• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯଦି ପତ୍ନୀଙ୍କଠାରୁ ଘରର କାମକାର୍ଯ୍ୟ କରିବାର ଆଶା ରଖନ୍ତି ସ୍ୱାମୀ । ତେବେ ଏହା କ୍ରୁରତା ବୋଲି କୁହାଯାଇ ପାରିବ ନାହିଁ । ଏକ ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ପତ୍ନୀଙ୍କଠାରୁ ଘର କାମ ଆଶା କରିବା ଆଦୌ କ୍ରୂରତା ନୁହେଁ । କାରଣ ବିବାହ ପରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ଉପରେ ଘରର ଦାୟିତ୍ୱ ରହିଛି । ସ୍ୱାମୀଙ୍କ ଉପରେ ଅର୍ଥିକ ଦାୟିତ୍ୱ ରହିଥିବା ବେଳେ ପତ୍ନୀଙ୍କ ଉପରେ ରହିଛି ଘରର ଦାୟିତ୍ୱ । ଏପରି ପରିସ୍ଥିତିରେ, ପତ୍ନୀଙ୍କୁ ଘର କାମ କରିବାକୁ କହିବା, ଚାକିରାଣୀ କାମ କରିବା ସହ ସମାନ ନୁହେଁ ।

ଜଷ୍ଟିସ ସୁରେଶ କୁମାର କୈଟ୍ ଏବଂ ନୀନା ବଂସଲ କୃଷ୍ଣାଙ୍କ ଖଣ୍ଡପୀଠ ଏକ ମାମଲାରେ ଶୁଣାଣି କରି ଏଭଳି ରୟ ଶୁଣାଇଛନ୍ତି । ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ, ‘ପତ୍ନୀ ଶ୍ୱଶୁରଙ୍କ ଘରେ ରହିବାକୁ ଚାହୁଁନାହାନ୍ତି । ଘରର କାମ କାର୍ଯ୍ୟ କିଛି କରୁ ନାହାନ୍ତି । କାମ କରିବାକୁ କହିଲେ କଳି କରୁଛନ୍ତି । ଆଉ ଘର କାମ କରିବା ପାଇଁ କହିବାରୁ ସେ ଏହାକୁ କ୍ରୁରତା ବୋଲି ଦାର୍ଶାଉଛନ୍ତି । ଏମିତିକି ମୋ ବିରୋଧରେ କ୍ରିମିନାଲ କେସ୍ ମଧ୍ୟ କରିଛନ୍ତି ।’

‘ଖାଲି ସେତିକି ନୁହେଁ ଅନେକ ସମୟରେ ସେ ମୋତେ ମୋ ବାପା ମାଆଙ୍କଠାରୁ ଅଲଗା ରହିବାକୁ ବାଧ୍ୟ କରୁଛନ୍ତି । ମୋ ପତ୍ନୀ ମୋ ବାପା-ମାଙ୍କ ବିରୋଧରେ ମଧ୍ୟ କ୍ରିମିନାଲ କେସ୍‌ କରିଛନ୍ତି । ମୋ ବାପା – ମାଆ ତାଙ୍କ ଉପରେ ଅତ୍ୟାଚାର କରୁଥିବା ଦର୍ଶାଇ ସେ ଶ୍ୱଶୁର ଘର ଛାଡ଼ି ନିଜ ବାପ ଘରେ ରହୁଛନ୍ତି ।’

ତେବେ ୨୦୦୭ରେ ଉଭୟଙ୍କ ବିବାହ ହୋଇଥିବା ବେଳେ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି । କିନ୍ତୁ ୨୦୧୦ ପରଠାରୁ ପତ୍ନୀ ନିଜ ବାପ ଘରେ ରହି ଆସୁଛନ୍ତି । ଏହି ପୂରା ଘଟଣା ଶୁଣିବା ପରେ କୋର୍ଟ କହିଛନ୍ତି ଯେ, ଘର କାମ କରିବାରେ କୌଣସି ପ୍ରକାର କ୍ରୁରତା ନାହିଁ । ଅନ୍ୟପଟେ ଜଣେ ବାପାଙ୍କୁ ତାର ପୁଅଠାରୁ ଅଲଗା ରଖିବାର ଅଧିକାର କାହା ପାଖରେ ନାହିଁ । ଏମିତିକ ପୁଅକୁ ପିତୃତ୍ୱ ସ୍ନେହରୁ କେହି ବଞ୍ଚିତ କରିପାରିବେ ନାହିଁ । ବିବାହ ପରେ ସ୍ୱାମୀଠାରୁ ଅଲଗା ରହିବା ଆମ ସଂସ୍କୃତିରେ ନାହିଁ ।

କୋର୍ଟ ଆହୁରି କହିଛନ୍ତି ଯେ, ସ୍ୱାମୀ ଅନେକ ଚେଷ୍ଟା କରିଛନ୍ତି ପତ୍ନୀଙ୍କୁ ନିଜ ପାଖରେ ରଖିବାକୁ । ସେ ସବୁ ପ୍ରକାର ବ୍ୟବସ୍ଥା ମଧ୍ୟ କରିଥିଲେ । କିନ୍ତୁ ପତ୍ନୀ କିଛି ନା କିଛି ବାହାନା କରି ନିଜ ବାପ ରହୁଥିଲେ । ତେଣୁ ତାଙ୍କର ଜଏଣ୍ଟ ଫ୍ୟାମିଲିରେ ରହିବା ପାଇଁ କୌଣସି ପ୍ରକାର ଇଚ୍ଛା ନାହିଁ । ଶେଷରେ ସ୍ୱାମୀଙ୍କ ବିରୋଧରେ ପତ୍ନୀ ଯେଉଁ ସବୁ ଅଭିଯୋଗ ଆଣିଥିଲେ ସେ ସବୁକୁ କୋର୍ଟ ଖାରଜ କରିଛନ୍ତି । ଏବଂ ସ୍ୱାମୀ ସ୍ତ୍ରୀଙ୍କ ଛାଡ଼ପତ୍ରକୁ ଆବେଦନକୁ ଗ୍ରହଣ କରିଛନ୍ତି ।