ଗତ କିଛି ଦିନ ଅସୁସ୍ଥ ଥିବା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଅବସ୍ଥା ଗୁରୁତର ହୋଇଛି। ୮୨ ବର୍ଷୀୟ ମୁଲାୟମ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି ।
ବରିଷ୍ଠ ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି । ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ଟୁଇଟ୍ କରାଯାଇଛି । ଅନ୍ୟପକ୍ଷେ ବାପାଙ୍କ ସ୍ୱାସ୍ଥ୍ୟ ଖବର ପାଇବା ପରେ ଲକ୍ଷ୍ନୌରୁ ଦିଲ୍ଲୀ ଯାଇଛନ୍ତି ପୁଅ ଅଖିଳେଶ ଯାଦବ । ମୁଲାୟମଙ୍କର ମୂତ୍ର ସଂକ୍ରମଣ ଜନିତ ସମସ୍ୟା ରହିଛି । ତେବେ ଅଚାନକ ତାଙ୍କର ଅମ୍ଳଜାନସ୍ତର ଓ ରକ୍ତଚାପ ହ୍ରାସ ପାଇବାରୁ ଅବସ୍ଥା ଗୁରୁତର ହୋଇଥିଲା।
Also Read
ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖବର ଜାଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୁଅ ଅଖିଳେଶଙ୍କ ସହ ଆଲୋଚନା କରିଛନ୍ତି। ଡାକ୍ତରଖାନା ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ମୁଲାୟମଙ୍କ ଚିକିତ୍ସା ଚାଲିଛି। ୨୨ ଅଗଷ୍ଟରୁ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଉଛି।
ମୁଲାୟାମଙ୍କ ସ୍ୱାସ୍ଥ୍ୟ ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମାଜବାଦି ପାର୍ଟିର ଅଧ୍ୟକ୍ଷ ତଥା ପୁଅ ଅଖିଳେଶଙ୍କ ସହ ଆଲୋଚନା କରିଥିଲେ। ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ କରି ଲେଖିଛନ୍ତି, ‘ମୁଲାୟମଙ୍କ ସ୍ୱାସ୍ଥ୍ୟାବସ୍ଥା ଖବର ମିଳିଛି। ଖୁବ୍ ଶୀଘ୍ର ସେ ସୁସ୍ଥ ହୁଅନ୍ତୁ-ଏତିକି କାମନା କରୁଛି।’ ସେହିପରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଟୁଇଟ କରି ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।