/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689847028.jpg)
Emergency Alert
ସୋସିଆଲ ମିଡିଆ ଟ୍ୱିଟରରେ ଏବେ କେବଳ ଗୋଟିଏ ଚର୍ଚ୍ଚା । ଏମର୍ଜେନ୍ସି ଆଲର୍ଟ । ଆପଣ ଆଶ୍ଚର୍ଯ୍ୟ ହେଉଥିବେ, ଭାବୁଥିବେ ଟ୍ୱିଟରରେ ତ ଅନେକ ଚର୍ଚ୍ଚା ହେଉଛି, ଆମେ ପୁଣି କେଉଁ ଚର୍ଚ୍ଚା କଥା କହୁଛୁ । ଆଜ୍ଞା ହଁ, ଟ୍ୱିଟରରେ ଅନେକ ଚର୍ଚ୍ଚା ହେଉଥିଲେ ମଧ୍ୟ ଏବେ ଏମର୍ଜେନ୍ସି ଆଲର୍ଟ କୁ ନେଇ ଖୁବ୍ ଚର୍ଚ୍ଚା । ନାଗପୁର ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ତଥା ଟ୍ୱିଟର ବ୍ୟବହାର କରୁଥିବା ଲୋକଙ୍କ ମଧ୍ୟରେ ଏବେ ସବୁଠାରୁ ବଡ଼ ଚର୍ଚ୍ଚା ହେଲା ଏମର୍ଜେନ୍ସି ଆଲର୍ଟ ।
ଅଧିକାଂଶ ଲୋକଙ୍କ ମୋବାଇଲକୁ ଆସୁଛି ଏମର୍ଜେନ୍ସି ଆଲର୍ଟ ନୋଟିଫିକେସନ୍ । ଆଉ ତାକୁ ଦେଖିବା ପରେ ଲୋକେ ଛାନିଆ । ଆଉ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ କାହିଁକି ଆସୁଛି ଏହି ନୋଟିଫିକେସନ୍ ବା ମେସେଜ୍ ? କିଏ ପଠାଉଛି ବା କିଏ ଜେନେରେଟ୍ କରୁଛି ଏଭଳି ନୋଟିଫିକେସନ୍ । ଏଭଳି ନୋଟିଫିକେସନ୍ ପଠାଇବାର କାରଣ କ’ଣ ?
ଏହି ନୋଟିଫିକେସନ୍ ମେସେଜ୍ରେ ଲେଖା ଯାଇଛି ଯେ, ଏହା ଭାରତ ସରକାରଙ୍କ ଦୂରସଂଚାର ବିଭାଗ ପକ୍ଷରୁ ଏକ ପରୀକ୍ଷଣ ଚେତାବନୀ । ଏହାକୁ ଦେଖିବା ପରେ ଲୋକଙ୍କ ମନରେ ପ୍ରଥମେ ସନ୍ଦେହ ଆସିଥିଲା ଯେ ଏହା କ’ଣ ସତରେ ଆପତକାଳିନ ଚେତାବନୀ ! ତାପରେ କିଛି ଲୋକଙ୍କ ମନରେ ଆସିଲା ଯେ ଏହା ଅନ୍ଲାଇନ୍ ଫ୍ରଡ୍ ମଧ୍ୟ ହୋଇପାରେ । ଭାରତ ସରକାରଙ୍କ ନାଁରେ ଏଭଳି ମେସେଜ୍ କରି ଲୋକଙ୍କୁ ଠକିବାର ଯୋଜନା ମଧ୍ୟ ହୋଇପାରେ ।
ନାଗପୁର ଓ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଏଭଳି ମେସେଜ୍ ଆସିବା ପରେ ସମସ୍ତେ ଚିନ୍ତାରେ ପଡ଼ିଥିଲେ । ତେବେ ବାସ୍ତବରେ ଦେଖିବାକୁ ଗଲେ ଏହା ହେଉଛି ଏକ ନିୟମିତ ପରୀକ୍ଷଣ । ସ୍ଥାନୀୟ ପ୍ରଶାସନର ଜାଣତରେ ଏଭଳି ନୋଟିଫିକେସନ୍ ବା ମେସେଜ୍ ଆସୁଛି । ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଲୋକଙ୍କ ପାଖକୁ ଯାଉଥିବା ଏହି ଫ୍ଲାସ୍ ମେସେଜ୍ ସମ୍ପୂର୍ଣ୍ଣ ସିଷ୍ଟମର ଏକ ଅଂଶ ବିଶେଷ । ଏହା ଦ୍ୱାରା ସରକାର, ଲୋକଙ୍କୁ ବର୍ଷା, ବନ୍ୟା, ପାଣିପାଗ ତଥା ଭୂ-କମ୍ପ ନେଇ ସତର୍କ କରାଇପାରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ।
ତେବେ ଯଦି ଆପଣଙ୍କ ପାଖକୁ ବି ଏଭଳି ମେସେଜ୍ କିମ୍ବା ନୋଟିଫିକେସନ୍ ଆସେ, ତେବେ ଆପଣ ଏଥିପାଇଁ ଭୟଭୀତ ହୁଅନ୍ତୁ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)