କରିଥିଲେ। କିନ୍ତୁ ଏହି କାମ ସେ ଛାଡ଼ି ଦେଇଥିଲେ।

ଶିବୁ ସୋରେନ ପ୍ରଥମେ ବଡ଼ଦଙ୍ଗା ପଞ୍ଚାୟତରୁ ମୁଖିଆ ନିର୍ବାଚନ ଲଢ଼ିଥିଲେ, କିନ୍ତୁ ହାରିଥିଲେ। ପରେ ଜରୀଡିହ ବିଧାନସଭା ଆସନରୁ ମଧ୍ୟ ନିର୍ବାଚନ ଲଢ଼ିଥିଲେ, କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ସଫଳତା ମିଳିନଥିଲା।

ଶିବୁ ସୋରେନ ଆଦିବାସୀ ସମାଜକୁ ଏକଜୁଟ କରି ମହାଜନଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ। ସେ ଧନକଟନୀ ଆନ୍ଦୋଳନ ଆରମ୍ଭ କରିଥିଲେ, ଯେଉଁଥିରେ ସେ ଓ ତାଙ୍କ ସାଙ୍ଗମାନେ ମହାଜନଙ୍କ ଧାନକୁ ଜୋର ଜବରଦସ୍ତ କାଟି ନେଉଥିଲେ। ସେତେବେଳେ ଯେଉଁ କ୍ଷେତରେ ଧାନ କଟାଯାଉଥିଲା, ତାହାର ଚାରିପଟେ ଆଦିବାସୀ ଯୁବକମାନେ ଧନୁ-ତୀର ଧରି ଛିଡ଼ା ହେଉଥିଲେ। ଧୀରେ ଧୀରେ ଶିବୁ ସୋରେନଙ୍କ ପ୍ରଭାବ ବଢ଼ିବାକୁ ଲାଗିଲା। ଆଦିବାସୀ ସମାଜରେ ଏହି ନୂଆ ଯୁବକଙ୍କୁ ନୂଆ ନେତା ଭାବେ ଲୋକ ଦେଖିଲେ । ଏହି ଆନ୍ଦୋଳନ ସମୟରେ ଶିବୁ ସୋରେନଙ୍କୁ ‘ଦିଶୋମ ଗୁରୁ’ ଉପାଧି ମିଳିଥିଲା । ଏହାର ଅର୍ଥ ସାନ୍ତାଳୀ ଭାଷାରେ ‘ଦେଶର ଗୁରୁ’।

୧୯୮୦ରେ ସେ ଦୁମକା ଲୋକସଭା ଆସନରୁ ଧନୁ-ତୀର ନିର୍ବାଚନ ଚିହ୍ନ ନେଇ ନିର୍ବାଚନ ଲଢ଼ିଥିଲେ। ବିହାରଠାରୁ ଅଲଗା ହୋଇ ଝାଡ଼ଖଣ୍ଡ ରାଜ୍ୟ ଗଠନ ପାଇଁ ସେ ‘ଦିଶୋମ ଦାଡ଼ୀ ଚନ୍ଦା’ ଅଭିଯାନ ଆରମ୍ଭ କରିଥିଲେ। ଏହି ଅଭିଯାନରେ ପ୍ରତ୍ୟେକ ଗାଁର ପରିବାରଙ୍କଠାରୁ ୨୫୦ ଗ୍ରାମ ଚାଉଳ ଓ ୩ ଟଙ୍କା ଦାନ ଆକାରରେ ଗ୍ରହଣ କରିବାକୁ ଅନୁରୋଧ କରାଯାଇଥିଲା।

ଏହି ଅଭିଯାନରୁ ସଂଗୃହୀତ ଅର୍ଥରେ ଶିବୁ ସୋରେନ ନିର୍ବାଚନ ଲଢ଼ି ଜିତିଥିଲେ। ଏହାପରେ ସେ ଦୁମକା ଲୋକସଭା ଆସନରୁ ୧୯୮୦, ୧୯୮୯, ୧୯୯୧, ୧୯୯୬, ୨୦୦୨, ୨୦୦୪, ୨୦୦୯ ଓ ୨୦୧୪ରେ ୮ ଥର ଜିତି ଏକ ରେକର୍ଡ ସୃଷ୍ଟି କରିଥିଲେ।

ଶିବୁ ସୋରେନ ତିନିଥର ରାଜ୍ୟସଭା ସଦସ୍ୟ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ ଏବଂ କେନ୍ଦ୍ର ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨ ମାର୍ଚ୍ଚ ୨୦୦୫ରେ ସେ ପ୍ରଥମ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେଲେ, କିନ୍ତୁ ଶଶିନାଥ ହତ୍ୟାକାଣ୍ଡରେ ନାମ ଜଡ଼ିତ ହେବା ଯୋଗୁ ୧୧ ମାର୍ଚ୍ଚ ୨୦୦୫ରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ଏହି ମାମଲାରେ ସେ ଜେଲ ଯାଇଥିଲେ, କିନ୍ତୁ ଉଚ୍ଚ ଅଦାଲତରୁ ଦୋଷମୁକ୍ତ ହୋଇଥିଲେ। ଏହାପରେ ୨୭ ଅଗଷ୍ଟ ୨୦୦୮ରେ ସେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେଲେ, କିନ୍ତୁ ତମାଡ଼ ବିଧାନସଭା ନିର୍ବାଚନରେ ହାରିବା ଯୋଗୁ ୧୧ ଜାନୁଆରୀ ୨୦୦୯ରେ ଇସ୍ତଫା ଦେଇଥିଲେ। ୨୦୦୯ ଡିସେମ୍ବରରେ ସେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେଲେ, କିନ୍ତୁ କିଛି ଦିନ ପରେ ପୁଣି ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ସେ କେବେ ପୂରା ସମୟ ମୁଖ୍ୟମନ୍ତ୍ରୀ ରହିପାରି ନାହାନ୍ତି । ତାଙ୍କ ଜୀବନ ଏକ ସଂଘର୍ଷମୟ କାହାଣୀ ।

ଅଧିକ ପଢ଼ନ୍ତୁ: ପୁଣି ତେରଛା ବାଣ ମାରିଲେ ଶଶି ଥରୁର, ରାହୁଲ ଗାନ୍ଧୀଙ୍କଠାରୁ ରଖିଲେ ଅଲଗା ମତ

Jharkhand Jharkhand Mukti Morcha shibu-soren
Advertisment
Advertisment