• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଖି ନା କାଚ ବାଟି । ମଜାକ୍‌ ହେଉ କିମ୍ବା ଆକ୍ଷେପ କରିବା ଉଦ୍ଦେଶ୍ୟରେ ଏପରି କହୁଥିବା ଅନେକ ଶୁଣିଥିବେ । ହେଲେ ସତରେ ଜଣେ ବୃଦ୍ଧଙ୍କର ଅପରେସନ୍‌ ପରେ ଆଖି ନୁହେଁ କାଚ ବାଟି ଲାଗିଥିବା ପରି ଚାଞ୍ଚଲ୍ୟକର ଖବର ଆସିଛି । ଝାଡଖଣ୍ଡର ଜାମସେଦପୁରରେ ଏଭଳି ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ପୀଡ଼ିତ ବୃଦ୍ଧ ହାତରେ ନକଲି ଆଖି ଧରି ସରକାରୀ ଡାକ୍ତରଖାନାରେ ପହଞ୍ଚିଛନ୍ତି । ଅପରେସନ ପରେ ତାଙ୍କ ପ୍ରକୃତ ଆଖି ବାହାର କରି କାଚ ବାଟି ବା କାଚ ଗୁଲି ଲଗାଇ ଦେଇଥିବା ଅଭିଯୋଗ କରାଯାଇଛି । ଏହି ଘଟଣା ପରେ ଡାକ୍ତରଖାନା ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛ । ପୀଡିତ ଆଦିବାସୀ ଗଙ୍ଗାଧର ସିଂ କେସିସି ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ଅପରେସନ୍ କରିଥିବା ଡାକ୍ତରଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ।

ଜାମସେଦପୁର ଠାରୁ ପ୍ରାୟ ୬୦ କିଲୋମିଟର ଦୂରଜଙ୍ଗଲ ଭିତରେ ନୀରିହ ଗଙ୍ଗାଧର ସିଂଙ୍କ ଗାଁ । ଗାଁରେ ମାତ୍ର ୧୫ ଟି ପରିବାର ବସବାସ କରନ୍ତି । କିଛି ଦିନ ହେଲା ତାଙ୍କ ଆଖିରୁ ପାଣି ବହିବା ସହ ପୋଡ଼ିବା ସମସ୍ୟା ହେଉଥିଲା । ତେବେ ଗାଁରେ ତାଙ୍କର କୌଣସି ମୌଳିକ ସୁବିଧା ନଥିବା ବେଳେ ଡାକ୍ତରଖାନା ବି ନାହିଁ । ଏଥିପାଇଁ ସେ କୁଆଡ଼େ ଆଖି ଦେଖାଇବାକୁ ଯାଇପାରୁ ନଥିଲେ । ହେଲେ ତାଙ୍କ ଗାଁକୁ ଜଣେ ଶିକ୍ଷିତ ମହିଳା ଆସିଥିବା ବେଳେ ବୃଦ୍ଧ ଗଙ୍ଗାଧର ସିଂ ତାଙ୍କ ନିଜର ଆଖି ସମସ୍ୟା ସମ୍ପର୍କରେ କହିଥିଲେ । ମହିଳା ଜଣକ ତାଙ୍କ ଚିକିତ୍ସା ପାଇଁ ସହଯୋଗ କରିବେ କହି ପ୍ରତିଶ୍ରୁତି ଦେଇଥିଲେ ।

୧୮ ନଭେମ୍ବର ୨୦୨୧ ରେ ବୃଦ୍ଧ ଗଙ୍ଗାଧର ସିଂଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଗଙ୍ଗାଧର ସିଂଙ୍କ ସହ ଗାଁର ଦେବ ମୁର୍ମୁ, ଚିତା ହାସଦା, ଭାନୁ ସିଂ, ମଞ୍ଜୋଲ ସିଂ ଏବଂ ଟେଟେ ଗିରିଙ୍କ ସମେତ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଅପରେସନ୍ କରାଯାଇଥିଲା । ହେଲେ ଅପରେସନ୍ ପର ଦିନ ତରବରିଆ ଭାବେ ସମସ୍ତଙ୍କୁ ଡିସଚାର୍ଜ କରାଯାଇ ଘରକୁ ପଠାଯାଇଥିଲା । ଅପରେସନ୍‌ କରିବାର କିଛି ଦିନ ପରେ ଗଙ୍ଗାଧରଙ୍କ ଆଖି କୁଣ୍ଡେଇ ହେବା ସହ ଅସହ୍ୟ ଯନ୍ତ୍ରଣା ହୋଇଥିଲା । ଏହା ପରେ ଗଙ୍ଗାଧରଙ୍କୁ ପୁଣି ଥରେ ଜାମସେଦପୁର ନିଆଯାଇଥିଲା । ହେଲେ ଯନ୍ତ୍ରଣା କମିବା ପରିବର୍ତ୍ତେ ବଢ଼ି ଯାଇଥିଲା । ସେଠାରୁ ତାଙ୍କୁ ରାଞ୍ଚି ଏବଂ କୋଲକାତା ନିଆଯାଇଥିଲା, କିନ୍ତୁ ତଥାପି ତାଙ୍କ ସମସ୍ୟାର ସମାଧାନ ହୋଇପାରି ନଥିଲା ।

ଦିନକୁ ଦିନ ତାଙ୍କର ଯନ୍ତ୍ରଣା ବଢ଼ିବାରେ ଲାଗିଥିଲା । ଆଖି କୁଣ୍ଡେଇ ହେବା ସହ ଜଳାପୋଡ଼ା ହେଉଥିଲା । ଅସହ୍ୟ ହେବାରୁ ସେ ଆଖିକୁ ହାତରେ ଘଷିବାକୁ ଲାଗିଲେ । ଆଉ ତା’ପରେ ଯାହା ହେଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଖିରେ ହାତ ଲଗାଇବା ପରେ ଏକ କାଚ ଗୁଲି ବାହାରି ପଡ଼ିଥିଲା । ଆଉ ଏହା ଦେଖି ସେ ଭୟଭୀତ ହୋଇପଡ଼ିଥିଲେ । ସଙ୍ଗେ ସଙ୍ଗେ ସେ ପୁଣି ନକଲି ଆଖିକୁ ନେଇ ଡାକ୍ତରଖାନାରେ ପହଞ୍ଚିଥିଲେ । ପରୀକ୍ଷା ପରେ ଡାକ୍ତର ଯାହା କହିଲେ, ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ତାଙ୍କ ଆଖି ହଟାଇ କାଚ ଗୋଲି ଲଗାଇ ଦିଆଯାଇଥିବା ଡାକ୍ତର କହିଥିଲେ ।

ଏପରି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବା ପରେ ହସ୍ପିଟାଲ ପରିସରରରେ ଉତ୍ତେଜନା ଦେଖାଦେଇଥିଲା । ଏନେଇ ପୀଡ଼ିତ ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ତାଙ୍କ ଗାଁରେ ଏକ ସଭା ଡକାଯାଇ ଯେଉଁ ମହିଳାଙ୍କ ସହାୟତାରେ ଅପରେସନ୍‌ କରାଯାଇଛି, ତାଙ୍କୁ ମଧ୍ୟ ଏବେ ଖୋଜାଯାଉଛି । ସେହିପରି ଯେଉଁ ଡାକ୍ତର ତାଙ୍କର ଅପରେସନ୍‌ କରିଛନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।