• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଘରଭଡ଼ା ଦେଇନପାରିବା ଦଣ୍ଡନୀୟ ଅପରାଧ ନୁହେଁ । ଏକ ମାମଲାର ଶୁଣାଣି କରି ଭଡ଼ାଟିଆଙ୍କ ବିରୋଧରେ ଘର ମାଲିକ ଦେଇଥିବା ଏତଲାଙ୍କୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ତେବେ ଭଡ଼ା ଦେଇପାରିନଥିବା  ଭଡ଼ାଟିଆଙ୍କ ବିରୋଧରେ ଦେୱାନି କାର୍ଯ୍ୟାନୁଷ୍ଠାନ  କରାଯାଇ ପାରିବ । ହେଲେ ତାଙ୍କୁ ଜେଲଦଣ୍ଡ ହେବ ନାହିଁ । କାରଣ ଭାରତୀୟ ପିଙ୍ଗଳ କୋଡ ଅନୁଯାୟୀ ଏହାକୁ  ଦଣ୍ଡନୀୟ ଅପରାଧ ଭାବରେ ବିବେଚନା କରାଯାଏ ନାହିଁ।

ଭଡ଼ାଟିଆ ଜଣକ ଅନେକ ଦିନ ଧରି ରହୁଥିଲେ ସୁଦ୍ଧା ଘରମାଲିକଙ୍କୁ ଭଡ଼ା ଦେଇ ପାରିନଥିଲେ । ଏ ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆବେଦନକାରୀ ଘର ମାଲିକ। ହେଲେ ସେଠାରେ ମଧ୍ୟ ତାଙ୍କ ସପକ୍ଷରେ ରାୟ ଆସିନଥିଲା । ଘର ଭଡା ଦେଇନପାରିବା ୪୧୫  ଧାରାରେ ଠକେଇ ଓ ୪୦୩  ଧାରାରେ ହେରଫେର ଅନ୍ତର୍ଭୁକ୍ତ ହୋଇପାରିବ ନାହିଁ ।  ଧାରା ୪୧୫ ଓ ଧାରା ୪୦୩ ଅନୁଯାୟୀ  ରୁଜୁ ହୋଇଥିବା ଏ ସଂକ୍ରାନ୍ତ ଏକ ଏତଲା ରଦ୍ଦ କରିବାକୁ ଆହ୍ଲାବାଦ ହାଇକୋର୍ଟ ମନା କରିଦେଇଥିଲେ ।

ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ  ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଆବେଦନକାରୀ । ଆବେଦନର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ, ଏତଲାକୁ ଗ୍ରହଣ କରାଯାଇଥିଲେ ବି  ଘରଭଡ଼ା ଦେଇନପାରିବା ଅପରାଧ ନୁହେଁ । 

 ସୁପ୍ରିମକୋର୍ଟରେ ଘର ମାଲିକ  ଦର୍ଶାଇଥିଲେ ଯେ,  ଭ଼ଡାଟିଆଙ୍କ ଉପରେ ତାଙ୍କର ବହୁତ ବକେୟା ରହିଛି । ତାଙ୍କ ସପକ୍ଷରେ ସେ ଅନେକ ଯୁକ୍ତି ବାଢିଥିଲେ । ଏପରିକି ଭଡା କେମିତି ଆଦାୟ କରାଯିବ ବୋଲି ମଧ୍ୟ ସେ ପ୍ରାର୍ଥନା କରିଥିଲେ ।  ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହାର ଅନେକ ସିଭିଲ୍ ବାଟ ରହିଛି । କିନ୍ତୁ ଥାନାରେ କେସ୍ ହୋଇପାରିବ ନାହିଁ । ଆଇନ ଅନୁଯାୟୀ ଏହାର ସମାଧାନ କରାଯାଇପାରିବ, କିନ୍ତୁ ଭଡ଼ାଟିଆଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ।

ଆବେଦନକାରୀଙ୍କ ପକ୍ଷରୁ ଆଡଭୋକେଟ୍ ରବି ଚନ୍ଦ୍ର, କୁମାର ସୁଶୋଭନ୍, ଦୀନେଶ ଏସ୍ ବାଡିଆର୍, ଭି.କେ ଆନନ୍ଦ, କାଜୋଲ ସିଂ ଏବଂ ଆଡଭୋକେଟ୍ ରବି କୁମାର ତୋମାର କେସ୍‌ ଲଢ଼ୁଥିଲେ ।

ସେହିପରି ସିନିୟର ଆଡଭୋକେଟ ଭି କେ ଶୁକ୍ଲା, ଆଡଭୋକେଟ ଆଦର୍ଶ ଉପାଧ୍ୟାୟଙ୍କ ସହ ଆଡଭୋକେଟ ଆମୋଲ ଚିତ୍ରାଭାନ୍ସି, ମନୀଷ ଚହର ଏବଂ ଶଶି କିରଣ ପ୍ରତିପକ୍ଷଙ୍କ ପାଇଁ କେସ୍ ଲଢ଼ୁଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now