• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାକିସ୍ତାନରେ ଧଶୁଛି ଭାରତ ବିରୋଧୀ ଆତଙ୍କୀଙ୍କ ଗଡ଼। ଗଡୁଛି ଜଣକ ପରେ ଜଣେ ମୋଷ୍ଟ ୱାଣ୍ଟେଣ୍ଡର ମୁଣ୍ଡ। ତେବେ କିଏ ନେଉଛି ଏମାନଙ୍କ ଜୀବନ। କାହା ନିର୍ଦ୍ଦେଶରେ ଏମାନଙ୍କୁ କରାଯାଉଛି ହତ୍ୟା। ହଠାତ ହେଉଛି ଯମ ରୂପୀ ଅଜ୍ଞାତ ବନ୍ଧୁକଧାରୀଙ୍କ ଆବିର୍ଭାବ।ଆଉ ଚରମ ପରିଣତି ଭୋଗୁଛନ୍ତି ଭାରତର ଶତ୍ରୁ। ଗଲା କିଛି ମାସ ହେଲା ଆତଙ୍କୀଙ୍କୁ ଏଭଳି ସଫା କରାଯାଉଛି ଯେ ସେମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି। କାହାର କେତେବେଳେ ପାଳି ପଡିବ ତାକୁ ନେଇ ସନ୍ତର୍ପଣରେ ବାଟ ଚାଲୁଛନ୍ତି ଭାରତର ଶତ୍ରୁ।...

26/11 ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ତଥା ଭାରତର ଶତ୍ରୁ ନମ୍ବର ୱାନ୍, ହାଫିଜ୍ ସୟିଦର ଅନ୍ୟ ଜଣେ ସହଯୋଗୀ ଅଦନାନ ଅହମ୍ମଦର ଖେଳଖତମ୍। କରାଚିରେ ଥିବା ତା ଘର ସାମନାରେ ଅଦନାନକୁ ଗୁଳି କରାଯାଇଛି। ତେବେ ମୋଡସ ଅଫ୍ ଅପରେଟିଂ ସେଇ ସମାନ। ଦୁଇ ଜଣ ଅଜ୍ଞାତ ବନ୍ଧୁକଧାରୀ ଆସୁଛନ୍ତି, ଅନ୍ଧାଧୂନ ଗୁଳିଚଳାଇ ଚମ୍ପଟ ମାରୁଛନ୍ତି। ଲସ୍କର ଆତଙ୍କୀ ଅଦନାନ ୨୦୧୫ ଉଦ୍ଧାମପୁର ବିଏସଏଫ୍ ଗାଡି ଉପରେ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଥିଲା। ୨୦୧୫ରେ ଦୁଇ ଲସ୍କର ଆତଙ୍କବାଦୀ ବିଏସଏଫ ଗାଡି ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ଦୁଇ ଯବାନ ସହିତ ହେବା ସହ ୮ ଜଣ ଆହତ ହୋଇଥିଲେ।

ଅଦନାନ ହତ୍ୟାର ଦିନକ ପୂର୍ବରୁ ୨୬-୧୧ ମୁମ୍ବାଇ ଆକ୍ରମଣର ଆଉ ଜଣେ ଅଭିଯୁକ୍ତ ସାଜିଦ ମୀରର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ଡେରା ଗାଜି ଖାନ୍ ସେଣ୍ଟ୍ରାଲ ଜେଲରେ କେହି ତାକୁ ବିଷ ଦେଇଥିବା କୁହାଯାଉଛି। ପାକିସ୍ତାନ ସେନା ସାଜିଦକୁ ବାହାବଲପୁର ହସ୍ପିଟାଲରେ ଭର୍ତ୍ତି କରିଥିଲା। ତେବେ ସେଠାରେ ତାର ମୃତ୍ୟୁ ହୋଇଯାଇଥିଲା। ସାଜିଦର ଜୀବନପ୍ରତି ବିପଦ ଥିବା ଗୁଇନ୍ଦା ସୂଚନା ମିଳିବା ପରେ କିଛି ମାସ ତଳେ ତାକୁ ଲାହୋର ସେଣ୍ଟ୍ରାଲ ଜେଲରୁ ଡେରା ଗାଜି ଜେଲକୁ ସ୍ଥାନାନ୍ତର କରାଯାଇଥିଲା।

ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଦେବା ଅଭିଯୋଗରେ ଗତବର୍ଷ ପାକିସ୍ତାନ କୋର୍ଟ ତାକୁ ୧୫ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ମୁମ୍ବାଇ ଆକ୍ରମଣ ଲାଗି ସେ ହାଫିଜ ସୟିଦ ସହ ଯୋଜନା ପ୍ରସ୍ତୁତ କରିଥିଲା। ତାକୁ ଧରାଇ ଦେବା ଲାଗି ଆମେରିକା ୫୦ ଲକ୍ଷ ଡଲାରର ପୁରସ୍କାର ରାଶି ଘୋଷଣା କରିଥିଲା। ମୀରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ନେଇ ଜାତିସଂଘରେ ଭାରତ ଓ ଆମେରିକା ପ୍ରସ୍ତାବକୁ ନିକଟରେ ଚୀନ ବିରୋଧ କରିଥିଲା।...

ଗତ ୨ ତାରିଖରେ ଭାରତର ଆଉ ଜଣେ ମୋଷ୍ଟ ୱାଣ୍ଟେଣ୍ଡ ତଥା ଖଲିସ୍ଥାନୀ ଆତଙ୍କୀ ଜର୍ଣ୍ଣେଲ ସିଂହ ଭିଣ୍ଡରନୱାଲେର ପୁତୁରା ଲଖବୀର ସିଂହ ରୋଡେର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ତେବେ ହୃତଘାତରେ ତାର ମୃତ୍ୟୁ ହୋଇଥିବା କୁହାଯାଉଛି। ହତ୍ୟା ହେଉ କି ସନ୍ଦେହଜନକ ମୃତ୍ୟୁ, ଲମ୍ବିବାରେ ଲାଗିଛି ଭାରତ ବିରୋଧୀଙ୍କ ମୃତ୍ୟୁ ତାଲିକା। ଗତ କେଇମାସ ମଧ୍ୟରେ କେବଳ ପାକିସ୍ତାନରେ ୧୩ ଦୁର୍ଦ୍ଦଶ ଆତଙ୍କୀଚରମ ପରିଣତି ଭୋଗିଛନ୍ତି।

ପୂର୍ବରୁ ଲକ୍ସର ଆତଙ୍କୀ ମୁଫତି କାଇଜର ଫାରୁକୀକୁ କରାଚିରେ ଗୁଳି ହତ୍ୟା କରାଯାଇଥିଲା। ଏହି ଘଟଣାର ସିସିଟିଭି ଫୁଟେଜ ଭାଇରାଲ ହୋଇଥିଲେ ମଧ୍ୟ ପୋଲିସ ଆତତାୟୀଙ୍କୁ ଏଯାଏଁ ଧରିବାରେ ସଫଳ ହୋଇନି। ଏବେ ଆସନ୍ତୁ ନଜର ପକାଇବା ପାକିସ୍ତାନରେ କେମିତି ସଫା ହେଉଛନ୍ତି ଜଣଙ୍କ ପରେ ଜଣେ ଆତଙ୍କୀ-

୧୨ ସେପ୍ଟେମ୍ବର ୨୦୨୩

ଭାରତର ମୋଷ୍ଟୱାଣ୍ଟେଡ ଲକ୍ସର ଆତଙ୍କୀ ମୌଲାନା ଜିଆଉର ରେହମାନଙ୍କୁ କରାଚିର ଗୁଲିସ୍ତାନ ଜୌହାର ଅଞ୍ଚଳରେ କରାଯାଇଥିଲା ଗୁଳି। ଦୁଇ ଅଜ୍ଞାତ ବନ୍ଧୁକଧାରୀ ମୋଟର ସାଇକେଲରେ ଆସି ତାକୁ ଫାୟାରିଂ କରିଥିଲେ। ଯୁବକମାନଙ୍କୁ ଉସକାଇ ସେମାନଙ୍କୁ ଭାରତ ବିରୁଦ୍ଧରେ ଲଢାଇବାକୁ ପ୍ରଶିକ୍ଷଣ ଦେଉଥିଲା ଜିଆଉର।....

୧୦ ସେପ୍ଟେମ୍ବର ୨୦୨୩

ପାକିସ୍ତାନ ନିୟନ୍ତ୍ରିତ କାଶ୍ମୀରର ମୁଜାଫରାବାଦରେ ପଡିଥିଲା ଭାରତ ବିରୁଦ୍ଧରେ ଗରିଲା ଯୁଦ୍ଧ ଚଳାଇଥିବା ମହମ୍ମଦ ରିଆଜ ଓରଫ ଆବୁ କାସିମ କାଶ୍ମିରୀର ପାଳି। ଶୁକ୍ରବାର ନମାଜ ପାଠ ଲାଗି ଯାଇଥିବା ବେଳେ ମସଜିଦ ଭିତରେ ତାକୁ ଗୁଳି କରାଯାଇଥିଲା। ଧାଂଗ୍ରୀ ଆକ୍ରମଣର ସେ ଥିଲା ମାଷ୍ଟରମାଇଣ୍ଡ।

୫ ସେପ୍ଟେମ୍ବର ୨୦୨୩

ଆବୁ କାସିମ ହତ୍ୟାର ୫ ଦିନ ଅର୍ଥାତ୍ ସେପଟେମ୍ବର ୫ରେ ଆଉ ଜଣେ ଏଲଇଟି ଆତଙ୍କୀ ହାଫିଜ୍ ସେହଜାଦକୁ ଭୋଗିବାକୁ ପଡିଥିଲା ସମାନ ଦଶା। କରାଚିରେ ଅଜଣା ଆତତାୟୀଙ୍କ ଗୁଳିରେ ଯାଇଥିଲା ତା ଜୀବନ।

ଗତ ଜାନୁଆରୀ ୨୦୨୩ରେ ଆଇଏସଆଇ ହାତ ବାରିସି ସାଜି ଭାରତ ବିରୋଧୀ ଅଭିଯାନ ଚଳାଇଥିବା ଖଲିସ୍ତାନୀ ଆତଙ୍କୀ ହରମିତ୍ ସିଂହ ଓରଫ ହାପି ପିଏଚଡିକୁ ଲାହୋରର ଗୁରୁଦ୍ୱାରରେ ଗୁଳି କରାଯାଇଥିଲା। ସେହିପରି ଫେବ୍ରୁଆରୀ ୨୫ରେ ଅଲବଦର ମୁଜାହିଦ୍ଦିନ ସଂଗଠନର କମାଣ୍ଡର ସୟଦ ଖଲିଦ୍ ରାଜା ଓ ସେଇ ମାସ ୨୦ରେ ହିଜାବ କମାଣ୍ଡର ବସର ଅହମ୍ମଦକୁ ଗୁଳି କରି ହତ୍ୟା କରାଯାଇଥିଲା। ମେ ୬ ତାରିଖରେ ଖଲିସ୍ତାନ କମାଣ୍ଡୋଫର୍ସ ମୁଖ୍ୟ ପରମଜିତ ସିଂହ ପଞ୍ଜାରକୁ ଲାହୋରରେ ହତ୍ୟା କରାଯାଇଥିଲା।

ସେହିପରି ମୋହାଲି ସ୍ଥିତ ପଞ୍ଜାବ ପୋଲିସ ଗୁଇନ୍ଦା ବିଭାଗ କାର୍ଯ୍ୟାଳୟ ଆକ୍ରମଣ ଘଟଣାରେ ଅଭିଯୁକ୍ତ ତଥା ବାବର ଖାଲସା ଆତଙ୍କୀ ହରବିନ୍ଦର ସିଂହ ସାନ୍ଧୁ ଓରଫ ରିଣ୍ଡା ର ଲାହୋର ହସପିଟାଲରେ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ତାକୁ ଧରାଇ ଦେବା ଲାଗି ଏନଆଇଏ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା।...

1999 ଇଣ୍ଡିଆନ୍ ଏୟାରଲାଇନ୍ସ ଫ୍ଲାଇଟ୍-୮୧୪ ବିମାନ ଅପହରଣ ମାମଲା ଅଭିଯୁକ୍ତ ଜୈସ ଆତଙ୍କୀ ମିସ୍ତ୍ରି ଜହୁର ଇବ୍ରାହିମକୁ ୨୦୨୨ ମାର୍ଚ୍ଚ ୧ରେ ପଏଣ୍ଟ ବ୍ଲାଙ୍କରୁ ମୁଣ୍ଡକୁ ଗୁଳି କରାଯାଇଥିଲା। ମିସ୍ତ୍ରି ହେଉଛି ସେଇ ଆତଙ୍କୀ ଯିଏ ଜଣେ ବିମାନ ଯାତ୍ରୀଙ୍କ ବେକ କାଟିଥିଲା...

କାନାଡାରେ ହରପ୍ରୀତ ସିଂହ ନିଜ୍ଜାର ହେଉ କି ବ୍ରଟେନରେ ଅବତାର ସିଂହ ଖାଣ୍ଡା। ନିପାତ ହେବାରେ ଲାଗିଛନ୍ତି ଭାରତର ଶତ୍ରୁ। ତେବେ ଏଯାଏଁ ସୁରକ୍ଷିତ ଅଛନ୍ତି ଦୁଇ ଆତଙ୍କୀ ସର୍ଦ୍ଦାର ହାଫିଜ ସୟିଦ ଓ ଜାକିଉର ରେହମାନ ଲକ୍ଭି। ଏମାନଙ୍କ ପାଳି କେବେ ପଡୁଛି ତାହା ଦେଖିବା କଥା।... ତେବେ ଏହା ଗ୍ୟାଙ୍ଗ ୱାର ନା କଲା କର୍ମର ପରିଣତି। ଜଣଙ୍କ ପରେ ଜଣେ ଆତଙ୍କୀର ସନ୍ଦେହଜନକ ମୃତ୍ୟୁ ଆତଙ୍କବାଦୀ ଶିବିରରେ ଖେଳାଇ ଦେଇଛି ଭୟର ବାତାବରଣ।...