• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ପୁଣି ଇଡି ପଚରାଉଚରା କରିଛି । ପ୍ରଥମ ପର୍ଯ୍ୟାୟରେ ୩ ଘଣ୍ଟା ଧରି ଇଡିର ୩ ଅଧିକାରୀ ରାହୁଲଙ୍କୁ ପଚରାଉଚରା କରିଥିଲେ । ଝାଳବୁହା ଜେରାର ସାମନା କରିବା ପରେ ଇଡି ଅଫିସରୁ ବାହାରିଥିଲେ ରାହୁଲ ।

ପୁଣି ଥରେ ରାହୁଲ ଗାନ୍ଧୀ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ତେବେ ଜେରା ବେଳେ ରାହୁଲଙ୍କ ସାମନାରେ ଇଡ଼ି ପ୍ରଶ୍ନର ପାହାଡ଼ ରଖିଥିବା ଚର୍ଚ୍ଚା ହେଉଛି । ଆସୋସିଏଟ ଜର୍ଣ୍ଣାଲ୍ସ ଲିମିଟେଡ୍‌ର ତୁମର ପଦବୀ କଣ ? ୟଙ୍ଗ ଇଣ୍ଡିଆନ୍‌ରେ ତୁମର ଭୂମିକା କଣ ? ୟଙ୍ଗ ଇଣ୍ଡିଆନ୍‌କୁ କଂଗ୍ରେସ ଋଣ ଦେଇଥିଲା କାହିଁକି ? ଏଭଳି ଅନେକ ପ୍ରଶ୍ନ ରାହୁଲ ଗାନ୍ଧିଙ୍କୁ ଇଡି ପଚାରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ରାହୁଲ ଦେଇଥିବା ଉତ୍ତରକୁ ମନି ଲଣ୍ଡରିଂ ପ୍ରିଭେନସନ ଆର ସେକ୍ସନ ୫୦ ଅନୁଯାୟୀ ରେକର୍ଡ କରାଯାଉଥିବା ସୂଚନା ମିଳିଛି । ଇଡିରେ ହାଜର ହେବାକୁ ଆଜି ରାହୁଲ ଗାନ୍ଧି ଏକ ଶୋଭାଯାତ୍ରାରେ ବାହାରିଥିଲେ । ଦଳୀୟ ନେତା ଓ ଶତାଧିକ ସମର୍ଥକଙ୍କ ଗହଣରେ ରାହୁଲ ଇଡି ଅଫିସକୁ ଯାଇଥିଲେ । ରାହୁଲଙ୍କୁ ଇଡି ନୋଟିସ କରିବା ପ୍ରତିବାଦରେ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଦେଶବ୍ୟାପୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଆଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଛନ୍ତି । ବିରୋଧୀଙ୍କ ସ୍ୱରକୁ ଦବାଇ ଦେବାକୁ ବିଭିନ୍ନ ସଂସ୍ଥା ଜରିଆରେ କେନ୍ଦ୍ର ସରକାର ଚେଷ୍ଟା କରୁଥିବା ଅଭିଯୋଗ କରିଛି କଂଗ୍ରେସ । ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ଆସନ୍ତା ୨୩ ତାରିଖରେ ବି ହାଜର ହେବାକୁ ନିର୍ଦ୍ଦେଶ ରହିଛି ।

ସୋନିଆ କରୋନା ସଂକ୍ରମିତ ଥିବାରୁ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଏପଟେ ଗାନ୍ଧି ପରିବାର ବିରୋଧରେ ଆକ୍ରୋଶ ମୂଳକ ପଦକ୍ଷେପ ପାଇଁ ବିଜେପି ସରକାର ବିରୋଧରେ ସତ୍ୟାଗ୍ରହ ଜାରି ରହିବ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା । କଂଗ୍ରେସର ଏଭଳି ଅଭିଯୋଗର ଜବାବ ରଖିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।