ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାରେ ଅତିକମରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ଡର୍ଜନରୁ ଅଧିକ ଆହତ ହୋଇଥିବାବେଳେ ଅନେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏଥିସହ ଭିଡ଼ ନିୟନ୍ତ୍ରଣ ପାଇଁ ୪ଟି ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି । ଆହୁରି ଅଧିକ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ତେବେ କାହିଁକି ପ୍ଲାଟଫର୍ମରେ ଅସମ୍ଭାଳ ଭିଡ ଜମିଲା ଓ ଦଳାଚକଟା ଘଟିଲା, ସେ ସମୟର ପୁରା ସ୍ଥିତି ବଖାଣିଛନ୍ତି କିଛି ପ୍ରତ୍ୟକ୍ଷଦର୍ଶୀ ।
ଅଧିକ ପଢ଼ନ୍ତୁ: ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟା ଘଟଣା; ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି
କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ସବୁ ପ୍ଲାଟଫର୍ମରେ ଅସମ୍ଭାଳ ଭିଡ ରହିଥିଲା । ହେଲେ ପ୍ଲାଟଫର୍ମ ୧୨, ୧୩, ୧୪ ଓ ୧୫ରେ ସ୍ଥିତି ଅତ୍ୟନ୍ତ ଖରାପ ଥିଲା । ରେଲୱେ ପକ୍ଷରୁ ଟ୍ରେନଗୁଡିକର ରହଣି ପାଇଁ ବାରମ୍ବାର ପ୍ଲାଟଫର୍ମ ନମ୍ବର ବଦଳିବା ଘୋଷଣା ଯୋଗୁଁ ଦଳାଚକଟା ଉପୁଜିଥିଲା । ହେଲେ ସେଠି ଭିଡ ନିୟନ୍ତ୍ରଣ ପାଇଁ କେହି ନଥିଲେ । ଏହି କାରଣରୁ ଏତେ ସଂଖ୍ୟକ ମୃତାହତ ଘଟିଲା ।
ଆଉ ଜଣେ ପ୍ରତ୍ୟକ୍ଷଦର୍ଶ କହିଛନ୍ତି, ଷ୍ଟେସନରେ ଦଳାଚକଟା ଘଟଣାରେ ମୁଁ ମୋ ମାଆକୁ ହରାଇଛି । ପ୍ଲାଟଫର୍ମରେ ଓହ୍ଲାଇବାକୁ ଥିବା ସିଢିରେ ଦଳାଚକଟା ଆରମ୍ଭ ହୋଇଥିଲା । ମୁଁ ମୋ ପରିବାର ସହ ଛପରା ଯାଉଥିଲି । ଆମେ ସିଢିରେ ତଳକୁ ଓହ୍ଲାଉଥିଲୁ । ସେ ସମୟରେ କୌଣସି ପ୍ରକାର ଅବ୍ୟବସ୍ଥାର ଆଭାସ ହୋଇନଥିଲା । ହେଲେ ଅଚାନକ ସିଢିରେ ଅସମ୍ଭାଳ ଭିଡ ମାଡି ଆସିଥିଲା । ଠେଲାପେଲାରେ ମୋ ମାଆ ସହ ଅନେକ ମହିଳା ତଳେ ପଡି ଯାଇଥିଲେ । ଲୋକମାନେ ସେମାନଙ୍କୁ ଦଳି ଆଗକୁ ମାଡି ଯାଇଥିଲେ ।
ଅଘଟଣ ବେଳେ ଉପସ୍ଥିତ ଜଣେ ବାୟୁସେନା ଅଧିକାରୀ କହିଛନ୍ତି, ଲୋକମାନଙ୍କୁ ବହୁସଂଖ୍ୟାରେ ଏକାଠି ନ ହେବାକୁ ରେଲୱେର ବାରମ୍ବାର ଘୋଷଣା ଓ ବୁଝାଯିବା ସତ୍ତ୍ୱେ କେହି ଶୁଣିନଥିଲେ । ପ୍ରଶାସନ ଭିଡ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା । ଲୋକମାନେ ନ ମାନିବା କାରଣରୁ ସ୍ଥିତି ବେକାବୁ ହୋଇଯାଇଥିଲା ।
ଏନେଇ ଡିସିପି ରେଲୱେ କେପିଏସ୍ ମଲହୋତ୍ରା କହିଛନ୍ତି, ପ୍ରୟାଗରାଜ ଏକ୍ସପ୍ରେସ ୧୪ ନଂ ପ୍ଲାଟଫର୍ମରେ ଛିଡା ହୋଇଥିଲା । ଏହି ଟ୍ରେନ ଧରିବାକୁ ସେଠି ଯାତ୍ରୀଙ୍କ ଭାରି ଭିଡ ଜମିଥିଲା । ସ୍ବତନ୍ତ୍ରତା ସେନାନୀ ଏକ୍ସପ୍ରେସ ଓ ଭୁବନେଶ୍ବର ରାଜଧାନୀ ବିଳମ୍ବରେ ଚାଲୁଥିବା କାରଣରୁ ଏହି ଦୁଇ ଟ୍ରେନର ବହୁସଂଖ୍ୟକ ଯାତ୍ରୀମାନେ ମଧ୍ୟ ପ୍ଲାଟଫର୍ମ ୧୨, ୧୩ ଓ ୧୪ ନମ୍ବରରେ ଛିଡା ହୋଇଥିଲେ । ଫଳରେ ଏତେ ସଂଖ୍ୟକ ଭିଡ ଜମିବା ଯୋଗୁଁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା । ଦୁଇଟି ଟ୍ରେନ ବିଳମ୍ବ ହେବା ଓ ଏକ ସମୟରେ ଅଧିକ ସଂଖ୍ୟକ ଲୋକ ଆସିବା କାରଣରୁ ଦଳଚକଟା ହୋଇଥିଲା ।
ଡିସିପି ଜଣାଇଛନ୍ତି ଯେ, ଷ୍ଟେସନରେ ପ୍ରବଳ ଭିଡ ହେବା ନେଇ ଆମକୁ ପୂର୍ବାନୁମାନ ଥିଲା । ହେଲେ ସବୁକିଛି କେଇ ସେକେଣ୍ଡରେ ଘଟିଗଲା । ଏହି ଘଟଣାରେ ରେଲୱେ ପକ୍ଷରୁ ଯାଞ୍ଚ କରାଯିବ । ଏଥିପାଇଁ ଦାୟୀ କର୍ମଚାରୀ ଓ ଅଧିକାରୀଙ୍କୁ ପଚରାଉଚରା କରାଯିବା ପରେ ଘଟଣାର ସଠିକ୍ କାରଣ ଜଣାପଡିବ ।
ତେବେ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ନୂଆଦିଲ୍ଲୀ ରେଳ ଷ୍ଟେସନରେ ପ୍ରତି ଘଣ୍ଟାରେ ରେଲୱେ ୧୫୦୦ ଜେନେରାଲ ଟିକେଟ୍ ବିକ୍ରି କରିଥିଲା । ଏହି କାରଣରୁ ଭିଡ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ପ୍ଲାଟଫର୍ମ ୧୪ ଓ ୧୬ ନମ୍ବର ଏକ୍ସେଲେଟର ନିକଟରେ ଦଳଚକଟା ସ୍ଥିତି ଉପୁଜିଥିଲା ।
ଏପରିକି ବହୁ ଯାତ୍ରୀ ପ୍ରୟାଗରାଜ ମହାକୁମ୍ଭ ଟ୍ରେନରେ ଚଢିବାକୁ ବିନା ଟିକେଟରେ ପ୍ଲାଟଫର୍ମରେ ପହଞ୍ଚିଥିବା ମଧ୍ୟ ଅନ୍ୟ କିଛି ପ୍ରତ୍ୟକ୍ଷଦର୍ଶୀ ଜଣାଇଛନ୍ତି ।