• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଓପିଡିରେ ଚେକ୍‌ ଅପ୍‌ ବାହାନାରେ ମହିଳାଙ୍କ ସହ ଜୋର ଜବରଦସ୍ତି କରୁଥିଲେ ନକଲି ଡାକ୍ତର । ମୁମ୍ବାଇର ସୁବୁରବନ୍‌ ଗୋବନ୍ଦୀ ଅଞ୍ଚଳରେ ଥିବା ଗୋଟାଏ ଘରୋଇ ଡାକ୍ତରଖାନାରେ ଜଣେ ବ୍ୟକ୍ତି ଡାକ୍ତର ସାଜି ଜଣେ ମହିଳାଙ୍କ ସହିତ ଅସଦାଚରଣ କରୁଥିବା ଅବସ୍ଥାରେ ଧରାପଡ଼ିଛନ୍ତି । ଏନେଇ ପୀଡ଼ିତାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍‌ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାରେ ଆଉ ଜଣେ ଫେରାର ହୋଇ ଯାଇଛନ୍ତି ।

ସୂଚନାନୁଯାୟୀ, ଅଭିଯୁକ୍ତ ନକଲି ଡାକ୍ତରଜଣକ ମହିଳାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ବାହନାରେ ‘ଓପିଡି’କୁ ନେଇଥିଲେ । ବହୁ ସମୟ ଧରି ସ୍ତ୍ରୀ ବାହାରକୁ ନ ଆସିବାରୁ ସନ୍ଦେହ କରି ସ୍ବାମୀ ଭିତରକୁ ଯାଇ ଦେଖିଥିଲେ ଯେ ଡାକ୍ତରଜଣକ ତାଙ୍କ ପତ୍ନୀଙ୍କ ସହ ଜୋରଜବରଦସ୍ତି କରିବା ସହ ତାଙ୍କୁ ଦୁର୍ବ୍ୟବହାର କରୁଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ସେ ଚିତ୍କାର କରିବା ସହିତ ଫୋନ୍‌ କରି ପୋଲିସକୁ ସୂଚନା ଦେଇଥିଲେ ।

ପୋଲିସ ତଦନ୍ତ କରି ଜାଣିପାରିଥିଲା ଯେ, ଉକ୍ତ ହସ୍ପିଟାଲ୍‌ରେ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିଜଣଙ୍କର କୌଣସି ଡାକ୍ତରୀ ଡିଗ୍ରି ନାହିଁ । ତେବେ ବିନା ମେଡିକାଲ ସାର୍ଟିଫିକେଟରେ କିପରି ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଚାକିରି ମିଳିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସ୍‌ ନକଲି ଡାକ୍ତରଙ୍କ ସମେତ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଥିବା ବେଳେ ହସ୍ପିଟାଲ ମାଲିକ ଫେରାର ଅଛନ୍ତି । ନକଲି ଡାକ୍ତର ଓ ତାଙ୍କ ସହଯୋଗୀଙ୍କୁ ‘ଆଇପିସି’ର କେତେକ ଧାରା ଏବଂ ‘ମହାରାଷ୍ଟ୍ର ମେଡିକାଲ୍‌ ପ୍ରାକ୍ଟିସନର୍ସ ଆକ୍ଟ’ ଓ ‘ମହାରାଷ୍ଟ୍ର ନର୍ସିଙ୍ଗ୍‌ହୋମ୍‌ ଆକ୍ଟ’ ଅନୁଯାୟୀ ଗିରଫ କରାଯାଇଛି ।