/odishatv-khabar/media/post_attachments/uploadimage/library/16_9/16_9_0/ECI_1710512875.jpg)
ECI
କାଲି ବାଜିବ ୨୦୨୪ ନିର୍ବାଚନ ବିଗୁଲ୍। ପ୍ରଥମ ପର୍ଯ୍ୟାୟ ଇଲେକ୍ସନ କେବେ ? କେତେଟି ପର୍ଯ୍ୟାୟରେ ଏଥର ହେବ ମତଦାନ ?ଭୋଟ୍ ସରିବାର କେତେ ଦିନ ପରେ କାଉଣ୍ଟିଂ ? ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏସବୁର ସ୍ପଷ୍ଟ ଉତ୍ତର ମିଳିଯିବ ଶନିବାର ଅପରାହ୍ନ ୩ଟାରେ। ତେବେ ଗତଥର ଭଳି ଏଥର ବି ସବୁ ଲୋକସଭା ଆସନ ସହ ଓଡ଼ିଶା, ଅରୁଣାଚଳ ପ୍ରଦେଶ, ଆନ୍ଧ୍ର ଓ ସିକିମ୍ ଆସେମ୍ଲି ପାଇଁ ଏକାସାଙ୍ଗେ ଇଲେକ୍ସନ ହେବ ନା ଜାମ୍ମୁ ଓ କାଶ୍ମୀର ବି ମିଶିବ ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା ।
ତା ସହ ଗତ ଥର ମାର୍ଚ୍ଚ ୧୦ରେ ନିର୍ବାଚନ ସୂଚୀ ଘୋଷଣା ସହ ଏପ୍ରିଲ୍ ୧୧ରୁ ମେ ୧୯ ଯାଏଁ ୭ଟି ପର୍ଯ୍ୟାୟରେ ହୋଇଥିଲା ସାଧାରଣ ନିର୍ବାଚନ। ଶେଷ ପର୍ଯ୍ୟାୟ ଭୋଟ୍ ସରିବାର ୪ ଦିନ ପରେ ଅର୍ଥାତ୍ ମେ ୨୩ରେ ହୋଇଥିଲା ଗଣତି। କିନ୍ତୁ ଯେହେତୁ ଗତ ଥର ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ ତାରିଖ ଘୋଷଣା ହୋଇଥିଲା ଓ ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ୍ ୧୧ରେ ହୋଇଥିଲା, ତେଣୁ ଏଥର ୬ ଦିନ ବିଳମ୍ବରେ ତାରିଖ ଘୋଷଣା ହେବାକୁ ଯାଉଛି। ସେଥିଲାଗି ଫାଷ୍ଟ ଫେଜ୍ ଇଲେକ୍ସନ ତାରିଖକୁ ନେଇ ବଢିଛି ଉତ୍କଣ୍ଠା। ଏହାଛଡ଼ା ଯଦି ପୂର୍ବ ଥର ଭଳି ଏଥର ବି ଏପ୍ରିଲ୍ ୧୧ରୁ ଭୋଟିଂ ଆରମ୍ଭ ହୁଏ, ତାହାଲେ ପ୍ରଥମ ପର୍ଯ୍ୟାୟ କ୍ୟାମ୍ପେନ ପାଇଁ ସମୟ କମିଯିବ। କାଲି ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ସୂଚନା ପରେ ବଢିଛି ସମସ୍ତ ରାଜନୈତିକ ଦଳଙ୍କ ଉତ୍କଣ୍ଠା।
ଓଡ଼ିଶାରେ ଲୋକସଭା ସହ ଏକାସାଙ୍ଗେ ହେବ ବିଧାନସଭା ନିର୍ବାଚନ। ତେଣୁ ଏଥର କେତେ ପର୍ଯ୍ୟାୟରେ ହେବ ଭୋଟ୍ ତାକୁ ନେଇ ବି ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ଯେହେତୁ ଗତଥର ୪ଟି ପର୍ଯ୍ୟାୟ ଯଥାକ୍ରମେ ଏପ୍ରିଲ ୧୧, ୧୮, ୨୩ ଓ ୨୯ ତାରିଖରେ ମତଦାନ ହୋଇଥିଲା। ତେଣୁ ଏଥର ସେତିକି ପର୍ଯ୍ୟାୟ ନା ସମାନ ତାରିଖ ରହିବ ? ତାକୁ ନେଇ ବି ଉଠିଛି ପ୍ରଶ୍ନ। ତଥ୍ୟ କହୁଛି ୨୦୧୯ ସାଧାରଣ ନିର୍ବାଚନବେଳେ ଓଡ଼ିଶାରେ ୩ କୋଟି ୨୨ଲକ୍ଷ ଭୋଟର ଥିବାବେଳେ ୨୦୨୪ରେ ଏ ସଂଖ୍ୟା ପହଞ୍ଚିଛି ୩କୋଟି ୩୨ ଲକ୍ଷରେ। ଯାହାଙ୍କ ମଧ୍ୟରୁ ଯାହାଙ୍କ ମଧ୍ୟରୁ ପୁରୁଷ ଭୋଟର ୧ କୋଟି ୬୮ଲକ୍ଷ, ମହିଳା ୧ କୋଟି ୬୪ ଲକ୍ଷ ଓ ତୃତୀୟ ଲିଙ୍ଗିଙ୍କ ସଂଖ୍ୟା ୩ ହଜାର ୩୮୦।
ସେହିପରି ନୂଆ କରି ଭୋଟର ତାଲିକାକୁ ଉଠିଛନ୍ତି ୭ଲକ୍ଷ ୫୪ ହଜାର ମତଦାତା। କାଲି ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା ହେବ। ଏଣେ ମେଣ୍ଟ ଦ୍ୱନ୍ଦ୍ୱ ତୁଟୁନି, କି ଟିକେଟ୍ ଫାଇନାଲ୍ ହୋଇନି। ଅଥଚ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଭୋଟ୍ ପାଇଁ ପୁରା ପ୍ରସ୍ତୁତ ଥିବା କହିଲେଣି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ।
ଆସନ୍ତାକାଲି ୨୪ ନିର୍ବାଚନ ତାରିଖ ଘୋଷଣା ସହ ସାରା ଦେଶରେ ଲାଗୁ ହୋଇଯିବ ଆଦର୍ଶ ଆଚରଣ ବିଧି। ତେବେ ତା ପୂର୍ବରୁ ଆଜି ବିଧିବଦ୍ଧ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଗତକାଲି ନିଯୁକ୍ତି ପାଇଥିବା ଦୁଇ ନୂଆ ନିର୍ବାଚନ କମିଶନର ଜ୍ଞାନେସ କୁମାର ଓ ସୁଖବୀର ସିଂ ସନ୍ଧୁ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଉଭୟଙ୍କୁ ସ୍ୱାଗତ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)