• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଘଟଣାସ୍ଥଳରେ ପହଞ୍ଚିଲା ଫରେନସିକ୍ ଟିମ୍

ନୂଆଦିଲ୍ଲୀ : ରୋହିଣୀ କୋର୍ଟରେ ବୋମା ବିସ୍ଫୋରଣ । ଗୁରୁବାର ସକାଳେ ରାଜଧାନୀ ଦିଲ୍ଲୀର ରୋହିଣୀ କୋର୍ଟରେ ଏକ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ପରେ କୋର୍ଟରେ ହଡ଼କମ୍ପ ସୃଷ୍ଟି ହୋଇଛି । ବୋମା ବିସ୍ଫୋରଣ ସମ୍ପର୍କରେ ଖବର ପାଇବା ପରେ ୬ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି । ଏହି ବିସ୍ଫୋରଣ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ପୋଲିସ କୋର୍ଟ ଖାଲି କରି ଫାଟକ ବନ୍ଦ କରି ଦେଇଛି । ତେବେ ଏନେଇ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ତଦନ୍ତ ଆରମ୍ଭ କରିଛି।

ଦିଲ୍ଲୀର ରୋହିଣୀ କୋର୍ଟରେ ଘଟିଥିବା ଏହି ବିସ୍ଫୋରଣ କମ୍ ତୀବ୍ରତା ବିଶିଷ୍ଟ ବୋମା ବିସ୍ଫୋରଣ ଅଟେ ବୋଲି ପୋଲିସ୍ ପକ୍ଷରୁ କୁହାଯାଉଛି । ଏହା ଏକ ପ୍ରକାର କ୍ରୁଡ ବୋମା । ଏହାସହ ପୋଲିସ ଘଟଣାସ୍ଥଳରୁ IED ବିସ୍ଫୋରକ ସାମଗ୍ରୀ ଏବଂ ଟିଫିନ୍ ଭଳି ଜିନିଷ ଜବତ କରିଛି । ଏନଏସଜିକୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇଛି । ଅନ୍ୟପକ୍ଷରେ ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନା ମଧ୍ୟ ରୋହିନୀ କୋର୍ଟ ଅଭିମୁଖେ ବାହାରିଛନ୍ତି । ରୋହିଣୀ କୋର୍ଟର ବାର୍ ଆସୋସିଏସନ୍ ଅନୁସାରେ କୋର୍ଟ ରୁମରେ ବିସ୍ଫୋରଣ ଘଟିଛି । ପୋଲିସ ମଧ୍ୟ ଘଟଣାର ତଦନ୍ତ କରୁଛି।

ଖବର ପାଇବା ମାତ୍ରେ ରୋହିଣୀ ଜିଲ୍ଲାର ଡିସିପି ଏବଂ ଏସିପି ଆରତୀ ଶର୍ମା ପୋଲିସ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କିଛି ଇଲେକ୍ଟ୍ରୋନିକ୍ ଉପକରଣ ସାହାଯ୍ୟରେ ଏହି ବିସ୍ଫୋରଣ ଘଟିଛି ବୋଲି କୁହାଯାଉଛି । ତେବେ ବିସ୍ଫୋରଣ ପରେ ଲୋକମାନେ ରୋହିଣୀ କୋର୍ଟରେ ଧମାଧମ୍ ଗୁଳି ଫୁଟିଥିବାର ଗୁଜବ ପ୍ରଚାର କରିଥିଲେ ।

କିଛି ଦିନ ପୂର୍ବରୁ ରୋହିଣୀ କୋର୍ଟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । କୋର୍ଟରେ ଦୁଇଜଣ ଆକ୍ରମଣକାରୀଙ୍କ ଦ୍ୱାରା ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗିଙ୍କ ଉପରକୁ ଗୁଳି କରାଯାଇଥିଲା । ଏହି ଆକ୍ରମଣରେ ସେ ନିହତ ହୋଇଥିଲେ । ଜିତେନ୍ଦ୍ର ଗୋଗି ଶୁଣାଣି ପାଇଁ କୋର୍ଟରେ ହାଜର ହୋଇଥିଲେ । ଏହା ପରେ ପୋଲିସ ଏହାର ପ୍ରତିଶୋଧ ନେଇ ଦୁଇ ଦୁର୍ବୃତ୍ତଙ୍କୁ ଏନକାଉଣ୍ଟର୍ କରିଥିଲା ।